ମେରୁଯାତ୍ରାରେ ବୃଦ୍ଧାଙ୍କ ମୃତ୍ୟୁ….

ଭଞ୍ଜନଗର(ନିଲୁ ବିଷୋୟୀ): ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅଧିନ ଗାଲେରୀ ଗ୍ରାମ ଶନିବାର ମଧ୍ୟାହ୍ନରେ ମେରୁଯାତ୍ରା ଦେଖିବାକୁ ଆସିଥିବା ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି । ମୃତ ବୃଦ୍ଧା ଜଣଙ୍କ ଜଗନ୍ନାଥପ୍ରସାଦ ଥାନା ଅଧିନ ରାଉତି ଗ୍ରାମର ସ୍ବର୍ଗତ ସଚ୍ଚି ବେହେରାଙ୍କ ପତ୍ନୀ ତନୁ ବେହେରା(୬୫)। ତନୁ ହରିଗଡ ନିକଟସ୍ଥ ହରିଗଡ ପଞ୍ଚାୟତର ଶାନ୍ତିନଗରରେ ରହୁଥିବା ଝିଅ ଘରକୁ ଆସିଥିଲେ । ଶନିବାର ଝିଅ ସହ ଗାଲେରୀ ଗ୍ରାମକୁ ଦଣ୍ଡକାଳୀଙ୍କ ମେରୁଯାତ୍ରା ଦେଖିବାକୁ ଆସିଥିଲେ । ହେଲେ ପ୍ରବଳ ଭିଡ ମଧ୍ୟରେ ସେ ଅଚେତ ହୋଇ ତଳେ ପଡିଯାଇଥିଲେ । ସ୍ଥାନୀୟବାସୀ ଓ କିଛି ସ୍ବେଚ୍ଛାସେବୀ ତୁରନ୍ତ ତାଙ୍କୁ ଉଦ୍ଧାର କରି ଗାଲେରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ।ହେଲେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି।ଖବର ପାଇ ତାରସିଂ ପୁଲିସ ମେଡିକାଲ ରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡିକାଲକୁ ପଠାଇଛି । ଏକ ଅପମୃତ୍ୟୁ ମାମଲା ରୁଜୁ କରି ପୁଲିସ ତଦନ୍ତ ଜାରି ରଖିଛି । ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଫାଣ୍ଡି ଅଧିକାରୀ ଭାଗିରଥୀ ନାୟକ ସୂଚନା ଦେଇଛନ୍ତି ।