ଅନୁସନ୍ଧାନ ଭାରତ(ବ୍ୟୁର): ଆନ୍ଦୋଳନରତ ଓକିଲଙ୍କ ଲାଇନସେନ ରଦ୍ଦ କରାଯାଉ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପ୍ରତିବାଦ କରି ରାୟଗଡା ଜିଲା ଗୁଣପୁର ଓକିଲ ସଂଘର ବନ୍ଦ ପାଳନ କରାଯିବା ସହ ଧାରଣା ଦେଇଥିଲେ । ଓଡିଶା ରାଜ୍ୟ କ୍ରିୟାନୁଷ୍ଠାନ କମିଟିର ଡାକରାରେ ଏହି ବନ୍ଦ ପାଳନ କରାଯାଇଥିଲା । ପଶ୍ଚିମ ଓଡିଶା ସହ ରାଜ୍ୟର ବିଭିନ୍ନ ସ୍ଥାନରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବୀରେ ଓକିଲମାନେ ଆନ୍ଦୋଳନ କରୁଥିବାବେଳେ ମାନ୍ୟବର ସୁପ୍ରିମକୋର୍ଟ ଏହାକୁ ଗୁରୁତର ସହ ନେଇଥିଲେ । ଓକିଲଙ୍କ ଆନ୍ଦୋଳନ ବେଆଇନ ଦର୍ଶାଇବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ରାଜ୍ୟ ପୁଲିସକୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହ ଓକିଲଙ୍କ ଲାଇସେନସ ରଦ୍ଦ କରାଯିବାକୁ ଆଲ ଇଣ୍ଡିଆ ବାର କାଉନସିଲକୁ ନିର୍ଦ୍ଦେଶ ଦେଇଥିଲେ । ଏହାର ପ୍ରତିବାଦରେ ଓକିଲମାନଙ୍କ ମଧ୍ୟରେ ତିବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ସୁପ୍ରିମକୋର୍ଟ ନିର୍ଦ୍ଦେଶକୁ କଡା ସମାଲୋଚନା କରିବା ସହ ଓକିଲଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେବା ସହ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି । ତେଣୁ ସୁପ୍ରିମକୋର୍ଟ ତାଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାହାର କରିବା ସହ ଓକିଲଙ୍କ ସାମ୍ବିଧାନିକ ଅଧିକାର ବଜାୟ ରଖନ୍ତୁ ବୋଲି ଦାବୀ କରାଯାଇଛି । ଗୁଣପୁର ଓକିଲ ସଂଘର ସଭାପତି ବ୍ରହ୍ମାନନ୍ଦ ପଟ୍ଟନାୟକ, ସଂପାଦକ ଜଗଦିଶ ଗମାଙ୍ଗଙ୍କ ସମେତ ବରିଷ୍ଠ ଏବଂ କନିଷ୍ଠ ଆଇନଜିବୀମାନେ ଉପସ୍ଥିତ ରହିଥିଲେ । ଓକିଲଙ୍କ ବନ୍ଦ ପାଳନ ଯୋଗୁଁ ମହକିଲମାନଙ୍କୁ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେବାକୁ ପଡିଥିବାବେଳେ ବିଭିନ୍ନ କୋର୍ଟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା ।