ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଉଦ୍ଧାର କରିବ ରାପିଡ୍ ରେସପନ୍ସ ଟିମ୍…..

ଭଞ୍ଜନଗର(ନିଲୁ ବିଷୋୟୀ): ବନ୍ୟଜନ୍ତୁଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିବ ରାପିଡ୍ ରେସପନ୍ସ ଟିମ୍ । ଯେକୌଣସି ସ୍ଥାନରୁ ମଣିଷ-ବନ୍ୟପ୍ରାଣୀ ସଂଘର୍ଷର ଖବର ଆସିବାର କେଇ ଘଣ୍ଟା ମଧ୍ୟରେ ଘଟଣାସ୍ଥଳରେ ରାପିଡ୍ ରେସପନ୍ସ ଟିମ୍ ପହଞ୍ଚିବ। ଉତ୍ତର ଘୁମୁସର ବନଖଣ୍ଡରେ ଗଠନ ହୋଇଥିବା ଏହି ଟିମ୍‌ ବନଖଣ୍ଡ ଅଧିକାରୀ ହିମାଂଶୁ ଶେଖର ମହାନ୍ତିଙ୍କ ଅଧ୍ୟକ୍ଷତାରେ ବନଖଣ୍ଡର ସମସ୍ତ ରେଞ୍ଜର, ବନପାଳ, ବନରଖୀ ଓ ସ୍କ୍ବାର୍ଡ ଟିମ୍‌କୁ ପ୍ରଶିକ୍ଷଣ ଦେଇଥିଲେ। ଡ୍ରୋନ୍‌,ଟ୍ରାପ୍‌ କ୍ୟାମେରା,ଆହତ ଜନ୍ତୁଙ୍କୁ କାବୁ କରିବାକୁ ଜାଲ‌, ଜନ୍ତା ଆଦିର ବ୍ୟବହାର ସଂର୍ପକରେ ପ୍ରଶିକ୍ଷଣ ଦିଆଯାଇଥିଲା । ହଠାତ୍ ଜନବସତିମୁହାଁ ହାତୀର ଖବର ଆସୁ କିମ୍ବା ଜଙ୍ଗଲରେ ମହାବଳ ଝାମ୍ପିବାକୁ ଚେଷ୍ଟା କଲେ, ଷ୍ଟନ୍ ଗନ୍ ଦେବ ସାମାନ୍ୟ ଝଟକା । ଏହାଦ୍ବାରା ବନ୍ୟଜନ୍ତୁର କ୍ଷତି ହେବନି କିନ୍ତୁ ସେ ଦୂରେଇ ଯିବ । ଉଦ୍ଧାର ପ୍ରାଣୀକୁ ଭେଟେନାରି ସହାୟତା ଯୋଗାଇବାକୁ ପ୍ରାଥମିକତା ରହିଛି । ଆଗାମୀ ଦିନରେ ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ଏକ ଅତ୍ୟାଧୁନିକ ସୁବିଧା ଥାଇ ଗାଡି ଆସିବ ବୋଲି ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି । ବିଶେଷ କରି ବନ୍ୟଜନ୍ତୁଙ୍କ ଉଦ୍ଧାର ପାଇଁ ସ୍ୱତନ୍ତ୍ର ତାଲିମ୍ ମଧ୍ୟ ଦିଆଯାଇଛି.। ଏହି ଟିମ୍‌ରେ ୬-୯ ଜଣ ସଦସ୍ୟ ରହିଛନ୍ତି । ଆବଶ୍ୟକ ସ୍ଥଳେ ଏମାନେ ଅନ୍ୟ ବନଖଣ୍ଡକୁ ଯାଇ ସେଠାରେ ଉଦ୍ଧାର କାର୍ଯ୍ୟ କରିବେ ବୋଲି ଜଣାପଡିଛି । ଏହି ଟିମ୍‌ର ମୁଖ୍ୟ ଭାବେ ଡେପୁଟି ରେଞ୍ଜର ଅଞ୍ଜନ କୁମାର ନାୟକ ମକଡ୍ରିଲ୍‌ କରିବା ସହ ଉପକରଣ ସମ୍ବନ୍ଧରେ ବୁଝାଇଥିଲେ । ଟିମ୍‌ ସଦସ୍ୟ ଭାବେ ବନପାଳ ଅମର ନାୟକ, ବନରକ୍ଷୀ ସୁଶାନ୍ତ ମିଶ୍ର, ବସନ୍ତ ସାହୁ, ଶ୍ରୀମନ ପ୍ରଧାନ, ସ୍କ୍ବାର୍ଡ ସଞ୍ଜୟ ସ୍ବାଇଁ, କେଦାର ବିଷୋୟୀ, ଭିକାରୀ ବିଷୋୟୀ ପ୍ରମୁଖ ପ୍ରଶିକ୍ଷଣ ପ୍ରଦାନ କରିଥିଲେ ।