ବର୍ଷେ ନ ପୂରୁଣୁ ସୁନ୍ଦର ନାଳ ରାସ୍ତାର ଅବସ୍ଥା ସାଙ୍ଘାତିକ, ନିମ୍ନ ମାନର କାମ ଅଭିଯୋଗ….

ନୁଆପଡ଼ା(ବିରବଲ ପ୍ରଧାନ): ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ବୁଦ୍ଧିକୋମନା ପଂଚାୟତର ଡୋଙ୍ଗରିପାଲିରୁ ବୁଦ୍ଧିକୋମନା ରାସ୍ତା ସୁନ୍ଦର ନାଳ ଉପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତରଫରୁ ଟ ୩,୧୫,୯୪,୮୮୮.୦୦ (ତିନି କୋଟି ପନ୍ଦର ଲକ୍ଷ ଚଉରାନବେ ହଜାର ଆଠଶହ ଅଠାଅସି)ଟଙ୍କା ବ୍ୟୟ ଅଟକଳରେ ବିଜୁ ସେତୁ ଯୋଜନାରେ ସେତୁ ନିର୍ମାଣ ହୋଇଛି l ଠିକାଦାର ଡେମନ୍ତି ଅଗ୍ରୱାଲ ଏହି ସେତୁ ନିର୍ମାଣ କାର୍ଯ୍ୟ କରିଥିଲେ l ହେଲେ ଏହି କାର୍ଯ୍ୟ ନାମ ଫଳକ ଅନୁସାରେ ୨୬-୧୨-୨୦୨୧ରେ ଆରମ୍ଭ ହୋଇ ୨୮-୧୨-୨୦୨୨ରେ ଶେଷ ହୋଇ ଥିଲା l ହେଲେ ଗାଁ ଲୋକଙ୍କ କହିବା ଅନୁସାରେ କାମ ସମ୍ପୂର୍ଣ ହେବାର ଛଅ ମାସ ହୋଇ ନାହିଁ କିନ୍ତୁ ପୋଲର ଉଭୟ ପାର୍ଶ୍ଵ ରାସ୍ତା ଦବି ଯାଇ ବିପଦ ସଂକୁଳ ଅବସ୍ଥାରେ ଅଛି l ଆବଶ୍ୟକ ପରିମାଣରୁ କମ ପରିମାଣ ମେଟାଲ, ଚିପସ, ପିଚୁ ଓ ନିମ୍ନ ମାନର ମେଟାଲ, ଚିପସ ଯୋଗୁଁ ଅଳ୍ପ ଦିନ ମଧ୍ୟ୍ୟରେ ରାସ୍ତା ଅବସ୍ଥା ଏଭଳି ହେବା ଅଭିଯୋଗ କରିଛନ୍ତି ଅଞ୍ଚଳ ବାସୀ l ଅପର ପକ୍ଷେ ନାଳର ଉଭୟ ପାର୍ଶ୍ୱରେ ଉଚ୍ଚ ଗାର୍ଡୱାଲ ତିଆରି ହୋଇ ମୋରମ ପକାଇବା ସହ ପଥର ପ୍ୟାଚେଙ୍ଗୀ ହେବାକଥା l କିନ୍ତୁ ତାହା ହୋଇ ନାହିଁ l ଗାର୍ଡୱାଲ ତିଆରି ନ କରି ସିଧାସଳଖ ମାଟି ପକାଇ ଦିଆଯାଇଛି l ଯାହା ଦ୍ୱାରା ବର୍ଷା ପାଣିରେ ଧୋଇ ହୋଇ ଯାଉଛି ମାଟି l ବଡ଼ ଧରଣର ନଈ ବଢ଼ି ଆସିଲେ ନାଳର ଉଭୟ ପାର୍ଶ୍ଵର ମାଟି ଧୋଇ ହୋଇ ଯିବ l ଦବି ଯାଇଥିବା ରାସ୍ତାର ମରାମତି, ନାଳର ଉଭୟ ପାର୍ଶ୍ଵରେ ପଡ଼ିଥିବା ମାଟି ଉପରେ ପଥର ପ୍ୟାଚିଂ କରିବାପାଇଁ ଗାଁର ଲୋକନାଥ ସିନ୍ଦୁର, ମୁଣ୍ଟୁ ନାଏକ, ପ୍ରେମାନନ୍ଦ ନାଏକ, ଚୈତନ୍ୟ ହାତୀ, ମୋହନ ଟାଣି, ଶିବୁ ପ୍ରଧାନୀ, ଆକାଶ ଠେଲା, ସୁଦାମ ଛତ୍ରିଆ ଓ ଅନ୍ୟାନ୍ୟ ମାନେ ଦାବି କରିଛନ୍ତି l ଏନେଇ ଠିକାଦାର ଡେମନ୍ତି ଅଗ୍ରୱାଲଙ୍କୁ ପଚାରିବାରୁ ବର୍ଷା ଦିନ ସେଥିପାଇଁ ରାସ୍ତା ଦବିଯାଉଛି, କାମ ସମ୍ପୂର୍ଣ ହୋଇ ନାହିଁ l ନାଳର ଉଭୟ ପାର୍ଶ୍ଵରେ ପଥର ପ୍ୟାଚିଙ୍ଗ କରାଯିବ l କାମର ଶେଷ ବିଲ ହୋଇ ନାହିଁ ବୋଲି ପ୍ରତିକ୍ରିୟାରେ କହିଥିଲେ l ଏନେଇ ବିଭାଗୀୟ ଯନ୍ତ୍ରୀ ରଂଜିତ ସୋରେନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିବା ସମ୍ଭବ ହୋଇ ପାରି ନ ଥିଲା l ସୂଚନା ଯୋଗ୍ୟ ଯେ ସ୍କୁଲ, କଲେଜ, ପଂଚାୟତ କାର୍ଯ୍ୟାଳୟ ଠାରୁ ଆରମ୍ଭ କରି ଜିଲ୍ଲା କାର୍ଯ୍ୟଲୟକୁ ଯିବାକୁ ହେଲେ ଡୋଙ୍ଗରିପାଲି, କାମକେଡ଼ା, ସାଲେଭଟା, କାଳିମାଟି ଲାହୋଣ୍ଡୋପାଲି, ଠୂଟିବର, ଗନିଆପଡା ଗାଁର ଲୋକେ ଏ ରାସ୍ତା ଉପରେ ନିର୍ଭର କରି ଥାନ୍ତି l ତେଣୁ ଜିଲ୍ଲା ପ୍ରଶାସନ ତୁରନ୍ତ ଏଦିଗରେ ବିହିତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସୀନ୍ଧା ।