ନାଳ ପାଣିରେ ମେଣ୍ଟୁଛି ତୃଷା, ଶୁଦ୍ଧ ପାନୀୟ ଜଳ ପାଇଁ ଦାବୀ କଲେ ଭୂଇଁ ପାଣି ଗ୍ରାମ ବାସୀ….

ନୁଆପଡା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକର ନାଗ ପଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଭୂଇଁ ପାଣି ଗ୍ରାମର ବରପଦର ଏକ ପଡ଼ା ଗ୍ରାମ । ବୋଡ଼େନ ଠାରୁ ୨୫ କିଲୋମିଟର ଜଙ୍ଗଲ ରାସ୍ତାରେ ଗଲେ ପଡ଼େ ବର ପଦର ଗାଆଁ । ଏହି ଗାଁରେ ରହନ୍ତି ୨୮ଟି ଆଦିବାସୀ ପରିବାର । ସମସ୍ତଙ୍କ ଚାଳ କୁଡିଆ ଘର । କୁଲି ମଜୁରୀ କରି ସମସ୍ତେ ପେଟ ପୋଷନ୍ତି । ଗାଁରେ ପାନୀୟ ଜଳର ଉତ୍କଟ ସମସ୍ୟା । ଖରା ମାସରେ ସବୁଆଡେ ପାନୀୟ ଜଳ ସମସ୍ୟା ହୋଇଥିବା କଥା ଆମେ ଜାଣୁ । ବର ପଦର ଗାଆଁ ରେ କିନ୍ତୁ ବର୍ଷ ତମାମ ପାଣି ସମସ୍ୟା । ଗାଁରେ ଦୁଇଟି ନଳକୂପ ଅଛି । କିନ୍ତୁ ଏହାର ପାଣି ପାନୀୟ ଉପଯୋଗୀ ନୁହଁ। ପାଣିର ରଙ୍ଗ କିଛି ସମୟ ପରେ ନାଲି ପାଲଟି ଯାଏ । ଏପରିକି ପିନ୍ଧିଥିବା ବସ୍ତ୍ରରେ ଲାଗିଲେ ବସ୍ତ୍ରର ରଙ୍ଗ ନାଲି ହୋଇଯାଏ। ଗ୍ରାମବାସୀ ବାଧ୍ୟ ହୋଇ ନିକଟସ୍ଥ ଏକ ନାଳର ପାଣି ବ୍ୟବହାର କରନ୍ତି ଏହି ନାଳଟି ଜଙ୍ଗଲ ଭିତରେ ଆସିଥିବା ବେଳେ ଅନେକ ଦୂଷିତ ପଦାର୍ଥ ସଂସ୍ପର୍ଶରେ ଆସୁଛି। ଯାହା ଲୋକଙ୍କ ସ୍ବାସ୍ଥ୍ୟ ପକ୍ଷେ କ୍ଷତିକାରକ ଅଟେ । ବର୍ତ୍ତମାନ ବର୍ଷା ଋତୁ ଚାଲୁ ଥିବାରୁ ଏହି ପାଣି ପିଇବା ଦ୍ଵାରା ଡାଇରିଆ ହେବାର ସମ୍ଭାବନା ରହିଛି । ତଥାପି କୌଣସି ବିକଳ୍ପ ନଥିବାରୁ ଲୋକେ ଏହି ନାଳ ପାଣିକୁ ପାନୀୟ ଜଳ ଭାବରେ ବ୍ୟବହାର କରୁଛନ୍ତି । ତେଣୁ ଅତିଶିଘ୍ର ପାଇପ ଯୋଗେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଏନେଇ ବୋଡ଼େନ ବିଡ଼ିଓ ପ୍ରିୟରଞ୍ଜନ କୁମାରଙ୍କୁ ପଚାରିବାରୁ ନଳକୂପ ପାଣିର ମାନ ପରୀକ୍ଷା କରି ପାନୀୟ ଉପଯୋଗୀ କରାଯିବ ଓ ନିୟମ ଅନୁସାରେ ପାଇପ ଯୋଗେ ପାଣି ଯୋଗାଣର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ।