ବେଲଗୁଣ୍ଠାରେ ଅଘଟଣ, ବିଦ୍ୟୁତ ସଂସ୍ପର୍ଶରେ ବ୍ୟବସାୟୀଙ୍କ ମୃତ୍ୟୁ…..

ଅନୁସନ୍ଧାନ ଭାରତ(ବ୍ୟୁର): ଗଂଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଜି.ନୂଆଗାଁ ନୂଆସାହିର ମୁରଲୀଧର ପରିଡା (୪୨)ଙ୍କ ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁ ଘଟିଥିବା ଜଣାପଡିଛି । ମୁରଲୀ ଗତ ଚାରି ବର୍ଷ ହେଲା ଏହି ଗ୍ରାମ ଭଗବତ ମନ୍ଦିର ଜମିରେ ଗୁଡ଼ି ଓ ବାଲି ବ୍ୟବସାୟ କରି ଆସୁଥିଲେ । ଦୋକାନ ଉପରେ ଏକ ୧୧କେଭି ବିଦ୍ୟୁତ ତାର ଦୀର୍ଘ ଦିନ ହେଲା କମ ଉଚ୍ଚରେ ଓହଳି ରହିଥିଲା । ଏହାକୁ ହଟାଇବାକୁ ବାରମ୍ବାର ବିଦ୍ୟୁତ ବିଭାଗକୁ ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନଥିବା ମୃତକ ଙ୍କ ମାଆ କୁନ୍ତଳା ପରିଡା ଅଭିଯୋଗ କରିଛନ୍ତି । ଯାହାଫଳରେ ଆଜି ସନ୍ଧ୍ୟା ୬ଟା ସମୟରେ ମୁରଲୀ କୌଣସି କାରଣରୁ ଉକ୍ତ ବିଦ୍ୟୁତ ତାରରେ ଲାଗି ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକମାନେ ତାଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡ଼ିକାଲକୁ ଆଣିଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବିଦ୍ୟୁତ ବିଭାଗର ଚରମ ଅବହେଳା ଯୋଗୁଁ ଜଣେ ଯୁବକର ମୃତ୍ୟୁ ଘଟିବାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି ।