ଗୁଣପୁର(ସୁନିଲ୍ କୁମାର ସାବତ): ଗୁଣପୁର ରେଳ ଷ୍ଟେସନ ନିକଟରେ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ଥିବା ୨ ଜଣ ବ୍ୟକ୍ତିଙ୍କୁ ପୁଲିସ ଅଟକ ରଖ୍ ପଚରାଉଚରା କରୁଛି । ପ୍ରାୟ ୭୬ କେଜି ଗଞ୍ଜେଇ ଜବତ ହୋଇଥିବା ବେଳେ ୨ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି । ଗିରଫ ଦୁଇ ଅଭିଯୁକ୍ତ ବିହାର ଭୋଜପୁର ଜିଲ୍ଲାର ମହେନ୍ଦ୍ର ଚୌଧୁରୀ (୫୮) ଏବଂ ଅଭିଷେକ କୁମାର(୨୩) ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଅବସରରେ ସ୍ଥାନୀୟ ଦୁଇ ଜଣ ବ୍ୟକ୍ତି ଟ୍ରେନ୍ ଯୋଗେ ଗଞ୍ଜେଇ ଚାଲାଣ କରାଯିବାକୁ ଯୋଜନା କରୁଥିବା ବେଳେ ଧରାପଡ଼ିଥିଲେ । ଏମାନଙ୍କୁ ଗୁରୁବାର କୋର୍ଟ ଚାଲାଣ କରାଯାଇଛି । ସୂଚନା ଯୋଗ୍ୟ ଯେ, ଗୁଣପୁର ରେଳ ଷ୍ଟେସନରେ ଅନେକବାର ଟ୍ରେନ୍ ଯୋଗେ ଗୁଣପୁର ଅଞ୍ଚଳରୁ ବାହାର ରାଜ୍ୟକୁ ଗଞ୍ଜେଇ ଚୋରା ଚାଲାଣ କରାଯାଉଥିବା ବେଳେ ଉପଯୁକ୍ତ ଚଢ଼ଉ କରାଯାଇପାରୁ ନ ଥିବାରୁ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବୃଦ୍ଧି ପାଉଛି । ରାୟଗଡ଼ା ଜିଲ୍ଲାର ଗୁଡ଼ାରୀ, ଚନ୍ଦ୍ରପୁର ଏବଂ କେନ୍ଦୁଗୁଡ଼ା ଅଞ୍ଚଳରେ ବ୍ୟାପକ ଗଞ୍ଜେଇ ଚୋରା ଓ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଯୋଗୁଁ ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଚେକ୍ ପୋଷ୍ଟ କରାଯିବା ସହ ସ୍ବତନ୍ତ୍ର କର୍ମଚାରୀ ନିୟୋଜିତ କରାଯାଇ ଯାନବାହନ ଯାଞ୍ଚ କରାଯାଉଛି । ଫଳରେ ମାଫିଆମାନେ ଗୁଣପୁରକୁ ଚାଲାଣକାରୀଙ୍କ ସୁରକ୍ଷିତ ସ୍ଥାନ ଗୁଣୁପୁର ଭାବେ ଆପଣେଇଛନ୍ତି । ବିଭିନ୍ନ ସମୟରେ ଗୁଣପୁରର ବିଭିନ୍ନ ଲୋଜରେ ରହି ଗଞ୍ଜେଇ ବ୍ୟବସାୟ ଓ ଚାଲାଣ କରାଯାଉଥିବା ଜଣାପଡ଼ିଛି । ଗତ ଦୁଇଦିନ ପୂର୍ବେ ଏକ ଲୋଜରୁ ୩ ବ୍ୟକ୍ତିଙ୍କୁ ପୁଲିସ ଉଠାଇ ନେଇ ଜେରା କରିଛି। ତେଣୁ ସମସ୍ତ ଲୋଜରେ ନିୟମିତ ଚଢ଼ଉ ଏବଂ ରାତ୍ର ପାଟ୍ରୋଲିଂ କଡ଼ାକଡ଼ି କରାଗଲେ ଏହି ଚୋରା ଚାଲାଣକୁ ରୋକାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି।