ଦାରିଙ୍ଗବାଡ଼ି( ଆଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ସରାମୁଳି ପଞ୍ଚାୟତ ଅନ୍ତର୍ଗତ ସିଞ୍ଜାକୁଟି ଗ୍ରାମର ବିଭିନ୍ନ ସମସ୍ୟା ନେଇ ଗ୍ରାମବାସୀ ଗୁରବାର ଦିନ କନ୍ଧମାଳ ଜିଲ୍ଲା ଡଃ ଆଶିଷ ଈଶ୍ୱର ପାଟିଲଙ୍କୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରି ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି l ଦାରିଙ୍ଗବାଡି ବ୍ଲକର ଅତି ଦୁର୍ଗମ ଇଲାକା ସରାମୁଳୀ ପଞ୍ଚାୟତର ଏହି ସିଞ୍ଜାକୁଟି ଗ୍ରାମଟି ସର୍ବଦା ପ୍ରଶାସନର ଦୃଷ୍ଟି ଆଡ଼ୁଆଳରେ ରହି ଆସିଛି l ବାରମ୍ବାର ଦାବୀ ପରେ ବି ଏହି ଗ୍ରାମକୁ ଆଜି ପର୍ୟ୍ୟନ୍ତ ପକ୍କା ରାସ୍ତା ଟିଏ ହୋଇ ପାରି ନାହିଁ l ରାଜସ୍ୱ ଗ୍ରାମର ମାନ୍ୟତା ପ୍ରଦାନ କରିବା ପାଇଁ ୨୦୨୦ ମସିହାରୁ ଗ୍ରାମବାସୀମାନେ ଦାବି କରି ଆସୁଥିଲେ ସୁଦ୍ଧା ଉକ୍ତ ଦାବୀ ପୂରଣ ହୋଇନାହିଁ । ରାଜସ୍ବ ଗ୍ରାମରେ ଅନ୍ତର୍ଭୁକ୍ତ ନ ଥିବାରୁ ଅନେକ ସରକାରୀ ଯୋଜନାରୁ ଗ୍ରାମବାସୀମାନେ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏହିସବୁ ସମସ୍ୟା ଲାଗି ରହୁ ଥିବାରୁ ଗ୍ରାମବାସୀମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇ ସମସ୍ୟାର ସମାଧାନ କରିବାକୁ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି । ବିଶେଷ କରି ଗ୍ରାମକୁ ପକ୍କା ରାସ୍ତା, ରାଜସ୍ବ ଗ୍ରାମର ମାନ୍ୟତା ଓ ମୋବାଇଲ ଟାୱାର ସ୍ଥାପନ କରି ନେଟୱର୍କ ସେବା ପ୍ରଦାନ କରିବା ଆଦି ଦାବିପତ୍ରରେ ଉଲ୍ଲେଖ ରହିଛି l ଜିଲ୍ଲାପାଳ ଶ୍ରୀ ପାଟିଲ ଦାବିପତ୍ର ଗ୍ରହଣ କରି ମନରେଗା ଯୋଜନାରେ ରାସ୍ତା ନିର୍ମାଣ କାର୍ଯ୍ୟ କରାଯିବ ବୋଲି ପ୍ରତିଶ୍ରୁତି ଦେଇ ଥିବା ବେଳେ ନିର୍ବାଚନ ଯୋଗୁଁ କାର୍ଯ୍ୟ ଅନୁମୋଦନ ହୋଇ ପାରୁନଥିଲା ଖୁବ ଶୀଘ୍ର ରାସ୍ତା ନିର୍ମାଣ ଆରମ୍ଭ ହେବ ଓ ଅନ୍ୟାନ୍ୟ ସମସ୍ୟା ସେ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ସମାଧାନ କରିବାକୁ ଚେଷ୍ଟା କରିବେ ବୋଲି କହିଥିଲେ l ଦାବିପତ୍ର ପ୍ରଦାନ ସମୟରେ ସିଞ୍ଜାକୁଟି ଗ୍ରାମର ପ୍ରତିନିଧି ଦଳରେ ସାହୁପାଟ ମାଝୀ ,ରମାକାନ୍ତ ମଲିକ, ତ୍ରିନାଥ ମଲ୍ଲିକ, ଦିଲୀପ ମଲ୍ଲିକ, ନିରଞ୍ଜନ ମଲ୍ଲିକ, ମୟକ ମଲ୍ଲିକ, ରନାଲ ମଲ୍ଲିକ, ପ୍ରେମିକ ମଲ୍ଲିକ, ବିରେନ୍ଦ୍ର ମଲ୍ଲିକ, ରବୀନ୍ଦ୍ର ମଲ୍ଲିକ, ଭୀମ ମଲ୍ଲିକ ଓ ବିଶ୍ୱନାଥ ପାଟମାଝୀ ପ୍ରମୁଖ ସାମିଲ ହୋଇଥିଲେ l