ହିଞ୍ଜିଳିକାଟୁ ବସଷ୍ଟାଣ୍ଡରେ ରୋଡ ରୋମିଓଙ୍କ ଉନ୍ନତ୍ତ କାଣ୍ଡ…

ହିଞ୍ଜିଳିକାଟୁ(ସଂସ୍କାର ପଟ୍ଟନାୟକ): ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ନୁତନ ବସ ଟର୍ମିନାଲ ପରିସରରେ ରୋଡ ରୋମିଓଙ୍କ ଉତ୍ପାତ l କଲେଜ ଛାତ୍ରୀଙ୍କୁ କମେଣ୍ଟ ମାରିବା ସହ ବାଇକ ଚଳାଇ ବିକଟାଳ ଶବ୍ଦ କରି ବସଷ୍ଟାଣ୍ଡ ପରିସରରେ ଘୁରି ବୁଲିବା ଏକ ନିତିଦିନିଆ ଘଟଣାରେ ପରିଣତ ହୋଇଛି। ମଙ୍ଗଳବାର ହିଞ୍ଜିଳିକାଟୁ ବସଷ୍ଟାଣ୍ଡ ପରିସରରେ ୬ ଜଣ ଯୁବକ ଦୁଇଟି ବାଇକରେ ବସଷ୍ଟାଣ୍ଡ ପରିସରରେ କ୍ଷିପ୍ର ଗତିରେ ବିକଟାଳ ଶବ୍ଦ କରି ଲଗାତାର ଛାତ୍ରୀଙ୍କୁ କମେଣ୍ଟ କରି ଘୁରି ବୁଲିବା ବେଳେ ଆସିକା ପଟୁ ଏକ ବସ ଟର୍ମିନାଲ ପରିସରରେ ପ୍ରଵେଶ କରିଥିଲା ‌। ଉକ୍ତ ବାଇକ ଭାରସାମ୍ୟ ହରାଇ ଓଲଟି ପଡିଥିଲା ଫଳରେ ଘଟଣାସ୍ଥଳରେ ସମସ୍ତ ଜନସାଧାରଣଙ୍କ ସମେତ ଛାତ୍ରଛାତ୍ରୀମାନେ ହସିଥିଲେ । ଏହାକୁ ଦେଖି ଜୈନିକ ରୋମିଓ ଅଟୋ ଚାଳକକୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମାରପିଟ କରିଥିଲେ l ଏହାକୁ ବିରୋଧ କରି ଦେଖଣାହାରୀ ରୋମିଓଙ୍କୁ ବହେ ଛେଚିଲେ ଓ ପୁଲିସରେ ଜିମା ଦେଲେ ।ଜଣେ ରୋମିଓ ଛେଚା ଖାଈବା ଦେଖି ଅନ୍ୟମାନେ ଚମ୍ପଟ ମାରିଥିଲେ‌ । ଘଣ୍ଟାଏ ପରେ ୧୦ ରୁ ୧୫ ଜଣ ପୁଣି ବସଷ୍ଟାଣ୍ଡ ପରିସରରେ ଆତଙ୍କିରାଜ ଖେଳାଇ ଥିଲେ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ହିଞ୍ଜିଳିକାଟୁ ସହରରେ । ଯାହାକୁ ନେଇ ସାଧାରଣରେ ଉତ୍ତେଜନା ପ୍ରକାଶ ପାଇଛି । ସୁଚନା ଅନୁସାରେ ହିଞ୍ଜିଳିକାଟୁରେ ଦିନକୁ ଦିନ ବଢ଼ିଚାଲିଛି ଅସାମାଜିକ ଯୁବକ ତଥା ରୋଡ ରୋମିଓ ଏବଂ ବାଇକ ଚାଳକଙ୍କ ପ୍ରାଦୁର୍ଭାବ । ଉକ୍ତ ଯୁବକମାନେ ବିଶେଷ କରି ଘରୋଇ ଟ୍ୟୁସନ ପାଇଁ ଆସୁଥିବା ନାବାଳିକା ଛାତ୍ରୀମାନଙ୍କୁ ଟାର୍ଗେଟ କରୁଛନ୍ତି । ଏମାନେ ସହରର ବସଷ୍ଟାଣ୍ଡ ପରିସର, ପାଟଣା ସାହି, ତଳ ରେଗିଡି ସାହି, କଲେଜ ଛକ, ଆଦି ଅଞ୍ଚଳରେ ଆତଙ୍କରାଜ ମଚାଉଛନ୍ତି । ଉକ୍ତ ଅଞ୍ଚଳରେ ଏକାଧିକ ଘରୋଇ ଟ୍ୟୁସନ ଥିବା ଯୋଗୁଁ ଅସାମାଜିକ ଯୁବକଙ୍କ ଆଡ୍ଡା ସ୍ଥଳି ପାଲଟିଛି ଉକ୍ତ ଅଞ୍ଚଳ। ପ୍ରତିଦିନ ସକାଳ ଓ ସନ୍ଧ୍ୟାରେ ଟ୍ୟୁସନ ଛୁଟି ହେବା ସମୟରେ ପଇଁତରା ମାରନ୍ତି ଏହି ଯୁବକମାନେ । ଏପରିକି ଏମାନେ ବାଇକ ଷ୍ଟଣ୍ଟ ମଧ୍ୟ ଦେଖାଇବାକୁ ପଛାନ୍ତି ନାହିଁ । ବିକଟାଳ ଶବ୍ଦରେ ଦୃତ ଗତିରେ ବାଇକ ଚାଳନା କରୁଛନ୍ତି । ଫଳରେ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି । ନାବାଳିକା ଛାତ୍ରୀମାନଙ୍କୁ ପିଛା କରିବା ସହ ସେମାନଙ୍କ ସମ୍ମୁଖରେ କ୍ଷିପ୍ର ଗତିରେ ବାଇକ ଚାଳନା କରୁଛନ୍ତି । ତେବେ ଲୋକ ଲଜ୍ୟା ଭୟରେ ଛାତ୍ରୀମାନେ ଉକ୍ତ ଘଟଣା ପରିବାରବର୍ଗଙ୍କୁ କହୁନଥିବା ବେଳେ ପୁଲିସ ନିକଟରେ ଅଭିଯୋଗ କରୁନାହାନ୍ତି । ହିଞ୍ଜିଳିକାଟୁ ସହରାଞ୍ଚଳ ବାସୀଙ୍କ ପାଇଁ ଏହା ନିତିଦିନର ଘଟଣା ପାଲଟିଗଲାଣି l ତେଵେ ଆଶ୍ଚର୍ଯ୍ୟର କଥା ଉକ୍ତ ବାଇକ ଚାଳକ ଙ୍କ ମଧ୍ୟରେ ୯୦ ପ୍ରତିଶତ ନାବାଳକ, ଲାଇସେନ୍ସ ବିହୀନ, ଅପାଠୁଆ ଓ ଅସାମାଜିକ ବ୍ୟକ୍ତି । ଆଜିର ସମୟରେ ଯଦି ଜଣେ ଯୁବତୀ ଅବା ଛାତ୍ରୀ ନିର୍ଭୟରେ ଟ୍ୟୁସନରୁ ନିଜ ଘରକୁ ଯାଇପାରିବନି ତେବେ ଆମ ବ୍ୟବସ୍ଥାକୁ ସୁଧାରିବା ଅପରିହାର୍ଯ୍ୟ ହୋଇପଡିଛି । ଏ ଦିଗରେ ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣ ରେ ଦାଵି ହୋଇଛି ।