ତରବରିଆ ଭାବେ ଉଦ୍ଘାଟିତ ହୋଇଥିବା ତାକୁଡା ବିଦ୍ୟୁତ୍ ସବଷ୍ଟେସନର ପୂର୍ଣ୍ଣ କାର୍ଯ୍ୟକ୍ଷମ ପାଇଁ ଦାବୀ….

ନୟାଗଡ଼(ରତ୍ନାକର ହୋତା): ଆଦିବାସୀ ଅଧ୍ୟୁଷିତ ଦଶପଲ୍ଲା ପଶ୍ଚିମାଞ୍ଚଳରେ ବିକାଶ ଧାରାରେ ଯୋଡ଼ି ହୋଇଛି ୩୩/୧୧ କେଭି ଇଲେକ୍ଟ୍ରି ସବଷ୍ଟେସନ । ଆଦିବାସୀ ଅଞ୍ଚଳ ଦଶପଲ୍ଲା ବ୍ଲକର ପଶ୍ଚିମାଞ୍ଚଳ ଭାବରେ ପରିଚିତ ୭ ଗୋଟି ପଞ୍ଚାୟତରେ ଦୀର୍ଘଦିନ ହେବ ବିଜୁଳି ସମସ୍ୟା ଉପୁଜୁଥିଲା । ଏହି ସମସ୍ୟା କୁ ଦୃଷ୍ଟିରେରଖି ଦଶପଲ୍ଲାର ପୂର୍ବତନ ବିଧାୟକ ତଥା ବର୍ତ୍ତମାନର ବିଜେପି ନେତା ପୁର୍ଣ୍ଣଚନ୍ଦ୍ର ନାୟକ ତାଙ୍କ କାର୍ଯ୍ୟକାଳ ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହାପରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଆଦିବାସୀ ବହୁଳ ୭ ଗୋଟି ପଞ୍ଚାୟତ ପାଇଁ ୩୩/୧୧ କେଭିର ସବ୍ ଷ୍ଟେସନ କରିବା ପାଇଁ ଅର୍ଥମଞ୍ଜୁର କରିଥିଲେ । ବିଗତ ଦିନରେ ଦଶପଲ୍ଲା ବିଧାୟକ ରମେଶ ବେହେରାଙ୍କ ପୈରହିତ୍ୟରେ ମୁଖ୍ୟଅତିଥି ରୂପେ ତତକାଳିନ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବ ଆନୁଷ୍ଠାନିକ ଭାବରେ କୁଲୁରୁକୁମ୍ପା ପଞ୍ଚାୟତ ଅନ୍ତର୍ଗତ ତାକୁଡ଼ାଠାରେ ନିର୍ମାଣ ହୋଇଥିବା ୩୩/୧୧ କେଭି ସବଷ୍ଟେସନକୁ ଉଦ୍ଘାଟନ କରିଥିଲେ । ହେଲେ ଅଦ୍ୟାବଧି ସବ୍ ଷ୍ଟେସନଟି ସଂପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନାହିଁ l ଏହି ସବ ଷ୍ଟେଟନ ଆଂଶିକ ଭାବରେ କାର୍ଯ୍ୟକ୍ଷମ ହୋଇଥିବାରୁ , ସାତଗୋଟି ଆଦିବାସୀ ଅଧ୍ୟୁଷିତ ଅଂଚଳର ବିଦ୍ୟୁତ୍ ଉପଭୋକ୍ତାମାନେ ନାହିଁ ନ ଥିବା ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସର୍ବସାଧାରଣରେ ଦାବି ହେଉଛି ।