ପରିବର୍ତ୍ତନ ନା ପ୍ରହସନ ?? ପରିବର୍ତ୍ତନ ମେଳା ପରେ ମଧ୍ୟ ବଦଳି ନାହିଁ ସୁଗାମାହା ଗ୍ରାମବାସୀଙ୍କ ଭାଗ୍ୟ, ବର୍ତ୍ତମାନ ସୁଧା ଗାଁରେ ନାହିଁ ଅଙ୍ଗନୱାଡ଼ି ଓ ଗାଁକୁ ଯାତାୟାତ ପାଇଁ ନାହିଁ ପକ୍କା ରାସ୍ତା…

ଅନୁସନ୍ଧାନ ଭାରତ(ବ୍ୟୁର): ସ୍ବାଧୀନତାର ୭୬ ବର୍ଷ ପରେ ମଧ୍ୟ ସୁଗାମହା ଗାଁକୁ ନାହିଁ ପକ୍କା ରାସ୍ତା I ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମାଞ୍ଚଳରେ ସାଧାରଣ ଲୋକଙ୍କ ବିଭିନ୍ନ ସମସ୍ୟାର ସମାଧାନ କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ପରିବର୍ତ୍ତନ ମେଳାର ଆୟୋଜନ କରାଯାଇଥିଲା I ହେଲେ ବଦଳିଲା ନାହିଁ ମାନଚିତ୍ର ହେଲା ନାହିଁ କୌଣସି ପରିବର୍ତ୍ତନ । ଯେମିତି ଥିଲା ଗାଁ ମାନଚିତ୍ର ସେମିତି ଅପରିବର୍ତ୍ତିତ ରହିଛି ଗାଁର ମୌଳିକ ସମସ୍ୟା । ଏହି ଅଞ୍ଚଳରେ ଆୟୋଜିତ ପରିବର୍ତ୍ତନ ମେଳାରେ ଉକ୍ତ ଅଞ୍ଚଳର ଅନେକ ଲୋକ ନିଜ ନିଜର ବ୍ୟକ୍ତିଗତ ଓ ଗାଁର ସାମୂହିକ ସମସ୍ୟା ଗୁଡ଼ିକୁ ନେଇ ପ୍ରଶାସନର ଦୃଷ୍ଟିଗୋଚର କରିବା ସହ ଲିଖିତ ଦାବି ପତ୍ର ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ଉପସ୍ଥିତ ସରକାରୀ ଅଧିକାରୀ ଦାବି ପତ୍ର ଗ୍ରହଣ କରିଥିଲେ କିନ୍ତୁ ଫଳ ଶୂନ। ଅନେକ ସମୟରେ ସମସ୍ୟା ଗୁଡ଼ିକର ସମାଧାନ କରିବା ପାଇଁ ପ୍ରଶାସନ ତରଫରୁ ସାନ୍ତ୍ଵନା ମୂଳକ ପ୍ରତିଶ୍ରୁତି ଦେଇ ଗରିବ ଜନତାଙ୍କୁ ଭୁଆଁ ବୁଲାଇବା ଭଳି କନ୍ଧମାଳ ଜିଲ୍ଲାରେ ଏପରି କାର୍ଯ୍ୟକ୍ରମ ହେଉଥିବା ଦେଖା ଯାଉଛି । ସୂଚନା ଅନୁସାରେ ଘୁ.ଉଦୟଗିରି ବ୍ଲକ ଗ୍ରେସିଙ୍ଗିଆ ପଞ୍ଚାୟତ ଅନ୍ତର୍ଗତ ୱାର୍ଡ-୧ ବିଲାବାଡ଼ା ଗ୍ରାମର ବିଚ୍ଛିନ୍ନାଞ୍ଚଳ ସୁଗାମାହା ଗ୍ରାମରେ ଗତ ବର୍ଷ ଅର୍ଥାତ ୨୦୨୨ ମସିହା ନଭେମ୍ବର ୨୪ ତାରିଖରେ ପରିବର୍ତ୍ତନ ମେଳା ବ୍ଲକ ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇ I ବିଭିନ୍ନ ସମସ୍ୟା ସମ୍ପର୍କରେ ଘୁ.