ପ୍ରାହେଡପଙ୍କା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଭୁଶୁଡ଼ିଗଲା ଛାତ, ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଲେ ଛାତ୍ରଛାତ୍ରୀ ଓ ଶିକ୍ଷକ…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅନ୍ତର୍ଗତ ସରାମୁଳି ଗ୍ରାମ ପଞ୍ଚାୟତ ପ୍ରାହେଡପଙ୍କା ଗ୍ରାମର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଛାତ ଲଗାଣ ବର୍ଷାରେ ଗତ ମଙ୍ଗଳବାର ଅର୍ଥାତ ୧୮ତାରିଖ ଦିନ ସମୟ ପ୍ରାୟ ସକାଳ ୧୦ ଟା ୩୦ ରେ ଭୁଶୁଡି଼ ପଡ଼ିଥିବା ଖବର ହସ୍ତଗତ ହୋଇଛି । ବିଦ୍ୟାଳୟ ସମୟ ହୋଇଥିଲେ ହେଁ ଛାତ୍ରଛାତ୍ରୀ କିମ୍ବା ଶିକ୍ଷକଙ୍କ କିଛି କ୍ଷୟକ୍ଷତି ହୋଇନଥିବା ଜଣା ପଡ଼ିଛି । ଗ୍ରାମବାସୀଙ୍କ କହିବା କଥା ଅଳ୍ପକେ ଗାଁରୁ ବିପଦ ହଟି ଯାଇଛି । ବ୍ଲକ ମହକୁମା ଠାରୁ ପ୍ରାୟ ୫୦ କି.ମି ଓ ପଞ୍ଚାୟତ ମହକୁମା ଠାରୁ ପ୍ରାହେଡପଙ୍କା ଗ୍ରାମ ପ୍ରାୟ ୪ କି.ମି ଠାରୁ ଅଧିକ ଦୂରରେ ଅବସ୍ଥିତ । ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀରେ ୫୫ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁ ଥିବା ବେଳେ ୩ଜଣ ଶିକ୍ଷକ ରହିଛନ୍ତି । ୨୦୦୮ ମସିହାରେ ବିଦ୍ୟାଳୟ ସ୍ଥାପିତ ହୋଇଥିଲା । ଡିପିଇପି ବିଭାଗର ସ୍ୱତନ୍ତ୍ର କନିଷ୍ଟ ଯନ୍ତ୍ରୀଙ୍କ ତତ୍ତ୍ୱାବଧାନରେ ୨୦୧୩ ସାଲରେ ତିନିଟି ଶ୍ରେଣୀ କୋଠରୀ ବିଶିଷ୍ଟ  ସ୍କୁଲର ଛାତ କାମ ହୋଇଥିବା ସୂଚନା ରହିଛି । ୨୦୧୭ ସାଲରେ ଗୋଟିଏ ଶ୍ରେଣୀ କୋଠରୀର ତାଜା ଭୁଶୁଡି଼ ପଡି଼ ଥିବାରୁ ୨ଟି ଶ୍ରେଣୀ କୋଠରୀରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ବସାଇ ଶିକ୍ଷାଦାନ ଆଜି ଯାଏ ଚାଲି ଥିବା ଜଣାପଡି଼ଛି । ହେଲେ ଟିକିଏ ବଡ଼ ଧରଣର ବର୍ଷା ହେଲେ ଏହି ଦୁଇଟି ଶ୍ରେଣୀ କୋଠରୀ ଛାତରୁ ପାଣି ଗଳିଲେ ଶିକ୍ଷା ଦାନରେ ବାଧା ଉପୁଜି ଶିକ୍ଷକମାନେ ଛୁଟି କରୁଥିବା ଜଣା ଅଞ୍ଚଳ ବାସୀ କହିଛନ୍ତି । ବର୍ତ୍ତମାନ ଗୋଟିଏ ଶ୍ରେଣୀ କୋଠରୀର ଛାତ ସମ୍ପୂର୍ଣ୍ଣ ଭାବେ ଭୁଶୁଡ଼ି ପଡିବାରୁ ଶିକ୍ଷକମାନେ ସେହି ବିଦ୍ୟାଳୟରେ ଶିକ୍ଷା ଦାନ କରିବାକୁ ଭୟ କରୁଥିବା ବେଳେ ଅଭିଭାକମାନେ ମଧ୍ୟ ବିଦ୍ୟାଳୟକୁ ନିଜ ପିଲାଙ୍କୁ ପାଠ ପଢି଼ବା ଉଦ୍ଦେଶରେ ଛାଡି଼ବାକୁ ଭୟକରୁଥିବା ପ୍ରକାଶ କରିଛନ୍ତି । ଛାତ ଭୁଶୁଡି଼ ପଡି଼ବା ନେଇଁ ପ୍ରଧାନ ଶିକ୍ଷକ ବିଭାଗୀୟ ଅଧିକାରୀମାନଙ୍କୁ ଲିଖିତ ଜଣାଇ ଥିବା ବେଳେ ଗ୍ରାମ ବାସୀ ସମୂହ ଅତିଶୀଘ୍ର ଶ୍ରେଣୀ କୋଠା ଯୋଗାଇ ଦେବାକୁ ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ସହିତ ବ୍ଲକ ପ୍ରଶାସନ ଓ ଜିଲା ପାଳଙ୍କ ନିକଟରେ ଦାବୀ କରିଛନ୍ତି ।