ଆସାମାଜିକ, ଗଞ୍ଜୁଡ଼ିଆ, ରାସଲୀଳାକାରୀଙ୍କ ପାଇଁ ସେଫ ଜୋନ ହୋଇଛି ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅର୍ଦ୍ଧ ନିର୍ମିତ କୋଠା: ବାରମ୍ବାର ଦାବିସତ୍ୱେ ମଧ୍ୟ ପ୍ରଶାସନର ନିଘା ନାହିଁ, ଭୟଭୀତ ଅବସ୍ଥାରେ ସ୍ଥାନୀୟ ବାସିନ୍ଧା….
ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପରିଷରରେ କାର୍ଯ୍ୟରତ ଡାକ୍ତର କିମ୍ବା ଅଧିକାରୀ ରହିବା ନିମନ୍ତେ ଦୀର୍ଘ ୧୭ ବର୍ଷରୁ ଉର୍ଦ୍ଧ ହେବ ଷ୍ଟାଫ୍ କ୍ୱାଟର ଗୁଡ଼ିକ ନିର୍ମାଣାଧୀନ ଅବସ୍ଥାରେ ରହି ଥିବା ଦେଖାଦେଇଛି । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଉକ୍ତ କୋଠା ଗୁଡିକ ଦୀର୍ଘ ବର୍ଷ ହେବ ସମ୍ପୂର୍ଣ ହୋଇପାରିଲା ନାହିଁ । କୋଠା ନିର୍ମାଣ ଅସମ୍ପୁର୍ଣ୍ଣ ରହିବା କାରଣ ନେଇ ସାଧାରଣରେ ଚର୍ଚ୍ଚା ହେଉଥିବା ବେଳେ ବିଭାଗୀୟ ଯନ୍ତ୍ରୀ, ଠିକାଦାର ଓ ଅଧିକାରୀ ସୁପ୍ତ ଅବସ୍ଥାରେ ରହି ଥିବା ଦେଖାଦେଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀମାନଙ୍କୁ କୋଠା ନିର୍ମାଣ ସମ୍ପର୍କରେ ପଚାରିଲେ କେହି ଜାଣି ନ ଥିବା ଉତ୍ତର ମିଳୁଛି । ତେବେ ଅର୍ଦ୍ଧ ନିର୍ମିତ କୋଠା ଗୋଡ଼ିକ ମଧ୍ୟରୁ ଗୋଟିଏ କୋଠା ବ୍ଲକ ପ୍ରଶାସନ ପକ୍ଷରୁ ସମ୍ପୂର୍ଣ୍ଣ କରାଯାଉଛି କିନ୍ତୁ ଆଉ ୨ ଟି କୋଠା ବାକି ରହିଛି ।ଏହି ଦୁଇଟି କୋଠା ଏବେ ଅସାମାଜିକ ବ୍ୟକ୍ତିଙ୍କ ଆଡ୍ଡା ସ୍ଥଳ ପାଲଟିଛି । ଏହି କୋଠା ଗୁଡିକ ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ଓ ପୁଲିସ ଥାନା ଠାରୁ ପାଖାପାଖି 100 ମିଟର ଦୂରରେ ଥିଲେ ମଧ୍ୟରେ ଆସାମାଜିକ ବ୍ୟକ୍ତି କାହାକୁ ଖାତିର ନ କରୀ ବିଭିନ୍ନ ପ୍ରକାର ଆସାମାଜିକ କାର୍ଯ୍ୟ ଦିବାଲୋକରେ କରୁ ଥିବା ଅଂଚଳ ବାସୀ ଅଭିଯୋଗ କରିଛନ୍ତି l ପ୍ରତିଦିନ ଏହି କୋଠା ଗୁଡିକରେ ଅନୈତିକ କାର୍ଯ୍ୟ ହେଉଥିବା ବେଳେ ଗଞ୍ଜେଇ, ମଦ, ଜୁଆ ଭଳି ଅନୈତିକ କାର୍ଯ୍ୟ ସେଠାରେ ଚାଲିଥିବା ନେଇ ସାଧାରଣରେ ଆଲୋଚନା ହେଉଛି । ଏହି କୋଠା ଭିତରେ ବିଭିନ୍ନ ଆପତି ଜନକ ଜିନିଷ( ବ୍ୟବହୃତ କଣ୍ଡମ) ମଦ ବତଲ, ଗଞ୍ଜେଇ, ବିଡ଼ି, ସିଗାରେଟ, ଯୌନ ଉଦ୍ଦୀପକ ଔଷଧ ଓ ଅଳିଆ ଆବର୍ଜନାରେ ଭର୍ତ୍ତି ହୋଇ ଥିବା ଦେଖିବାକୁ ମିଳୁଛି । ତେବେ ସରକାର ଏହି କୋଠା ଗୁଡ଼ିକର ନିର୍ମାଣ କାମ ଲକ୍ଷ ଲକ୍ଷ ଟଙ୍କା ସରକାରୀ ଅନୁଦାନ ବ୍ୟୟରେ ଆରମ୍ଭ କଲେ ହେଲେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଲେନାହିଁ କି କାର୍ଯ୍ୟ ଉପଯୋଗୀ ହେଲା ନାହିଁ । ସେପଟେ ମେଡ଼ିକାଲ୍ ଷ୍ଟାଫ୍ ଅନ୍ୟତ୍ର ଭଡ଼ା ରହୁ ଥିବା ଯୋଗୁଁ ଅନେକ ସମୟରେ ସ୍ବାସ୍ଥ୍ୟ ସେବାରେ ମଧ୍ୟ ଅବହେଳା ହେଉଛି । କାରଣ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ବ୍ଲକ ଓ ସହର ନିମନ୍ତେ ମୁଖ୍ୟ ଚିକିତ୍ସାଳୟ I ଏହି ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ୫୦ ହଜାରରୁ ଅଧିକ ଲୋକ ନିର୍ଭର କରୁଛନ୍ତି । ତେବେ ଏହି କୋଠା ଗୁଡିକର ଚାରି ପାଖରେ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଛି କିନ୍ତୁ କୌଣସି ସ୍ବାସ୍ଥ୍ୟକେନ୍ଦ୍ରର ଅଧିକାରୀ କିମ୍ବା ଅନ୍ୟ କେହି ମଧ୍ୟ ତଦାରଖ କରିବା ପାଇଁ ନିଯୁକ୍ତି ହୋଇନାହାନ୍ତି । ତେଣୁ ଏହାର ସୁଯୋଗ ନେଇ ଅସାଧୁ ବ୍ୟକ୍ତି ଏହା ଭିତରେ ଅବାଧ ଅନୈତିକ କାର୍ଯ୍ୟ କରିବା ନିମନ୍ତେ ସୁଯୋଗ ପାଉଛନ୍ତି । ତେଣୁ ଏହୋ କୋଠା ଗୁଡିକ ଅସାମାଜିକ ବ୍ୟକ୍ତିଙ୍କ ଅନୈତିକ କାର୍ଯ୍ୟ ପାଇଁ ସୁରକ୍ଷିତ ସ୍ଥାନ ବା ସେଫ ଜୋନ ହୋଇଛି ବୋଲି ଅଂଚଳ ବାସୀ କହିଛନ୍ତି l ଦିବାଲୋକରେ ଏହି ଅର୍ଦ୍ଧ ନିର୍ମିତ କୋଠା ଗୁଡିକରେ ଅସାମାଜିକ ଲୋକଙ୍କ ଆଡ୍ଡା ଜମୁ ଥିବା ଯୋଗୁଁ ସେହି ରାସ୍ତା ଦେଇ ମହିଳା, ଛାତ୍ରଛାତ୍ରୀ, ଯୁବତୀ ଯାତାୟାତ କରିବା ପାଇଁ ଭୟ କରୁଥିବା ସ୍ଥାନୀୟ ବାସିନ୍ଧା କହିଛନ୍ତି l ତେବେ ଏଠାରେ ପ୍ରଶ୍ନ ଉଠେ ଯେ କିଏ କରିବ ଏହାର ଯତ୍ନ ଓ କିଏ କରିବ ଏହାର ସୁରକ୍ଷା । ତେଣୁ ଅନୈତିକ କାର୍ଯ୍ୟ ବନ୍ଦ୍ ହେବା ସହ ସ୍ବାସ୍ଥ୍ୟ ବିଭାଗ କୋଠାଗୁଡିକର ନିର୍ମାଣ କାର୍ଯ୍ୟ ଶେଷ କରି ଷ୍ଟାଫଙ୍କୁ ରହିବା ନିମନ୍ତେ ପ୍ରଦାନ କରି ଉତ୍ତମ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଜନସାଧାରଣ ଦାବୀ କରିଛନ୍ତି । ତେଣୁ ସ୍ଥାନୀୟ ପୁଲିସ ଓ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଲେ ଉକ୍ତ ସ୍ଥାନରେ ଅନୈତିକ କାର୍ଯ୍ୟ କଳାପ ବନ୍ଦ୍ ହେଇପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି । ତେଣୁ ସ୍ଥାନୀୟ ପୁଲିସ ଏହି ଘଟଣାକୁ ଗୁରୁତର ସହ ନେଇ ଏହି କୋଠା ଗୁଡିକ ଉପରେ ତୀକ୍ଷ୍ଣ ନଜର ଦେବା ସହ ଅସାମାଜିକ କାର୍ଯ୍ୟ କୋଳାପକୁ କାବୁ କରିବା ପାଇଁ ସାଧାରଣରେ ଦାବୀ ହୋଇଛି l