ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି ପାଇଁ ପ୍ରଶାସନର ନାହିଁ ତତ୍ପରତା, ମୃତ ଶିଶୁ ଜନ୍ମ ଦେବାର ସପ୍ତାହ ପରେ ନିରୀହ ମହିଳାଙ୍କ ମୃତ୍ୟୁ…
ଅନୁସନ୍ଧାନ ଭାରତ(ବ୍ୟୁର): ପ୍ରଶାସନର ଅବହେଳା ଯୋଗୁଁ କନ୍ଧମାଳ ଜିଲ୍ଲା ଅଧୀନସ୍ଥ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି ହୋଇନ ଥିବାରୁ ଗୋଟିଏ ପରେ ଗୋଟିଏ ଗର୍ଭବତୀ ମହିଳାମାନଙ୍କ ମୁଣ୍ଡ ଗଡ଼ିବାରେ ଲାଗିଛି I ହେଲେ ମଧ୍ୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ବିଶେଷଜ୍ଞଙ୍କ ପଦଵୀ ପୁରଣ ସହ ଅନ୍ୟ ସମସ୍ୟାର ସମାଧାନ ପାଇଁ ପ୍ରଶାସନର ତତ୍ପରତା ଦେଖା ଦେଇ ନାହିଁ I ରାଜ୍ୟ ସରକାର ଜନସାଧାରଣଙ୍କ ନିମନ୍ତେ ଜନ୍ମ ଠାରୁ ମୃତ୍ୟୁ ପର୍ଯ୍ୟନ୍ତ ବିଭିନ୍ନ ଯୋଜନାମାନ ଘୋଷଣା କରୁଥିବା ବେଳେ ଆଜି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି I ଘୁ.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ଼ ନମ୍ବର ୯ ବସ ଷ୍ଟାଣ୍ଡ ସାହି ବାସିନ୍ଦା କାମିନୀ ବେହେରା(୨୧) ଦୁଇ ବର୍ଷ ପୂର୍ବେ ନୟାଗଡ଼ ଜିଲ୍ଲା ଇଟାମାଟିର ସୁକୁମାର ମଲ୍ଲିକ (୨୫) ନାମକ ଏକ ଯୁବକ ଙ୍କୁ ଭଲ ପାଇ ବିବାହ କରିଥିଲେ I ଗତ ୦୩-୧୧୧-୨୦୨୨ ତାରିଖରେ ଗର୍ଭଜନୀତ ଯନ୍ତ୍ରଣା ଯୋଗୁଁ ଘୁ.ଉଦୟଗିରି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ ପରିବାର ଲୋକେ I ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନ ଥିବାରୁ ଗର୍ଭବତୀ ମହିଳାଙ୍କୁ କାର୍ଯ୍ୟରତ ଡାକ୍ତର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ I ଡିସେମ୍ବର ମାସରେ ଡେଲିଭେରୀ ସମୟ ଥିବା ଥିବା ଯୋଗୁଁ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭଲ ଥିବା କହି ତା ଡିସ୍ଚାର୍ଜ କରିଦେଇଥିଲେ I ସେଠାରୁ ଆସି ଗତ ୧୦-୧୧-୨୦୨୨ ତାରିଖରେ ମହିଳା କାମିନୀ ବେହେରା ଘୁ.ଉଦୟଗିରି ଡାକ୍ତରଖାନାରେ ଏକ ମୃତ ଶିଶୁ ପୁତ୍ର ଜନ୍ମ ଦେଇଥିଲେ I ମୃତ ଶିଶୁଙ୍କୁ ଜନ୍ମ ଦେବା ପରେ ମହିଳାଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡ଼ିବାରୁ ପୁଣିଥରେ କାର୍ଯ୍ୟରତ ଡାକ୍ତର ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ରେଫର କରିଥିଲେ I ସେଠାରୁ କିଛି ଦିନ ଉକ୍ତ ମହିଳା ଙ୍କ ଚିକିତ୍ସା ପରେ ୧୫-୧୧-୨୦୨୨ ରେ ଭଲ ଥିବା କହି ଡାକ୍ତରଖାନାରୁ ବିମୁକ୍ତ କରିଥିଲେ I ଆଜି ଅର୍ଥାତ ୧୮-୧୧-୨୦୨୨ ସକାଳୁ ମହିଳା କାମିନୀ ବେହେରା ଙ୍କ ମୁଣ୍ଡ ବିନ୍ଧିବା ସହ ଉଚ୍ଚ ରକ୍ତଚାପ କାରଣରୁ ତାଙ୍କ ସ୍ୱାମୀ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ ଏବଂ କାର୍ଯ୍ୟରତ ଡାକ୍ତର ଗୋଲକ ବିଶ୍ୱାଳ ତାଙ୍କର ଚିକିତ୍ସା କରିଥିଲେ I କିନ୍ତୁ ପରବର୍ତ୍ତୀ ସମୟରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ I ସ୍ଥାନୀୟ ଚିକିତ୍ସାଳୟରେ ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନ ଥିବାରୁ ମୃତ୍ୟୁ ହୋଇଥିବା କହି ସ୍ଥାନୀୟ ଲୋକେ ଦୁଃଖ ପ୍ରକାଶ I ଉଚ୍ଚ ରକ୍ତ ଚପଜନିତ ମୃତ୍ୟୁ ଘଟିଥିବା କହିଛନ୍ତି ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ରତିକାନ୍ତ ସାହୁ I ଯଥାଶୀଘ୍ର ସ୍ତ୍ରୀ ଓ ପ୍ରସୂତି ବିଶେଷଜ୍ଞ ନିଯୁକ୍ତି ସହ ଅନ୍ୟ ସମସ୍ୟା ଗୁଡ଼ିକ ସମସ୍ୟା ସମାଧାନ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ଦାବୀ କରିଛନ୍ତି ଅଞ୍ଚଳ ବାସୀ I