ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦରେ ଗୁରୁବାର ଉପ ନିବନ୍ଧକ(ସବ୍ ରେଜିଷ୍ଟ୍ରି)ଙ୍କ କାର୍ଯ୍ୟାଳୟ ଉଦଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ସ୍ଥାନୀୟ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଯୋଗଦେଇ ନବ ନିର୍ମିତ ସବ ରେଜିଷ୍ଟ୍ରି କାର୍ଯ୍ୟାଳୟକୁ ଉଦଘାଟନ କରିଛନ୍ତି । ସମ୍ମାନିତ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ଅନିଲ କୁମାର ସେଠୀ, ତହସିଲଦାର ଅଶୋକ କୁମାର ମୁଦୁଲିଙ୍କ ସମେତ ଅନେକ ପ୍ରଶାସନିକ ଅଧିକାରୀ ଗଣ ଯୋଗଦେଇଥିଲେ । ପୂର୍ବରୁ ଜଗନ୍ନାଥପ୍ରସାଦ ବ୍ଲକରେ ଉପ ନିବନ୍ଧକ କାର୍ଯ୍ୟାଳୟ ନଥିବାରୁ ଅଞ୍ଚଳର ଜନସାଧାରଣ ଜମିଜମା ସଂକ୍ରାନ୍ତୀୟ କାର୍ଯ୍ୟ ପାଇଁ ଭଞ୍ଜନଗର ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳୟ ଉପରେ ନିର୍ଭର କରୁଥିଲେ । ଅଞ୍ଚଳ ବାସିନ୍ଦାଙ୍କୁ ଜମି କିଣା ବିକା ଓ ପଞ୍ଜିକରଣ ପାଇଁ ପ୍ରାୟ ୪୦ କିମି ଦୁର ଭଞ୍ଜନଗର ଯିବାକୁ ପଡୁଥିଲା । ଫଳରେ ଲୋକେ ଖର୍ଚ୍ଚାନ୍ତ ହେବା ସହ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସ୍ଥାନୀୟ ଅଞ୍ଚଳବାସୀଙ୍କ ଦୀର୍ଘଦାବୀ ପରେ ଜଗନ୍ନାଥପ୍ରସାଦ ଠାରେ ତତ୍କାଳୀନ ସରକାର ସବ୍ ରେଜିଷ୍ଟ୍ରି କାର୍ଯ୍ୟାଳୟ ଖୋଲିବା ନେଇ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଫଳରେ ଗୁରୁବାର ତାହା ଜନସାଧାରଣଙ୍କ ଉଦେଶ୍ୟରେ ସ୍ଥାନୀୟ ବିଧାୟକ ଶ୍ରୀ ନାୟକ ଲୋକାର୍ପଣ କରିଥିବାରୁ ଅଞ୍ଚଳ ବାସିନ୍ଦା ଖୁସି ପ୍ରକଟ କରିଛନ୍ତି ।