ଅନୁସନ୍ଧାନ ଭାରତ(ବ୍ୟୁର): ଯୌତୁକ ନିର୍ଯ୍ୟାତନା ଦିଆଯାଇ ବିବାହର ପାଞ୍ଚ ମାସ ନପୁରୁଣୁ ନବବଧୁକୁ ହତ୍ୟା କରାଯାଇଥିବା ଗଂଜାମ ଜିଲ୍ଲା ଭଞ୍ଜନଗର ଥାନାରେ ଅଭିଯୋଗ ହୋଇଛି । ଏଭଳି ଏକ ଅଭାବନୀୟ ଘଟଣା ବିଲିପଡା ଗ୍ରାମରେ ଦେଖିବାକୁ ମିଳିଛି । ଏହି ଥାନା ଅନ୍ତର୍ଗତ ସାର୍ଦ୍ଦୁଳ ଗ୍ରାମର ପୂର୍ଣ୍ଣ ଚନ୍ଦ୍ର ଆରୁଖଙ୍କ ବଡ ଝିଅ ନାରାୟଣି ଆରୁଖ(ବର୍ଷା) ନିଜ ବଡମାର ପୁଅ ବିଲିପଡା ଗ୍ରାମର କିଶୋର ପ୍ରଧାନଙ୍କ ପୁଅ ବିଭୁତି କୁମାର ପ୍ରଧାନକୁ ବୈଦିକ ରୀତିରେ ବିବାହ କରିଥିଲେ । ଶାଶୁଘର ଲୋକ ଯୌତୁକ ବାବଦରେ ମିଳିଥିବା ଆସବାବପତ୍ର ଶସ୍ତା ଦରର ହୋଇଥିବା ଏବଂ ପିନ୍ଧିଥିବା ସୁନାଚେନ୍ ଲକେଟ୍ ପାଇଁ ୬୦ହଜାର ଟଙ୍କା ବାପଘରୁ ଆଣିବାକୁ ନାରାୟଣୀକୁ ଲୋକେ ଚାପ ପକାଉଥିଲେ । ଶୁକ୍ରବାର ଅମାନୁଷିକ ଭାବେ ନାରାୟଣୀକୁ ଶାଶୁ ଘର୍ ଲୋକେ ପିଟି ପିଟି ତଣ୍ଟି ଚିପି ସେମାନେ ହତ୍ୟା କରିଥିବା ଜଣାପଡିଛି। ସବୁଦିନ ଭଳି ଶୁକ୍ରବାର ସନ୍ଧ୍ୟାରେ ଯେତେବେଳେ ନାରାୟଣୀର ପରିବାର ଲୋକେ ଝିଅ ସହିତ କଥାହେବା ପାଇଁ ଫୋନ୍ କରିଥିଲେ ସେତେବେଳେ ତାର ଶାଶୁଘର ଲୋକେ ବିଭିନ୍ନ ବାହାନା କରି କଥା ହେଉଥିଲେ । ଝିଅ ଘର ଲୋକେ ସନ୍ଦେହ ହେବାରୁ ବାଧ୍ୟହୋଇ ପଡୋଶି ଘରକୁ ଫୋନ କରି ପ୍ରକୃତ ଘଟଣା ଜାଣିବାକୁ ଚେଷ୍ଟା କରିଥିଲେ ଏବଂ ଶୁଣିବାକୁ ପାଇଲେ ଯେ ଝିଅ ସଂଜ୍ଞାହୀନ ଅବସ୍ଥାରେ ଖଟରେ ଶୋଇ ରହିଛି । ତେଣୁ ସେମାନେ ତୁରନ୍ତ ମେଡିକାଲ ଆଣିବା ପାଇଁ କହିଥିଲେ । ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତର ପରୀକ୍ଷା କରି ସାତ ଆଠ ଘଣ୍ଟା ପୂର୍ବରୁ ନାରାୟଣୀର ମୃତ୍ୟୁ ଘଟିଥିବା କହିଥିଲେ । ନାରାୟଣୀର ବେକ, ଆଖି, ହାତ ଓ ମୂହଁର ବିଭିନ୍ନ ସ୍ଥାନରେ ଆଘାତ ଲାଗିଥିବା ଜଣାପଡିଛି । ଏସମ୍ପର୍କରେ ଥାନାରେ ଝିଅର ବାପା ପୂର୍ଣ୍ଣଚନ୍ଦ୍ର ଆରୁଖ ଅଭିଯୋଗ କରିବା ପରେ ପୁଲିସ ଶବ ଜବତ କରିବା ସହ ଶନିବାର ମାଜିଷ୍ଟେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ତଦନ୍ତ କରି ଫେରିଛି । ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶନିବାର ଅପରାହ୍ନରେ ହସ୍ତାନ୍ତର କରାଯାଇଛି । ଏହି ଘଟଣାରେ ଭଞ୍ଜନଗର ଥାନା ପୁଲିସ ୫୫୭/୨୨ନଂ ରେ ନିର୍ଯ୍ୟାତନା ଓ ହତ୍ୟା ମାମଲା ରୁଜୁ କରି ସ୍ୱାମୀ ବିଭୁତି, ଶାଶୁ ବିଷ୍ଣୁପ୍ରିୟା ପ୍ରଧାନ ଓ ଦେଢ଼ଶାଶୁ କଲ୍ୟାଣି ପ୍ରଧାନକୁ ଅଟକ ରଖି ଯାଇ ତଦନ୍ତ ଜାରି ରହିଥିବା ଥାନାଧିକାରୀ ଧୀରେଶ କୁମାର ଦାସ ସୂଚନା ଦେଇଛନ୍ତି ।