ସ୍କୁଟିକୁ ଘୋଷାରି ନେଲା କାର, ବାପା ଓ ପୁଅ ଗୁରୁତର ଆହତ…

ଅନୁସନ୍ଧାନ ଭାରତ(ବ୍ୟୁର): ଆଜି ବେପରୁଆ ଗାଡ଼ି ଚାଳନା ଯୋଗୁଁ କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ସହର ସ୍ଥିତ ଗାନ୍ଧୀ ଛକ ଠାରେ ଏକ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ଗାନ୍ଧୀ ଛକ ଠାରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ ଓଆର-୦୨-ଜେଡ-୩୨୭୧ ନମ୍ବର ଏକ କାର ଓଡି ୧୨ ୮୬୭୯ ନମ୍ବର ସ୍କୁଟିକୁ ଧକ୍କା ଦେବା ପରେ ସ୍କୁଟିକୁ ପ୍ରାୟ ୧୫ ମିଟର ପର୍ଯ୍ୟନ୍ତ ଘୋଷାରି ନେଇଥିଲା I ଫଳରେ ଏହି ଦୁର୍ଘଟଣାରେ ସ୍କୁଟି ଆରୋହୀ ଶ୍ରୀରାମପଦାର ମିଥୁନ ପ୍ରଧାନ(୩୨) ଏବଂ ତାଙ୍କ ପୁଅ ସରିଆନ ପ୍ରଧାନ(୧୨) ଆହତ ଗୁରୁତର ହୋଇଛନ୍ତି ଏବଂ ତାଙ୍କ ପତ୍ନୀ ନିବେଦିତା ପ୍ରଧାନ (୩୦) ସାମାନ୍ୟ ଆହତ ହୋଇଥିବା ବେଳେ ତାଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ଆହତ ସମସ୍ତଙ୍କୁ କାର୍ଯ୍ୟରତ ଡ଼ାକ୍ତର ପ୍ରାଥମିକ ଚିକିତ୍ସା କରିବା ସହ ୧୨ ବର୍ଷର ବାଳକ ସାରିଆନ ପ୍ରଧାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ସହରର ମୁଖ୍ୟ ଜନଗହଳି ପୂର୍ଣ୍ଣ ଗାନ୍ଧୀ ଛକରେ କାର ଚାଳକଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସାଧାରଣରେ ଚର୍ଚ୍ଚା ହେଉଛି ଏବଂ ସ୍ଥାନୀୟ ପୁଲିସ ଦ୍ୱାରା ଟ୍ରାଫିକ ବ୍ୟବସ୍ଥାକୁ କଡ଼ା କଡ଼ି କରିବା ନିମନ୍ତେ ଦାବୀ ହେଉଛି । ଦୁର୍ଘଟଣା ପରେ କାର ଚାଳକ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ସୂଚନା ମିଳିଛି I ଖବର ପାଇ ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ଅଧିକାରୀ ଅନନ୍ତ କୁମାର ପ୍ରଧାନ ଘଟଣା ସ୍ଥଳରେ ପହଞ୍ଚି ୧୫୪/୨୨ ରେ ଏକ କେସ ରୁଜୁ କରି ତଦନ୍ତ ଚଳାଇ ଫେରାର କାର ଡ୍ରାଇଭରକୁ ଧରିବାକୁ ଉଦ୍ୟମ ଜାରି ରଖିଥିବା ସୂଚନା ମିଳିଛି।