ବ୍ଲକ ସ୍ତରୀୟ ଏଫ୍ ଏଲ୍ ଏନ୍ କର୍ମଶାଳା ଅନୁଷ୍ଠିତ…

ଭଞ୍ଜନଗର(ନିଲୁ ବିଷୋୟୀ): ସ୍ଥାନୀୟ ଦୀନବନ୍ଧୁ ବେହେରା ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ଭଂଜନଗର ବ୍ଲକ ସ୍ତରୀୟ ଏଫ୍ ଏଲ୍ ଏନ୍ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଏବଂ ମୌଳିକ ସ୍ଵାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଗଞ୍ଜାମ ଜିଲ୍ଲାର ଖଲିକୋଟ ସ୍ଥିତ ଜିଲ୍ଲା ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଦ୍ଵାରା ଆୟୋଜିତ ଏହି ତିନି ଦିନ ଧରି ହେବାକୁ ଥିବା କର୍ମଶାଳାକୁ ବିଇଓ ଏସ୍ ଧନଞ୍ଜୟ ଉଦଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ବିଆରସିସି ତଥା ଏବିଇଓ ସୂର୍ଯ୍ୟ ନାଇକ, ଶିକ୍ଷକ ପ୍ରଶିକ୍ଷିକା ତଥା ସଯୋଜିକା ଲିପି ଶ୍ରୀ ଦେବୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସ୍ଵରାଜ କଅଁର, ବଡକୋଦଣ୍ଡା କ୍ଲଷ୍ଟର ସିଆରସିସି ମୋହନ ସାହୁ, ଲାଲସିଂ କ୍ଲଷ୍ଟର ସିଆରସିସି ଦ୍ଵିତୀକୃଷ୍ଣ ଲେଙ୍କା, ତୁରୁମୁ କ୍ଲଷ୍ଟର ସିଆରସିସି ଗଣେଶ୍ଵର ବେହେରା, ବାଉଁଶଲୁଣ୍ଡି ସିଆରସିସି ଅନୁପମା ସାହୁ ଅତିଥି ରୂପେ ଯୋଗଦାନ ଦେଇଥିଲେ । ସମସ୍ତ ଅତିଥି ଏହି ମୌଳିକ ସ୍ଵାକ୍ଷରତା ଓ ସଂଖ୍ୟା ଜ୍ଞାନ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କର୍ମଶାଳା ଆୟୋଜନର ଲକ୍ଷ, ଉଦ୍ଦେଶ୍ୟ ଓ ଉପାଦେୟତା ସମ୍ପର୍କରେ ବୁଝାଇଥିଲେ । ଏଥିରେ ସମ୍ବଳ ଶିକ୍ଷକ ରୂପେ ଶ୍ରୀ ସୁନୀଲ କୁମାର ଶତପଥି, ଶ୍ରୀ ପ୍ରଦୀପ କୁମାର ସାସମଲ୍, କୁମାରୀ ରୀତା ଭୂୟାଁ ଯୋଗଦେଇ କର୍ମଶାଳାକୁ ସଫଳ ପରିଚାଳନା କରିଥିଲେ । ବିଦ୍ୟାଳୟରେ ପ୍ରଥମ ଶ୍ରେଣୀ ଠାରୁ ତୃତୀୟ ଶ୍ରେଣୀ ପର୍ଯ୍ୟନ୍ତ ପଢୁଥିବା ସମସ୍ତ ଛାତ୍ରଛାତ୍ରୀମାନଙ୍କ ମୌଳିକ ସ୍ଵାକ୍ଷରତା ଓ ସଂଖ୍ୟା ଜ୍ଞାନ କିପରି ଅଭିବୃଦ୍ଧି କରାଯିବ, ଏ ଦିଗରେ ପିଲାମାନଙ୍କର ଦକ୍ଷତା ହାସଲ ଓ ବୃଦ୍ଧି, ପିଲାମାନଙ୍କ ମୌଳିକ ସ୍ଵାକ୍ଷରତା ଓ ଗାଣିତିକ ଜ୍ଞାନ ବୃଦ୍ଧି ନିମନ୍ତେ ବିଭିନ୍ନ ପ୍ରକାରର କୌଶଳର ପ୍ରୟୋଗ ଏବଂ ଏଦିଗରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଭୂମିକା ତଥା ପିଲାଙ୍କ ପ୍ରତି ପିତାମାତାଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ସମ୍ବନ୍ଧରେ ଉପସ୍ଥିତ ସମସ୍ତ ବ୍ୟକ୍ତି ସବିଶେଷ ଆଲୋଚନା କରିଥିଲେ । ଏଥିରେ ୧୬ ଟି କ୍ଲଷ୍ଟରର ପ୍ରାୟ ୩୫ ଜଣ ଶିକ୍ଷକ ଶିକ୍ଷୟିତ୍ରୀ, ସମ୍ବଳ ଶିକ୍ଷକ ଅଂଶଗ୍ରହଣ କରି ବିଭିନ୍ନ ପ୍ରକାରର ଆକର୍ଷଣୀୟ ଶିକ୍ଷଣ ସାମଗ୍ରୀ ପ୍ରସ୍ତୁତ କରିଥିଲେ ।