ଅନୁସନ୍ଧାନ ଭାରତ(ବ୍ୟୁର): ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲ୍ଲା ଗଠନ ଦାବି ନେଇ ସ୍ବର ଉଠିଛି । ଆନ୍ଦୋଳନର ସ୍ବର ଧିରେ ଧିରେ ଶାଣୀତ ଏବଂ ଲୋକ ଆଦୁତ୍ୟ ହେବାକୁ ଲାଗିଲାଣି । ଭଞ୍ଜନଗର ଏକ ବୃହତ ଉପଖଣ୍ଡ ହୋଇଥିବା ବେଳେ ଏହାଠାରୁ କମ୍ ଭୌଗଳିକ ଓ ଜନସଂଖ୍ୟା ରହିଥିବା ଅଞ୍ଚଳ ଜିଲ୍ଲା ହୋଇ ସାରିଥିବା ବେଳେ ଘୁମୁସରକୁ ସ୍ବତନ୍ତ୍ର ଜିଲ୍ଲା ମାନ୍ୟତା ପ୍ରଦାନ କରିବାକୁ ବିଭିନ୍ନ ମହଲରୁ ଦାବି ହେଉଛି। ଉପଖଣ୍ଡର ୮ ଟି ବ୍ଳକ୍ ଓ ୫ ଟି ଏନ୍ଏସିକୁ ନେଇ ସ୍ବତନ୍ତ୍ର ଘୁମୁସର ଜିଲ୍ଲା ଗଠନ କରିବା ଦାବୀ ନେଇ ବିଭିନ୍ନ ସଂଘଠନ ପକ୍ଷରୁ ସୋମବାର ଭଞ୍ଜନଗରରେ ୧୨ ଘଣ୍ଟିଆ ବନ୍ଦ ପାଳନ ହୋଇଛି ।
ବିଭିନ୍ନ ସଙ୍ଗଠନ ପକ୍ଷରୁ ବହୁ ସଦସ୍ୟ ଏହି ବନ୍ଦ ରେ ସାମିଲ ହୋଇଥିଲେ । ବନ୍ଦ ଯୋଗୁଁ ଜନ ଜୀବନ ଅସ୍ତବ୍ୟସ୍ତ ହୋଇ ପଡ଼ିଥିଲା । ସକାଳ ୬ଟାରୁ ପିକେଟିଂ ଆରମ୍ଭ ହୋଇ ସନ୍ଧ୍ୟାରେ ଶେଷ ହୋଇଥିଲା । ବନ୍ଦ ପାଳନ ସମୟରେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ସେବା, ମହାବିଦ୍ୟାଳୟ ପରୀକ୍ଷା ଥିବାରୁ ବାଦ୍ ଦିଆଯାଇଥିଲା । ଭଞ୍ଜନଗର ବନ୍ଦ ଡାକରା ଯୋଗୁଁ ସହରର ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରହିବା ସହ ଡାକ ଓ ଜୀବନ ବୀମା କାର୍ଯ୍ୟାଳୟ ସମେତ ସମସ୍ତ ରାଷ୍ଟ୍ରାୟତ ବ୍ୟାଙ୍କରେ ପିକେଟିଂ କରାଯାଇ ବନ୍ଦ କରାଯାଇଥିଲା । ଅନ୍ୟପକ୍ଷରେ, ଯାନ ବାହାନ ଚଳାଚଳ ବନ୍ଦ ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଛି ।
ଏଥିରେ ଉତ୍କଳ ସାମ୍ବାଦିକ ସଂଘ, ଓକିଲ ସଂଘ, ବିପଦର ବନ୍ଧୁ ଓଡିଶା ସଂଗଠନ, ହ୍ୟୁମାନିଟି ସ୍ପେସ୍, ଘୁମୁସର ଲିଖିକା ସଂସଦ, ହେଲ୍ପ ଇଣ୍ଡିଆ ମୁଜାଗଡ, ବଜରଙ୍ଗ ଦଳ ଦଦରଲୁଣ୍ଡା, ବାଉଁଶଲୁଣ୍ଡି ରାଧାକୃଷ୍ଣ ନଦିଆ ସଂଘ, ରାଧାକୃଷ୍ଣ ପାଠାଗାର, ବାଞ୍ଚେଶ୍ବର ଲକ୍ଷ୍ମୀ ପୁଜା କମିଟି ବାଉଁଶଲୁଣ୍ଡି,ବରିଷ୍ଠ ନାଗରିକ ମଞ୍ଚ, ଆର.ସି.ୟୁନିଟି, ଚାଷୀ ମୂଲିଆ ସଂଘ, ଅଖିଳ ଭାରତୀୟ କ୍ଷେତ ମଜଦୁର କିସାନ ସଭା, ରୋଟାରି କ୍ଲବ୍ , ବାଣିଜ୍ୟ ସଂଘ, ଘୁମୁସର ଟେଣ୍ଟ ହାଉସ୍ ମାଲିକ ସଂଘ, ସଚେତନ ନାଗରିକ ମଞ୍ଚ, ଏକ ହୁଆଟସପ୍ ଗ୍ରୁପ (ଘୁମୁସର ଜିଲ୍ଲା ଆମର ଦାବି)ର ସଦସ୍ୟଙ୍କ ସମେତ ବହୁ ଯୁବ ଗୋଷ୍ଟି ସାମିଲ ହୋଇଥିବା ବେଳେ ରାଜନୈତିକ ଦଳ ବିଜେପି ଓ କଂଗ୍ରେସ ପକ୍ଷରୁ ଏହାକୁ ସମର୍ଥନ ଦିଆଯାଇଥିଲା । ଯୁବ ବିଜେପି ନେତା ଅଯୋଧ୍ୟା ନାଥ ମହାପାତ୍ର, ବିନାୟକ ତ୍ରିପାଠୀ, ପ୍ରଦ୍ୟୁମ୍ନ ନାୟକ, ରବୀନ୍ଦ୍ର କୁମାର ଗୌଡ଼, ସନ୍ତୋଷ ତିଆଡି, ଶିଵ ପ୍ରସାଦ ମହାପାତ୍ର, କଂଗ୍ରେସ ନେତା ଦେବୀ ପ୍ରସାଦ ବିଷୋୟୀ, ପ୍ରଶାନ୍ତ ବିଷୋୟୀ ପ୍ରମୁଖ ବନ୍ଦ ପାଳନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଦାବି ହୋଇଛି।