ଇଡ଼ାଇ ଇଡିତାଲ ଚଇତି ମଞ୍ଚ ଉପରକୁ ଢେଲା ପଥର ଓ ପାଣି ବୋତଲ ମାଡ଼, ପୁଲିସ ଓ ପ୍ରଶାସନ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ…..
ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ଇତିହାସରେ ପ୍ରଥମ ଥର ପାଇଁ ଲୋକ ମହୋତ୍ସବ ଇଡ଼ାଇ ଇଡିତଲ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଘଟଣ ଓ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ଯାହାକି ଉପଖଣ୍ଡ ପ୍ରଶାସନ ଓ ପୁଲିସର ଅନଭିଜ୍ଞତାକୁ ପଦାରେ ପକେଇ ଦେଇଛି । ଗତକାଲି ସନ୍ଧ୍ୟାରେ ଗୁଣପୁର ଚଇତି ମଣ୍ଡପରେ ଚଇତି ମହୋତ୍ସବ ଇଡ଼ାଇ ଇଡିତାଲ୍ ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଘାଟିତ ହୋଇଥିଲା । ଏଥିରେ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପ୍ରମୁଖ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ବିଶେଷ ଆକର୍ଷଣ ଭାବେ ଓଲିଉଡ ଅଭିନେତ୍ରୀ ରିୟା ଦେଓ ମଧ୍ୟ ଯୋଗ ଦେଇଥିଲେ । ଅବଶ୍ୟ ରିୟା ଦେଓଙ୍କ କାର୍ଯ୍ୟକ୍ରମ ରାତ୍ରି ୯ ଟା ସୁଦ୍ଧା ଶେଷ ହୋଇଥିଲା । ତେବେ ସ୍ଥାନୀୟ କଳାକାରମାନଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ ରାତ୍ର ୧୨ ପର୍ଯ୍ୟନ୍ତ ଜାରୀ ରହିଥିଲାବ। ତେବେ ଗତକାଲି ରାତ୍ରି ପ୍ରାୟ ୧୧ ଘଣ୍ଟା ସମୟରେ ଗୁଣପୁରର ଏକ ମେଲୋଡି କାର୍ଯ୍ୟକ୍ରମ ଚାଲୁଥିବା ବେଳେ ହଠାତ ୩୦୦ ରୁ ଉର୍ଦ୍ଧ ଲୋକ ମଞ୍ଚରେ ନାଚ କରିବାରେ ଲାଗିଥିଲେ I ସେଥିରେ କିଛି ଦର୍ଶକ ଗ୍ୟାଲେରୀ ମଞ୍ଚ ଉପରକୁ ଇଟା, ପଥର, ପାଣି ବୋତଲ ମାଡ଼ କରି ଥିଲେ । ଦର୍ଶକେ ମଞ୍ଚ ଉପରକୁ ଉଠି ଆସିଥିଲେ । ସେତେବେଳେ ନା କୌଣସି ସରକାରୀ ଅଧିକାରୀ ନା ପୋଲିସ୍ କେହି ହେଲେବି ନ ଥିଲେ । ଯାହା ଫଳରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା । କେତେକ ଅସାମାଜିକ ବ୍ୟକ୍ତି ବିଶେଷ ମଦ୍ୟପାନ କରି ବିଶୃଙ୍ଖଳା ଘଟେଇଥିବା ଯୋଗୁଁ ବାଧ୍ୟ ହୋଇ କାର୍ଯ୍ୟକ୍ରମ ବନ୍ଦ କରାଗଲା ବୋଲି ମେଲୋଡି ପରିଚାଳକ କହିଛନ୍ତି । ତେବେ ଉପଖଣ୍ଡ ପ୍ରଶାସନ ଏକ ସରକାରୀ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ଆୟୋଜନ କରେଇ ନ ପାରିବା ନିହାତି ନିନ୍ଦନୀୟ ଘଟଣା ବୋଲି ଅଞ୍ଚଳରେ ମତପ୍ରକାଶ ପାଇଛି । ଯଦି କୌଣସି କଳାକାରଙ୍କ କିଛି ଅସୁବିଧା ହୋଇଥାନ୍ତା ତାହା ହେଲେ କିଏ ଦାୟୀ ରହିଥାନ୍ତା ? କେଉଁ କାରଣ ପାଇଁ ପ୍ରଶାସନ ଓ ପୁଲିସ୍ ସେଠାରେ ଉପସ୍ଥିତ ନ ଥିଲେ ? ଏହାର ତଦନ୍ତ ହେବା ଜରୁରୀ ବୋଲି ସ୍ଥାନୀୟ ବାସିନ୍ଦା ଦାବୀ କରିଛନ୍ତି । ଏହା ବ୍ୟତୀତ ପ୍ରଶାସନକୁ କେତୋଟି ଦିଗ ପ୍ରତି ଗୁରୁତ୍ୱ ଦେବା ଆବଶ୍ୟକ । ପ୍ରଥମେ ବୈଠକ ଓ କାର୍ଯ୍ୟକ୍ରମର ସମୟ ସୀମିତ ରଖିବା, ବ୍ୟାରିକେଟ ଠିକ୍ ଭାବେ ନିର୍ମାଣ, ମଦ ଦୋକାନ ବନ୍ଦ ଓ ମଦ୍ୟପାନ କରି ବିଶୃଙ୍ଖଳା ଆଚରଣ କରୁଥିବା ବ୍ୟକ୍ତିଙ୍କୁ ଗିରଫ, ମଞ୍ଚ ନିକଟରେ ଓ ଭିତରେ ବ୍ୟାପକ ପୁଲିସ ମୁତୟନ କରିବା ନିହାତି ଆବଶ୍ୟକ। ନଚେତ ଶାନ୍ତି ପ୍ରିୟ ଗୁଣପୁର ସହରର ପରିଚୟ ମଳିନ ପଡିଯିବ I ଏଥିପାଇଁ ପ୍ରଶାସନ ଓ ପୋଲିସ୍ ହିଁ ଦାୟୀ ରହିବେ ବୋଲି ଅଂଚଳ ବାସୀ ମତପ୍ରକାଶ କରିଛନ୍ତି । ସେହିଭଳି ଗଣମାଧ୍ୟମ ପ୍ରତିନିଧିମାନେ ବସିବାକୁ ସ୍ଥାନର ଅଭାବ ଦେଖାଦେଇଥିଲା । ପ୍ରେସ ଗ୍ୟାଲେରୀରେ ସାଧାରଣ ଦର୍ଶକ ବସିରହିଥିଲେ । ଏନେଇ ଗୁଣପୁର ଥାନା ଅଧିକାରୀଙ୍କୁ ପଚାରିବାରୁ ଆଜିଠାରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି କହିଛନ୍ତି ।