ଉଦୟଗିରି ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଉପସ୍ଥିତିରେ ଶୁଣାଣି ହୋଇଥିଲା I କିନ୍ତୁ ପରିବର୍ତ୍ତନ ମେଳା ପରେ ଆଜି ମଧ୍ୟ ଗ୍ରାମବାସୀଙ୍କ ସମସ୍ୟାରେ କୌଣସି ପରିବର୍ତ୍ତନ ହୋଇନ ଥିବା ଦେଖା ଦେଇଛି I ସେହି ସମସ୍ୟା ସମସ୍ୟାରେ ହିଁ ରହିଯାଇଛି। ମୁଖ୍ୟତଃ ଗାଁକୁ ପକ୍କା ସଡ଼କ, ବିଦ୍ୟୁତ୍ ସଂଯୋଗ, ପାନୀୟ ଜଳ, ସ୍ଵାସ୍ଥ୍ୟ ସେବା, ଅଙ୍ଗନୱାଡ଼ି ଓ ବିଦ୍ୟାଳୟରେ ଉଚିତ ଶିକ୍ଷା ଭଳି ବିଭିନ୍ନ ମୌଳିକ ଦାବି ଗୁଡ଼ିକ ନେଇ ସୁଗାମାହା ଗ୍ରାମବାସୀଙ୍କ ତରଫରୁ ପ୍ରଶାସନ ନିକଟରେ ଉପସ୍ଥାପନ କରାଯାଇଥିଲା । ଏହି ଗ୍ରାମ ଗ୍ରେସିଙ୍ଗିଆ ପଞ୍ଚାୟତ ଠାରୁ ମାତ୍ର ୨ କିମି ଓ ଘୁ. ଉଦୟଗିରି ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୩ କିମି ହୋଇଥିବା ବେଳେ ବିଂଶ ଶତାବ୍ଦୀର ୨୩ ବର୍ଷ ପରେ ମଧ୍ୟ ବିକାଶ ଶୁନ। ପକ୍କା ସଡ଼କଟିଏ ନଥିବା ଏହି ଗ୍ରାମବାସୀ ବହୁ ଥର ଦାବି କରାଯିବା ପରେ ଏହି ଗାଁ କୁ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସଡ଼କ ନିର୍ମାଣ ଯୋଜନା ସ୍ଵୀକୃତି ମିଳିଛି ବୋଲି ମିଛ ପ୍ରତିଶ୍ରୁତି ଦେଇ ଚାଲିଛନ୍ତି ସ୍ଥାନୀୟ ଓ ଜିଲ୍ଲା ପ୍ରଶାସନ । ଇତି ମଧ୍ୟରେ ପରିବର୍ତ୍ତନ ମେଳା ଅନୁଷ୍ଠିତ ହେଇ ୫ ମାସ ବିତି ଗଲାଣି କିନ୍ତୁ ଗାଁକୁ କୌଣସି ପକ୍କା ସଡ଼କ, ନା ଘର ଘରକୁ ବିଦ୍ୟୁତ୍ ସଂଯୋଗ ଏପରି କୌଣସି କାମ ଆରମ୍ଭ ହେବାର ଦେଖିବାକୁ ମିଳିନଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଏହି ଗାଁର ଯୁବକମାନେ ପରିବର୍ତ୍ତନ ମେଳା ହେବା ଖବର ପାଇବା ପରେ ସରକାରୀ ବାବୁମାନଙ୍କ ଯିବା ଆସିବାରେ କୌଣସି ଅସୁବିଧା ନହେଉ ବୋଲି ରାସ୍ତାର ଦୁଇ ପାର୍ଶ୍ଵରେ ଥିବା ଲଟା ବୁଦା ଗୁଡ଼ିକ ସଫା କରିବା ସହ ରାସ୍ତାରେ ମାଟି ପକେଇ ସମତଳ କରିଥିଲେ । କିନ୍ତୁ ତାହା ଏବେ କାଳବୈଶାଖୀ ବର୍ଷାରେ ଧୋଇ ହୋଇ ରାସ୍ତା ଖାଲ ଢେପ ହୋଇ ରହିଥିବାରୁ ଗ୍ରାମବାସୀଙ୍କ ଜରୁରୀ କାଳୀନ ସ୍ବାସ୍ଥ୍ୟ ସେବା ନିମନ୍ତେ ଆମ୍ବୁଲାନ୍ସ ଓ ଅଟୋ ଯାତାୟାତରେ ବାଧା ଉପୁଜୁଥିବା ଦେଖା ଦେଇଛି I ଦୈନନ୍ଦିନ ଆବଶ୍ୟକତା ପୁରଣ ନିମନ୍ତେ ବଜାର ଯିବା, ଆସିବା ହେଉ କିମ୍ବା ପଞ୍ଚାୟତ କାର୍ଯ୍ୟାଳୟକୁ ଚାଉଳ ଓ ଭତ୍ତା ଆଣିବାକୁ ଯାଉଥିବା ବୃଦ୍ଧ, ବୃଦ୍ଧାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବା ଅଭିଯୋଗ କରିଛନ୍ତି। ପ୍ରଶାସନ ତରଫରୁ ଘୁ.