ସାନ୍ଦୁଲ ସେତୁ ନିର୍ମାଣ ପାଇଁ ଆସି ଥିବା ସରକାରୀ ଅନୁଦାନରୁ ତିରିଶ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଦୁରୁପଯୋଗ ହୋଇଥିବା ଅଭିଯୋଗ, ତଦନ୍ତ ଦାବି କଲେ ଅଞ୍ଚଳ ବାସୀ…
କଳାହାଣ୍ଡି(ନୃପରାଜ ସାହୁ): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଛତିକୁଡ଼ା ଠାରୁ ନର୍ଲାକୁ ସଂଯୋଗ କରୁଥିବା ୬ ନମ୍ବର ରାଜ୍ୟ ରାଜପଥ ବେହେରାପାଟି ନିକଟସ୍ଥ ସାନ୍ଦୂଲ୍ ସେତୁ ନିର୍ମାଣ ପାଇଁ ପାଖାପାଖି ତିରିଶ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ଡ଼ାଇଭର୍ଶନ ରୋଡ ଏବଂ କଲଭଟ ଅତି ତରବରିଆ ଭାବରେ ୨୦୨୩ ମସିହା ନଭେମ୍ବର ମାସରେ ନିର୍ମାଣ କରାଯାଇଥିଲା l ପୋଲ ନିର୍ମାଣ ପାଇଁ ରାଜ୍ୟ ସରକାର ୨୦୨୨ -୨୩ ଆର୍ଥିକ ବର୍ଷରେ ଅନୁଦାନ ପ୍ରଦାନ କରିଥିଲେ ହେଁ ଆଜି ପର୍ଯ୍ୟନ୍ତ ବିଭାଗ ନିର୍ମାଣ କାମ ସାରିବା ପାଇଁ ଜମାରୁ ନାଁ ଧରୁନାହିଁ l କିନ୍ତୁ ବିଗତବର୍ଷ ଅତ୍ୟନ୍ତ ଦାୟିତ୍ୱ ହୀନ ଭାବରେ ସାନ୍ଦୂଲ୍ ନଦୀଠାରେ କେସିଙ୍ଗାର ଏକ ଠିକା ସଂସ୍ଥା ଡାଇଭର୍ଶନ ରୋଡ ଓ କଲଭଟ୍ ଅତି ନିମ୍ନ ମାନର ନିର୍ମାଣ କରି ୩୦ ଲକ୍ଷରୁ ଉର୍ଦ୍ଧ ସରକାରୀ ଅର୍ଥ ଅପ ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି l ଅନ୍ୟପଟେ ବିଭାଗୀୟ ଅଧିକାରୀମାନଙ୍କୁ ପଚାରିଲେ ତାର ମେପ୍ ଓ ଡ୍ରଇଂ ଆସିନାହିଁ ବୋଲି ଉତ୍ତର ରଖୁଛନ୍ତି l ତାହେଲେ ଲକ୍ଷ ଲକ୍ଷ ଟଙ୍କାର ଦାଇଭର୍ଶନ ରୋଡ ଓ କଲ୍ଭର୍ଟ କାହା ସ୍ୱାର୍ଥରେ ନିର୍ମାଣ କରାଗଲା ବୋଲି ସାଧାରଣରେ ପ୍ରଶ୍ନ ଉଠିଛି l ବର୍ତ୍ତମାନ ଚଳିତ ବର୍ଷ ଜୁଲାଇ ମାସ ଶେଷ ସପ୍ତାହରେ ଲଘୁଚାପ ଜନିତ ବର୍ଷାରେ ନଦୀ ଗର୍ଭରେ ଲକ୍ଷ ଲକ୍ଷ ଟଙ୍କାର ରୋଡ ବିଲୀନ ହୋଇଯାଇଛି l ତେବେ ଏତେ ଗୁଡ଼ିଏ ରାଜସ୍ବ ହାନି ପାଇଁ କେଉଁ ଅଧିକାରୀ ଦାୟୀ ରହିବେ ତାହା ଏବେ ବଡ଼ ପ୍ରଶ୍ନ ଏବଂ ମୁଖ୍ୟ ରାସ୍ତାକୁ ଲାଗି ବ୍ରିଜର ତଳ ପଟୁ କୋଡିଏରୁ ତିରିଶ ଫୁଟ ଗାଢ଼ରେ ବେଆଇନ ଭାବରେ ମାଟିଉଠାଇ ନେଇ ଥିବାରୁ ରାସ୍ତାଟି ଅତ୍ୟନ୍ତ ବିପଦ ପୂର୍ଣ୍ଣ ଭାବରେ ପଡିରହିଛି l ଖାଲି ସେତିକ ନୁହେଁ ବ୍ରିଜ ଓ ରୋଡ଼କୁ ସୁରକ୍ଷ୍ୟା ଯୋଗାଉ ଥିବା, ହାରା ହାରି ଅଶି ଲକ୍ଷରୁ ଉର୍ଦ୍ଧ ଟଙ୍କାର ଗାର୍ଡ ୱାଲକୁ ମଧ୍ୟ ଭାଙ୍ଗି ଦିଆଯାଇଛି l ଏଣୁ ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯାଇ ସରକାରୀ ଅର୍ଥ ଅପ ବ୍ୟବହାର କରିଥିବା ଅଧିକାରୀ ଓ ଠିକା ସଂସ୍ଥାଙ୍କ ବିରୋଧରେ ବିଭାଗୀୟ ମନ୍ତ୍ରୀ ଓ ଜିଲ୍ଲାପାଳ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ସାଧାରଣରେ ଦାବି ହେଉଛି l