ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ଭଂଜନଗର ସ୍ଥିତ ତାରାସିଙ୍ଗି ଥାନା ଅଧିନ ଲେମ୍ଭେଇ ପଞ୍ଚାୟତର ବାଲିସାହି ଗ୍ରାମରେ ନଡ଼ିଆ ଗଛରୁ ଖସିପଡି ଲଷ୍ମଣ ନାଇକଙ୍କ ପୁଅ ବିଷ୍ଣୁ ନାଇକ (୩୫)ଙ୍କ ମୃତ୍ୟୁ ଘଟିଛି । ଘଟଣା ପ୍ରକାରେ, ବିଷ୍ଣୁ ବୁଧବାର ଅପରାହ୍ନରେ ଗ୍ରାମର ଜୈନିକ ବ୍ୟକ୍ତିଙ୍କ ଘର୍ ବାରିପେଟ ଥିବା ନଡିଆ ଗଛରେ ଚଢିଥିବା ବେଳେ ଭାରସାମ୍ୟ ହରାଇ ତଳେ କଚାଢ଼ି ହୋଇ ପଡ଼ିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇ ଭଞ୍ଜନଗର ମେଡ଼ିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ବିଷ୍ଣୁଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଏ ସମ୍ପର୍କରେ ତାରାସିଙ୍ଗି ଥାନାରେ ଅଭିଯୋଗ ହୋଇନଥିବା ବେଳେ ମେଡ଼ିକାଲ କର୍ତ୍ତୃପକ୍ଷ ଶବ ବ୍ୟବଚ୍ଛେଦ ନକରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିବା ଜଣାପଡ଼ିଛି । ମୃତ ବିଷ୍ଣୁ ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ୧୦ ବର୍ଷ ଧରି ନଡ଼ିଆ ଗଛରେ ଚଢି ନିଜ ପରିବାର ଗୁଜୁରାଣ ମେଣ୍ଟାଉ ଥିବା ବେଳେ ତାର ଗୋଟିଏ ଛୋଟ ପୁଅ ଓ ଝିଅ ରହିଛନ୍ତି । ପ୍ରଶାସନ ପକ୍ଷରୁ ଘଟଣାର ତଦନ୍ତ କରାଯାଇ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି ହୋଇଛି ।