ଉଦୟଗିରି ବ୍ଲକରେ ଅନୁଷ୍ଠିତ ହେଇଥିବା ପରିବର୍ତ୍ତନ ମେଳା କାର୍ଯ୍ୟକ୍ରମ ଏହି ଗ୍ରାମରେ କେତେ ପରିବର୍ତ୍ତନ ଆଣି ପାରିଛି ତାହାର ଜ୍ୱଳନ୍ତ ଉଦାହରଣ ଜଳ ଜଳ କରି ଦେଖାଯାଉଛି ସୁଗାମହା ଗ୍ରାମର ବର୍ତ୍ତମାନର ସ୍ଥିତି ଦେଖିଲେ । ସରକାରଙ୍କ ଯୋଜନା ଗୁଡ଼ିକ କେବଳ ଦେଖାଣିଆ ଓ ପ୍ରହସନ ମାତ୍ର ହୋଇ ରହିଥିବା ବେଳେ କୌଣସି ସମସ୍ୟାର ସମାଧାନ କରିବା ଦିଗରେ ସ୍ଥାନୀୟ ପ୍ରଶାସନ କିମ୍ବା ଜିଲ୍ଲା ପ୍ରଶାସନର ଆଗ୍ରହ ନ ଥିବା କହି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଗ୍ରାମର ବାସିନ୍ଦା ଅଞ୍ଜଳି ପ୍ରଧାନ, ଜୁମାଦେଇ ପ୍ରଧାନ, ନିତୁ ପ୍ରଧାନ, ଲତିମା ପ୍ରଧାନ, ଉର୍ବଶୀ ପ୍ରଧାନ, ପ୍ରାର୍ଥେନନ ପ୍ରଧାନ, ମୁଥୁ ପ୍ରଧାନ ଓ ବଟକୃଷ୍ଣ ପ୍ରଧାନ । ପରିବର୍ତ୍ତନ ମେଳା ଆୟୋଜନ ପରେ ସମସ୍ତ ଗ୍ରାମବାସୀ ଆଶା କରିଥିଲେ ଯେ ଆମ ଗାଁ ରେ ପରିବର୍ତ୍ତନ ମେଳା ଅନୁଷ୍ଠିତ ହେଲେ ପ୍ରଶାସନ ଆମ ଅଞ୍ଚଳର ସବୁ ସମସ୍ୟା ନ ହେଲେ ମଧ୍ୟ କିଛି ସମସ୍ୟାର ସମାଧାନ ଅନ୍ତତଃ ପକ୍କା ସଡ଼କ ନିର୍ମାଣ କରି ପରିବର୍ତ୍ତନ ଆଣିବେ ବୋଲି କିନ୍ତୁ ଗାଁ ଲୋକଙ୍କ ଆଶା ନିରାଶା ରେ ପରିଣତ ହୋଇ ରହିଗଲା ଓ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଇ ପ୍ରଶାସନିକ ଅଧିକାରୀ ମାନେ ଚୁପ୍ ବସିଛନ୍ତି ବୋଲି ଦୁଃଖ ପ୍ରକାଶ କରିଛନ୍ତି ଗରିବ ଆଦିବାସୀ, ଦଳିତ ଗ୍ରାମବାସୀ । ସହର ଠାରୁ ଅତି ନିକଟରେ ଥିବା ଗାଁରେ ପରିବର୍ତ୍ତନ ମେଳା ଅନୁଷ୍ଠିତ ହେବା ପରେ ଯଦି ଏମିତି ଦୃଶ୍ୟ ତେବେ ଦୁର ଦୁରାନ୍ତରେ ଥିବା ଗାଁର ଅବସ୍ଥା ଯେ କିପରି ଥିବ, କେତେ ପରିବର୍ତ୍ତନ ହେଇଥିବ ତାହା ସର୍ବ ସମ୍ମୁଖରେ ଜଳ ଜଳ ହୋଇ ଦେଖାଯାଉଛି । ସୁଗାମହା ଗ୍ରାମରେ ଥିବା ସମସ୍ୟା ସମାଧାନ ନିମନ୍ତେ ପ୍ରଶାସନ ଦେଇଥିବା ପ୍ରତିଶୃତି କାର୍ଯ୍ୟକାରୀ କରିବା ନିମନ୍ତେ ପ୍ରଶାସନ ଚିନ୍ତା କରନ୍ତୁ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନର ଚେତାବନୀ ଦେଇଛନ୍ତି ଗ୍ରାମ ବାସୀ I ଏନେଇ ସ୍ଥାନୀୟ ସରପଞ୍ଚ ତ୍ରିଶିଳା ପ୍ରଧାନଙ୍କ ମତାମତ ଗ୍ରହଣ କରାଯାଇ ଥିଲା I ସୁଗାମାହା ଗ୍ରାମ ଵାସୀଙ୍କ ସମସ୍ୟାକୁ ନେଇ ମୁଁ ବାରମ୍ବାର ପ୍ରଶାସନକୁ ଅବଗତ କରିଛି I କିନ୍ତୁ ବର୍ତ୍ତମାନ ସୁଦ୍ଧା ସମସ୍ୟାର ସମାଧାନ ହୋଇ ପାରିନାହିଁ ବୋଲି ସ୍ଥାନୀୟ ସରପଞ୍ଚ ମତପ୍ରକାଶ କରିଛନ୍ତି I