ଅନୁସନ୍ଧାନ ଭାରତ(ବ୍ୟୁର): ଘୁ.ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ମଧୁଝରି ନିକଟସ୍ଥ ଏକ ବରଗଛ ରେ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ I ଖବର ପାଇ ଘଟଣା ସ୍ଥଳରେ ପୁଲିସ ଅଧିକାରୀ ଅଜୟ କୁମାର ସ୍ୱାଇଁ ଏବଂ ଏସ.ଆଇ ବିନୟ କୁମାର ମହାରଣା ପହଞ୍ଚି ଘଟଣା ସମ୍ପର୍କରେ ତନଖି କରୁଥିବା ଦେଖିବାକୁ ମିଳିଛି I
ସୂଚନା ପ୍ରକାରେ ମୃତ୍ୟୁ ବରଣ କରିଥିବା ଯୁବକ ଜଣକ କିଲାକିଆ ଗ୍ରାମର କାନ୍ଦୁ ସାହୁଙ୍କ ପୁଅ ଦୀପକ ସାହୁ (18) I ମୃତକ ଦୀପକ ସାହୁ ଟେଣ୍ଟ ହାଉସରେ କାମ କରୁଥିବା ସୂଚନା ରହିଛି I ରଟିଙ୍ଗିଆର ଏକ ଭୋଜି କାମରେ ଟେଣ୍ଟ ହାଉସରେ ସେ କିଲାକିଆରୁ ଆସିଥିଲେ I କିନ୍ତୁ ରଟିଙ୍ଗିଆ ନିକଟସ୍ଥ ବରଗଛରେ ତାଙ୍କ ମୃତ ଦେହ ଦେଖିଲା ପରେ ଏହା ହତ୍ୟା ନା ଆତ୍ମହତ୍ୟା ବୋଲି ସ୍ଥାନୀୟ ଲୋକ ସନ୍ଦେହ କରୁଥିବା ଶୁଣିବାକୁ ମିଳୁଛି I କଟଡି଼ଙ୍ଗିଆ ଟେଣ୍ଟ ହାଉସ ମାଲିକ ଷଣ୍ଟୁ ନାୟକଙ୍କ ପାଖରେ ମୃତ ଦୀପକ ସାହୁ କାମ କରୁଥିଲେ I ଘଟଣା ସ୍ଥଳରେ ପରିବାର ଲୋକେ ପହଁଞ୍ଚି କନ୍ଦା ବୋବାଳ କରୁଛନ୍ତି I ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି I ପରିବାର ଲୋକେ ଦୀପକର ମୃତ୍ୟୁକୁ ସହଜରେ ଗ୍ରହଣ କରିପାରୁନାହାନ୍ତି ଏବଂ ଏହା ଏକ ଯୋଜନା ବଦ୍ଧ ହତ୍ୟା ବୋଲି ଅଭିଯୋଗ କରିଛନ୍ତି I