ଭଞ୍ଜନଗର(ନିଲୁ ବିଷୋୟୀ): ବଡ଼କୋଦଣ୍ଡା ଠାରୁ ଭଞ୍ଜନଗର ସହରକୁ ସଂଯୋଗ କରୁଥିବା ରାସ୍ତା ମରଣଯନ୍ତା ପାଲଟିଛି । ରକ୍ଷଣା ବେକ୍ଷଣ ଅଭାବରୁ ଦୁଇ ବର୍ଷରୁ ଉର୍ଦ୍ଧ ହେବ ରାସ୍ତାର ବିଭିନ୍ନ ସ୍ଥାନରେ ପିଚୁ, ପଥର ମେଟଲ ଉଠି ଖାଲ ଖମା ହୋଇ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି । ସାମାନ୍ୟ ବର୍ଷା ହେଲେ ରାସ୍ତାର ଖାଲଖମାମାନଙ୍କରେ ପାଣି ଜମି ରହୁଛି । ବିଭିନ୍ନ ସମୟରେ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଧନ ଜୀବନ ନଷ୍ଟ ହେଉଥିବା ନଜିରୀ ରହିଛି । ୩ କିମିରୁ ଉର୍ଦ୍ଧ୍ବ ଏହି ରାସ୍ତା ବର୍ତ୍ତମାନ ମରଣଯନ୍ତା ପାଲଟି ଥିବାରୁ ଅଞ୍ଚଳର ଲୋକେ ଯିବା ଆସିବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇ ଦୁର୍ଦ୍ଦଶା ଭୋଗୁଛନ୍ତି । ଏହି ରାସ୍ତା ଉପରେ ବଡ଼କୋଦଣ୍ଡା, ସାନକୋଦଣ୍ଡା, ଡୁମାକୂମ୍ପା ପଞ୍ଚାୟତର ଜନସାଧାରଣ ନିର୍ଭରଶୀଳ ଅଟନ୍ତି । ଏଥି ସହିତ ଉପାନ୍ତ ଡ଼ହ, ବାଇବାଲି ଓ କନ୍ଧମାଳ ଜିଲ୍ଲାକୁ ଏହି ରାସ୍ତା ସଂଯୋଗ କରୁଥିବା ବେଳେ ରାସ୍ତା ସମ୍ପୂର୍ଣ୍ଣ ପରିତ୍ୟକ୍ତ ଅବସ୍ଥାରେ ରହିଛି । ଏହି ଅଞ୍ଚଳର ଲୋକେ ସ୍ଵାସ୍ଥ୍ୟ, ଶିକ୍ଷା, ବାଣିଜ୍ୟ ବ୍ୟବସାୟ ଏବଂ ବିଭିନ୍ନ କାର୍ଯ୍ୟ ନିମନ୍ତେ ପ୍ରତ୍ୟେକ ଦିନ ଭଞ୍ଜନଗର ଉପରେ ନିର୍ଭରଶୀଳ । ଅଞ୍ଚଳର ଗର୍ଭବତୀ ମହିଳାଙ୍କୁ କିମ୍ବା ଅକସ୍ମାତ୍ କାହାର ଦୁର୍ଘଟଣା ଘଟିଲେ ଏଭଳି ଶୋଚନୀୟ ରାସ୍ତାରେ ରୋଗୀଙ୍କୁ ମେଡ଼ିକାଲ ନେବାରେ ବିଳମ୍ବ ହେଉଛି । ରାସ୍ତାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ତୁରନ୍ତ ନୂତନ ରାସ୍ତା ନିର୍ମାଣ କିମ୍ବା ମରାମତି କରିବାକୁ ସାଧାରଣରେ ଦାବି ହୋଇଛି ।