ଅନୁସନ୍ଧାନ ଭାରତ(ବ୍ୟୁର): କଳାହାଣ୍ଡି ଜିଲ୍ଲାରେ ସୂଚନା ଅଧିକାର ଆଇନକୁ ଖୁଲମଖୁଲା ଉଲଂଘନ କରାଯାଇ ଥିବାର ଦେଖା ଦେଇଛି I ସୂଚନା ଅନୁସାରେ ଲାଞ୍ଜିଗଡ଼ ବ୍ଲକ ବିଜେପୁର ଅନ୍ତର୍ଗତ ପ୍ରଧାନୀପଡ଼ା ଗାଁର ଡମେ ମାଝୀ ଜନସୂଚନା ଅଧିକାର ଆଇନ ବଳରେ ସୂଚନା ଅଧିକାରୀଙ୍କ ନିକଟରେ ୨୨/୧୧/୨୦୨୨ ରେ ପ୍ରଥମ ଆବେଦନ କରିଥିଲେ I ହେଲେ କୌଣସି ସୂଚନା ନ ମିଳିବାରୁ ପ୍ରଥମ ଅପିଲ ୨୩/୧୨ /୨୦୨୨ରେ କଲାପରେ ମଧ୍ୟ ଜନ ସୂଚନା ଅଧିକାରୀଙ୍କ ଠାରୁ କୌଣସି ସୂଚନା ନ ମିଳିବାରୁ ପୁଣି ଥରେ ୬/୪/୨୦୨୪ରେ ଅପିଲ କରିଥିବା ଜଣା ପଡ଼ିଛି l ସୂଚନା ଯୋଗ୍ୟ ଯେ ଲାଞ୍ଜିଗଡ଼ ବ୍ଲକ ଶିକ୍ଷା ବିଭାଗକୁ ୨ଟି ସରକାରୀ ଉଚ୍ଚ ବିଦ୍ୟାଳୟ ପାଇଁ ସୂଚନା ଅଧିକାର ଆଇନ ବଳରେ ସୂଚନା ମାଗିଥିଲେ ଡମେ ମାଝୀ l ବିଜେପୁର ଓ ମାଳିଯୁବାଙ୍ଗ ସ୍କୁଲ ପାଇଁ ୨୦୧୮ ମସିହା ଠାରୁ ୨୦୨୨ ପର୍ଯ୍ୟନ୍ତ ବିଦ୍ୟାଳୟକୁ ଆସିଥିବା ସରକାରଙ୍କ ଅନୁଦାନ ପାଣ୍ଠି କେତେ ପ୍ରକାର ତାର ନାମ କଣ କଣ ଏବଂ କେଉଁ ପାଣ୍ଠିରେ କେତେ ଟଙ୍କା ବ୍ୟୟ ବରାଦ ହେଉଅଛି I ତାହାର ସମସ୍ତ ବିଲ ଭାଉଚର ସହିତ କାହା ନାମରେ କେତେ ଟଙ୍କା ଯାଇଛି ତାସହ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜଣେ ପ୍ରଧାନ ଶିକ୍ଷକ ହେବାପାଇଁ ତାହାର ସମସ୍ତ ପ୍ରକାର ସରକାରଙ୍କ ନିୟମାବଳୀ, ବିଦ୍ୟାଳୟ ପରିଚାଳନା କମିଟି ଗଠନ ପ୍ରକ୍ରିୟାର ନିୟମାବଳୀ ଏବଂ ବିଜେପୁର ଓ ମାଳିଯୁବାଙ୍ଗ ଉଚ୍ଚ ବିଦ୍ୟାଳୟର ଶ୍ରେଣୀ ହିସାବରେ ସର୍ବମୋଟ ଛାତ୍ରଛାତ୍ରୀ ସଂଖ୍ୟା କେତେ ଏତିକି ସୂଚନା ପାଇଁ ଆବେଦନ କରିଥିଲେ ଡମେ ମାଝୀ l ସୂଚନା ଅଧିକାର ଆଇନ ଅନୁସାରେ ଆବେଦନର ୩୦ଦିନରେ ସୂଚନା ପ୍ରଦାନ କରିବା କଥା କିନ୍ତୁ ଆବେଦନ କରି ବାରମ୍ବାର ଅପିଲ କଲା ପରେ ମଧ୍ୟ୍ୟ ଏବେ ଯାଏଁ କୌଣସି ସୂଚନା ମିଳି ନ ଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି ଡମେ ମାଝୀ l ଆବେଦନ କରି ୬ ମାସ ପରେ ବି କାହିଁକି ସୂଚନାଅଧିକାରୀ ସୂଚନା ଅଧିକାର ଆଇନ ବଳରେ ସୂଚନା ଦେବାକୁ ଏତେ ଭୟ କରୁଛନ୍ତି କାହିଁକି ବୋଲି ସାଧାରଣରେ ଚର୍ଚ୍ଚା ଜୋର ଧରିଛି l ଏହି ଖବର ଗଣମାଧ୍ୟମରେ ପ୍ରକାଶ ପରେ ପ୍ରଶାସନ ସୂଚନା ପ୍ରଦାନ ପାଇଁ କେତେଦୂର ତତ୍ପରତା ଦେଖାଉଛନ୍ତି ବୋଲି ଅଞ୍ଚଳବାସୀ ମତପ୍ରକାଶ କରିଛନ୍ତି I