ଗଛରେ ପିଟିହେଲା ଯାତ୍ରୀବାହୀ ବସ, ୨୧ ଯାତ୍ରୀ ଆହତ….

ଭଞ୍ଜନଗର(ନିଲୁ ବିଷୋୟୀ): ରାସ୍ତାକଡରେ ଥିବା ଗଛ ସହ ଧକ୍କା ହେଲା ଯାତ୍ରୀବାହୀ ଘରୋଇ ବସ୍ । ବସରେ ଥିବା ପ୍ରାୟ ୨୧ ଜଣ ଶିଶୁ ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ଆହତ ହୋଇଛନ୍ତି । ବେଲଗୁଣ୍ଠା ଥାନା ଅଧୀନ ନୂଆଗାଁ ବଡ଼ନଦୀ ସେତୁ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୌଭାଗ୍ୟ ବଶତ ଏଥିରେ କାହାର କ୍ଷୟକ୍ଷତି ହୋଇନଥିବା ବୋଳେ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ପାଇଁ ଭଞ୍ଜନଗର ମେଡିକାଲ୍ ରେ ଭର୍ତ୍ତି କରାଯାଇଛି । ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ଗାଡି ଚାଳକକୁ ଅଟକ ରଖି ପଚରା ଉଚୁରା କରିବା ସହ ତଦନ୍ତ ଆରମ୍ଭ କରିଛି । ମିଳିଥିବା ସୂଚନା ଅନୁଯାୟୀ ସୋମବାର ପୂର୍ବାହ୍ନ ସାଢେ ୧୦ ଟା ସମୟରେ ଏକ ଯାତ୍ରୀବାହୀ ଘରୋଇ ବସ୍ ଭଞ୍ଜନଗର ବସଷ୍ଟାଣ୍ଟ ରୁ ବୁଗୁଡା ଅଭିମୁଖେ ବାହାରିଥିଲା । ୨-୩ କିମି ଯିବା ପରେ ନୂଆଗାଁ ସେତୁ ପାର୍ ହେବା ପରେ ଡାହାଣ ପାର୍ଶ୍ବରେ ଏକ ବୋର୍ଡ ସହ ଧକ୍କା ହୋଇ ଗଛରେ ପିଟି ହୋଇଯାଇଥିବା ପ୍ରତ୍ୟକ୍ଷଦର୍ଶି ପ୍ରକାଶ କରିଛନ୍ତି । ଖବର ପାଇ ୨ଟି ଆମ୍ବୁଲାନ୍ସ୍ ସହ ବେଲଗୁଣ୍ଠା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଆହାତଙ୍କୁ ଦୁର୍ଘଟଣାଗସ୍ତ ବସ୍ରୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ଏଥିରେ ତନରଡା ଗ୍ରାମର କାଳିଆ ବେହେରା(୬୦), ନାୟକପଡାର ରୀନା ଦଳେଇ (୩୧), ଶାନ୍ତି ବେହେରା(୫୪), ମକରାପଲ୍ଲୀ ଗ୍ରାମର ଉତ୍ତମ ଗୌଡ(୧୮), ଶୁଭମ ସ୍ବାଇଁ(୧୭), ସଇରାମ ସ୍ବାଇଁ(୧୦), ଟୁକୁନା ସ୍ବାଇଁ(୩୩), ବନିତା ସ୍ବାଇଁ(୨୮), ବନିତା ସ୍ବାଇଁ,ଇତି ସ୍ବାଇଁ, ଉଡ୍ରାର ବିଜ୍ଞାନୀ ସିୟ(୧୯), ଶ୍ରଦ୍ଧାଞ୍ଜଳୀ ସାହୁ(୧୮), ଗୋଠଲୁଣ୍ଡାର ସ୍ମୁର୍ତିରେଖା ନାୟକ(୮),ବିକ୍ରମ ନାୟକ(୩୫), କଣ୍ଟିବାଡି ଗ୍ରାମର ପାଣ୍ଡି ପାତ୍ର(୫୨), କରଡାବାଡିର ଦିପକ ଡାଙ୍ଗୁଆ(୧୩), ସବିତା ଡାଙ୍ଗୁଆ(୩୧), ରାଜକୁଣ୍ଡର ଅଶୋକ କୁମାର ସ୍ବାଇଁ(୫୨), ଅନୁରାଧା ସ୍ବାଇଁ(୧୮), ସ୍ବର୍ଣ୍ଣମିତ୍ରା ସ୍ବାଇଁ(୧୬), ରୁନୁ ସ୍ବାଇଁ(୪୨) ପ୍ରମୁଖ ଆହତ ହୋଇଥିଲେ। ସେଠାରେ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଯାଇଛି। ଦୁର୍ଘଟଣା ସଂର୍ପକରେ ଖବର ପାଇ ଭଞ୍ଜନଗର ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଏବଂ ଅତିରିକ୍ତ ପୁଲିସ୍ ଅଧୀକ୍ଷକ ପ୍ରଫୁଲ କୁମାର ବଡଜେନା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁ କିମ୍ବା ଅନ୍ୟ କୌଣସି କାରଣରୁ ଦୁର୍ଘଟଣା ହୋଇଛି ତାହା ପୁଲିସ୍ ତଦନ୍ତ କରୁଛି।