ମେରୁ ସ୍ଥଳରେ ଶହ ଶହ ଶ୍ରଦ୍ଧାଳୁଙ୍କ ତୃଷ୍ଣା ମେଣ୍ଟାଇଲା ତ୍ରିରଙ୍ଗା ସେବା ସଂଘ…

ହିଞ୍ଜିଳିକାଟୁ (ସଂସ୍କାର ପଟ୍ଟନାୟକ): ଆଜି ଉତ୍କଳୀୟ ନବ ବର୍ଷ ତଥା ଗଞ୍ଜାମ ର ଶ୍ରେଷ୍ଠ ପର୍ବ ମହା ବିଷୁବ ସଂକ୍ରାନ୍ତି । ପ୍ରତି ଏକ ବର୍ଷ ବ୍ୟବଧାନରେ ମାଆ ଦଣ୍ଡକାଳୀ ଙ୍କ ଯାତ୍ରା ବହୁ ଆଡମ୍ବର ସହକାରେ ଗଞ୍ଜାମ ଜିଲ୍ଲାର ପୁରପଲ୍ଲୀ ରେ ଅନୁଷ୍ଠିତ ହୋଇଥାଏ । ଏହି ଅବସରରେ ଆଜି ହିଞ୍ଜିଳିକାଟୁ ସହରରେ ମଧ୍ୟ ଦୁଇ ପାର୍ଟି ତରଫରୁ ମେରୁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ଏଥିରେ ହିଞ୍ଜିଳି ତଥା ଆଖପାଖ ୧୦-୧୨ ଗ୍ରାମରୁ ଅନ୍ୟୁନ ୫ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ଭିଡ ଜମିଥିଲା । ପ୍ରଚଣ୍ଡ ରୌଦ୍ରତାପକୁ ଦୃଷ୍ଟି ଆଗରେ ରଖି ହିଞ୍ଜିଳି ଅଞ୍ଚଳର ଜଣାଶୁଣା ସାମାଜିକ ଅନୁଷ୍ଠାନ ତ୍ରିରଙ୍ଗା ସେବା ସଂଘ ଦ୍ୱାରା ଶ୍ରଦ୍ଧାଳୁ ମାନଙ୍କ ତୃଷ୍ଣା ମେଣ୍ଟାଇବା ପାଇଁ ବିଭିନ୍ନ ପ୍ରକାରର ଥଣ୍ଡା ପାନୀୟ ବ୍ୟବସ୍ଥା ଆୟୋଜନ କରାଯାଇଥିଲା । ସଂଘ ସଦସ୍ୟ ମାନେ ଅକ୍ଲାନ୍ତ ପରିଶ୍ରମ କରି ରାଜରାସ୍ତାରେ ଭିଡ଼ ନିୟନ୍ତ୍ରଣ ସହ ପ୍ରତିଟି ଭକ୍ତଙ୍କ ଶୋଷ ମେଣ୍ଟାଇବା ରେ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ।ଉକ୍ତ କାର୍ଯ୍ୟକ୍ରମରେ ସ୍ଥାନୀୟ ପୌରପରିଷଦ କାର୍ଯ୍ୟନିର୍ବାହୀ ଅଧିକାରୀ ଯୋଗଦାନ କରି ସଂଘ ସଦସ୍ୟ ମାନଙ୍କ ଏହିଭଳି ଜନହିତୈଷୀ କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ । ସଂଘର ବରିଷ୍ଠ ସଦସ୍ୟ କାହ୍ନୁ ଚରଣ ଗୌଡ଼ ଙ୍କ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଘର ସମସ୍ତ ସଦସ୍ୟ ସକ୍ରିୟ ସହଯୋଗ କରିଥିଲେ । ସଂଘର ଏହିଭଳି ଅଭିନବ ଚିନ୍ତାଧାରା ତଥା ପ୍ରୟାସକୁ ହିଞ୍ଜିଳିବାସୀ ତଥା ସମସ୍ତ ଭକ୍ତ ବୃନ୍ଦ ପ୍ରଶଂସା କରିଛନ୍ତି।