ନୂଆପଡ଼ା(ବିରବଲ ପ୍ରଧାନ ): ନୂଆପଡ଼ା ଜିଲ୍ଲାରେ ୮ ବର୍ଷରୁ ଉର୍ଦ୍ଧ ହେବ ଭିନ୍ନକ୍ଷମ ପ୍ରମାଣପତ୍ର ମିଳୁ ନ ଥିବାରୁ ହିତାଧୂକାରୀ ଚାକିରି, ଭତ୍ତା, ଲୋନ ଇତ୍ୟାଦି ପାଇଁ ଆବେଦନ କରି ନ ପାରି ହଇରାଣ ହେଉଥିବା ଅଭିଯୋଗ । ଆସନ୍ତା ୬ତାରିଖ ସୁଦ୍ଧା ପ୍ରମାଣପତ୍ର ନ ମିଳିଲେ ୯ରେ ଜିଲାପାଳଙ୍କ କାର୍ଯ୍ୟାଳୟ ଘରାଉ କରାଯିବ ବୋଲି ବିଭିନ୍ନ ସଂଘ କର୍ମକର୍ତ୍ତା ଓ ଭିନ୍ନକ୍ଷମମାନେ ସୂଚନା ଦେଇଛନ୍ତି । ଏହି ମର୍ମରେ ସେମାନେ ବୁଧବାର ଅତିରିକ୍ତ ଜିଲାପାଳ ସୁବାସ ଚନ୍ଦ୍ର ରଏତଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସୂଚନା ମୁତାବକ ୨୦୧୭ ମସିହାଠାରୁ ଜିଲାରେ ଭିନ୍ନକ୍ଷମ ପ୍ରମାଣ ପତ୍ର ଦିଆ ଯାଉ ନ ଥିବାବେଳେ ନୂତନ ଭାବରେ ଆବେଦନ କରୁଥିବା ଆବେଦନକାରୀଙ୍କ ଫର୍ମ ମଧ୍ଯ ଚାପିହୋଇ ରହୁଛି । ୨୦୨୪ ଏପ୍ରିଲ ପର୍ଯ୍ୟନ୍ତ ୨ ହଜାରରୁ ଉର୍ଦ୍ଦ ଆବେଦନକାରୀଙ୍କ ଫର୍ମ ସ୍ଥଗିତ ରହିଛି । ଜିଲା ସାମାଜିକ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଭିନ୍ନକ୍ଷମମାନେ ଆସି ନିରାଶ ହୋଇ ଫେରୁଛନ୍ତି । ଆସନ୍ତା ୬ରେ ଏକ ସ୍ବାସ୍ଥ୍ୟ ଶିବିର ଜିଲା ମୁଖ୍ୟାଳୟରେ ରହିଛି । ସେହିଦିନ ଭିନ୍ନକ୍ଷମଙ୍କୁ ପ୍ରମାଣପତ୍ର ନ ଦେଲେ ୯ରେ ଜିଲାପାଳ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ପ୍ରସ୍ତୁତ ହେଉଥିବା ଦର୍ଶାଇଛନ୍ତି I ଅତିରିକ୍ତ ଜିଲାପାଳ ରଏତ ଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି I ଏ ସମ୍ପର୍କରେ ସାମାଜିକ ସୁରକ୍ଷା ଅଧିକାରୀ ଅନନ୍ତ କୁମାର ହେମ୍ବ୍ରମଙ୍କୁ ପଚାରିବାରୁ ୨୦୧୭ ଠାରୁ ସବୁ ଅବେଦନ ଫର୍ମ ପୋର୍ଟାଲରେ ରହିଯାଇଛି । ସେହିସବୁ ଚିକିତ୍ସାଳୟରୁ ମଞ୍ଜୁରି ହୋଇ ଆସି ନାହିଁ l ବର୍ତ୍ତମାନ ଯେତେ ପ୍ରୋସେସରେ ଅଛି ଶୀଘ୍ର କରିଦିଆଯିବ ବୋଲି କହିଛନ୍ତି । ଦାବିପତ୍ର ଦେବା ସମୟରେ ଜିଲା କିଷାନ ସଂଘ ଆବାହକ ଭକ୍ତବନ୍ଧୁ ଧରୁଆ, ଦିଲିପ ରାଉତ, ରମେଶ ମାଝି, ପବନ କୁମାର ମାଝି, ଦିନେଶ ମାଝି ଉପସ୍ଥିତ ଥିଲେ।