ଫିରିଙ୍ଗିଆ ଥାନା ପୋଡ଼ି ଘଟଣା, ସ୍ଥିତି ଅନୁଧ୍ୟାନ କଲେ ଭାଜପାର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍‌….

ଅନୁସନ୍ଧାନ ଭାରତ(ବ୍ୟୁର):ଫିରିଙ୍ଗିଆ ଥାନା ପୋଡି ଘଟଣାରେ ଗୁରୁବାର ରାଜ୍ୟ ଭାଜପାର ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଫିରିଙ୍ଗିଆ ଅଂଚଳ ଗସ୍ତ କରି ଲୋକ ଏବଂ ପୁଲିସ ସହ ଆଲୋଚନା କରିଛି । ଟିମ୍ ପ୍ରଥମେ ଡ଼ିମିରିଗୁଡ଼ା, ନୂଆପଦର ଗ୍ରାମକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ପୁଲିସ ଏହି ଘଟଣାରେ କିଛି ନିରିହ ଲୋକଙ୍କୁ ଅଯଥାରେ ଗିରଫ କରିଛି । ଖାଲି ସେତିକି ନୁହେଁ ନିର୍ଯାତନା ଦେଉଥିବା ଗ୍ରାମବାସୀ ଅଭିଯୋଗ କରିଥିଲେ । ଏହା ପରେ ଟିମ୍ ସଦସ୍ୟମାନେ ଥାନାକୁ ଯାଇ ତଦନ୍ତକାରୀ ଅଧିକାରୀ ଡିଏସପି କମଲ କୁମାର ପଣ୍ଡାଙ୍କ ସହ ଆଲୋଚନା କରିଥିଲେ । ଥାନା ପୋଡି ପରେ ଭିଡିଓ ଫୁଟେଜ ଦେଖି ସଂଗେ ସଂଗେ ଲୋକଙ୍କୁ ଗିରଫ କରାଗଲା । ପୁଲିସ ଗାଡିରେ ରାତି ୩ଟାରେ ଗଂଜେଇ ଚାଲାଣ ହେଉଥିବା ଭିଡିଓ ଫୁଟେଜକୁ ଆଧାର କରି ପୁଲିସକୁ କାହିଁ କି ଗିରଫ କରାଗଲା ନାହିଁ ବୋଲି ଟିମ୍ ସଦସ୍ୟମାନେ ପ୍ରଶ୍ନ କରିଥିଲେ । ସେହିପରି ଏହି ଘଟଣାରେ କେବଳ ଦୁଇ ଜଣ ହୋମ ଗାର୍ଡଙ୍କୁ କାର୍ଯ୍ୟରୁ ଅନ୍ତର କରାଗଲା । ହେଲେ କାହିଁ କି ଥାନାଧିକାରୀଙ୍କ ବିରୋଧରେ ମାମଲା ରୁଜୁ ହେଲା ନାହିଁ ବୋଲି ପ୍ରଶ୍ନ କରିଥିଲେ ଫ୍ୟାକ୍ଟ ଫାଇଣ୍ଡିଙ୍ଗ ଦଳ । ସେହିପରି ଥାନା ପୋଡି ମାମଲାରେ ୭/୮ଟି କେସ୍ କରାଯାଇଛି । କିନ୍ତୁ ପୁଲିସ ଗଂଜେଇ ନେବାରେ ମାମଲା ରୁଜୁ ହୋଇ ନ ଥିବାକୁ ନେଇ ଟିମ୍ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ଏହାର ଜବାବରେ ତଦନ୍ତକାରୀ ଅଧିକାରୀ ଏକ ମାମଲା ରୁଜୁ ହୋଇ ତଦନ୍ତ ଚାଲିଛି ବୋଲି କହିଥିଲେ । ଯଦି ସାଧାରଣ ଲୋକଙ୍କ ଅଭିଯୋଗ ଅନୁସାରେ ପୁଲିସ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତା ତାହାଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇ ନ ଥାନ୍ତା ବୋଲି ଟିମ୍ ସଦସ୍ୟ କହିଥିଲେ । ଏହାପରେ ଟିମ୍ ସଦସ୍ୟମାନେ ଫୁଲବାଣୀ ଆସି ଏସ୍‌ପିଙ୍କ ସହ ଆଲୋଚନା କରିବା ପରେ ଫେରି ଯାଇଥିଲେ । ଏହି ଟିମ୍‌ରେ ସମ୍ବଲପୁର ଭାଜପା ବିଧାୟକ ସୁଭାଷ ପାଣିଗ୍ରାହୀ, ରେଙ୍ଗାଲି ବିଧାୟକ ନାଉରି ନାୟକ, କନ୍ଧମାଳ ଜିଲା ପ୍ରଭାରୀ ବିରଂଚି ନାରାୟଣ ତ୍ରିପାଠୀ, ସୁକାନ୍ତ ପ୍ରଣିଗ୍ରାହୀ, ବ୍ରହ୍ମପୁର ଜିଲା ପ୍ରଭାରୀ ଅଶୋକ ମିଶ୍ର, ପ୍ରଦ୍ୟୁମ୍ନ ନାୟକ, ଗୋକୁଳାନନ୍ଦ ମଲ୍ଲିକ, ବିଭୁତି ଜେନା, ଚିନ୍ମୟ ନନ୍ଦ ମହନ୍ତଙ୍କ ସମେତ କନ୍ଧମାଳ ଜିଲା ଭାଜପା ସଭାପତି ଜଗନ୍ନାଥ ସାହୁ, ଉପ ସଭାପତି ରମେଶ ଚନ୍ଦ୍ର ମହାନ୍ତି, ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ପ୍ରମୁଖ ସାମିଲ ଥିଲେ ।