ଦାରିଙ୍ଗବାଡିରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ମିଳିତ ଜନ ଶୁଣାଣି ଅନୁଷ୍ଠିତ….

ଦାରିଙ୍ଗବାଡି( ଆଶୋକ ସିଂ ): କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ବର ପାଟିଲ ଓ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର ପାତ୍ରଙ୍କ ମିଳିତ ଜନ ଶୁଣାଣି କାର୍ଯକ୍ରମ ସୋମବାର ଦିନ ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ସଭାଗୃହ ଠାରେ ଅନୁଷ୍ଠିତ ହୋଇଯାଇଛି । ମୋଟ ୧୨୭ଟି ଅଭିଯୋଗ ମଧ୍ୟରେ ୫୮ଟି ସାମୁହିକ ଓ ୬୯ଟି ବ୍ୟକ୍ତିଗତ ସମସ୍ଯା ରହିଲା । ଅଭିଯୋଗ ଶୁଣାଣି କରି ବିଭାଗୀୟ ଅଧିକାରୀଙ୍କୁ ସମସ୍ୟାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବିଶେଷକରି ରାସ୍ତା , ମୋବାଇଲ ଟାୱାର ସ୍ଥାପନ ଓ କାର୍ଯ୍ୟକ୍ଷମ, ଜମିଜମା ସଂକ୍ରାନ୍ତୀୟ ଅଭିଯୋଗ ସହିତ ଜଙ୍ଗଲଜମି ବିବାଦ, ଭୂନିହୀନଙ୍କୁ ଜମି ପଟ୍ଟା ଯୋଗାଇ ଦିଆଯାଇଥିଲେ ମଧ୍ୟ ଜମିଯୋଗାଇ ଦିଆଯାଇ ନ ଥିବା, ଆବାସ ଯୋଜନାରୁ ବଞ୍ଚିତ ଥିବା, ବିଦ୍ୟାଳୟରେ ଶିକ୍ଷକ ଅଭାବ, ବିଦ୍ୟାଳୟର ଭିତ୍ତି ଭୂମି ଅଭାବ ଆଦି ସମସ୍ୟାର ସମାଧାନ ପାଇଁଙ୍କ ବିଭିନ୍ନ ଅଞ୍ଚଳରୁ ଅଭିଯୋଗ ହୋଇଥିଲା । ବ୍ରାହ୍ମଣୀଗାଁ ବ୍ଲକ୍ ଘୋଷଣା ଓ ଅତିରିକ୍ତ ତହସିଲଦାରଙ୍କୁ ନିଯୁକ୍ତି ନିମନ୍ତେ ଅଭିଯୋଗ ପ୍ରଦାନ, କୁମ୍ଭାରୀ ଗାଁ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ଜିରିକୁଆ ଜିରିହୋ ନଗରକୁ ରାସ୍ତା ସଂଯୋଗ, ତାଜୁଙ୍ଗିଆ ପଞ୍ଚାୟତ ପରିସରରେ ବଜାର ଗୃହ ଶୀଘ୍ର ସମ୍ପୂର୍ଣ ସହ ଜିଓ ନେଟ୍‌ଓ୍ୱାର୍କ ସ୍ଥାପନ, ସିଆଙ୍ଗବାଲି ପଞ୍ଚାୟତରେ ବର୍ଷେ ହେଲା ୱାର୍ଡ ସଭ୍ୟ/ ସଭ୍ୟାଙ୍କୁ ଭତ୍ତା ପ୍ରଦାନ ଆଦି ସାମୂହିକ ଅଭିଯୋଗ ରହିଥିଲା । ବ୍ୟକ୍ତିଗତ ଭାବେ ନୂତନ ରାସନ୍ କାର୍ଡ, ନାମ ସଂଯୋଗୀ କରଣ, ଘରବାରି ପଟ୍ଟା ପ୍ରଦାନ, ଭତ୍ତା, ଆବାସ ଯୋଜନାରେ ସାମିଲ ଭଳି ଅଭିଯୋଗ ରହିଥିଲା । ସରାମୁଳି ପଞ୍ଚାୟତରେ ଭୂମିହୀନଙ୍କୁ ଗତ ୨୫ ବର୍ଷ ହେଲା ଜମିପଟ୍ଟା ଯୋଗାଇ ଦିଆଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ଜମି ଯୋଗାଇ ଦିଆଯାଇନଥିବା ଅଭିଯୋଗ ହୋଇଥିଲା । ସେହିପରି ସିମନବାଡିର ଏସ. ସୁନୀଲ କୁମାର ସୁବୁଦ୍ଧି ଓ ଭାଇ ସୁଶୀଲ ଦୁହେଁ ନିଜ ଜମି ପଟ୍ଟା ଥାଇ ତାଙ୍କ ଜମିକୁ ଜଙ୍ଗଲଜମି ଭାବେ ଅନ୍ୟଜଣେ କବଜା କରି ଥିବାରୁ ନିଜ ଜମି ଫେରିପାଇବାକୁ ଜିଲ୍ଲା ପାଳଙ୍କୁ ଜଣାଇଥିଲେ । ଅଭିଯୋଗ ଶୁଣାଣିରେ ଜିଲ୍ଲା ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ରତ୍ନାକର ସାହୁ, ବିଡିଓ ଗଦାଧର ପାତ୍ର, ତହସିଲଦାର ଶରତ ଶବର, ସମିତି ଅଧ୍ୟକ୍ଷ ସୁଶାନ୍ତ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମାଦ ଷଡ଼ଙ୍ଗୀ, ବ୍ଳକ ଶିକ୍ଷା ଅଧିକାରୀ ହାଡ଼ିବନ୍ଧୁ ବେହେରା, ଜଳ ବିଭାଜିକା ପିଆଇଏ ହୃଷୀକେଶ ପ୍ରଧାନ, ଏସିଏଫ୍ ସତିଶ ଧାରୁଆ, ବ୍ରାହ୍ମଣୀଗାଁ ବନାଞ୍ଚଳ ଅଧିକାରୀ ହରିହର ବେହେରା, ଦାରିଙ୍ଗବାଡି ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।