ଅନୁସନ୍ଧାନ ଭାରତ(ବ୍ୟୁର): ତାରାସିଂ ଥାନା ଗଜାପଦର ଗ୍ରାମରେ ଟଙ୍କା ପାଇଁ ନିଜ ଜନ୍ମକଲା ମାଆକୁ ଅତି ନିର୍ମମ ଭାବେ ହତ୍ୟା କରିଛି ପୁଅ । ମୃତ ମହିଳା ଜଣକ ହେଲେ ତ୍ରିବେଣୀ ନାୟକ (୫୦) । ସୂଚନା ମୁତାବକ ଗଜା ପଦର ଗ୍ରାମରେ ପୁଅ ସନା ନାୟକ ସହିତ ମାଆ ତ୍ରିବେଣୀ ରହୁଥିଲେ । ହେଲେ ସନା ଜଣେ ମଦ୍ୟପ ପ୍ରକୃତିର ହୋଇଥିବାରୁ ସବୁବେଳେ ମାଆ ତ୍ରିବେଣୀକୁ ଟଙ୍କା ମାଗୁଥିଲା । ଯାହାକୁ ନେଇ ଅଧିକାଂଶ ସମୟରେ ଘରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ୪ଦିନ ତଳେ ତ୍ରିବେଣୀ ସମର୍କୀୟଙ୍କ ଘରୁ ନିଜ ଘରକୁ ଫେରିଥିଲେ । ଶୁକ୍ରବାର ରାତିରେ ସନା ନିଶାସକ୍ତ ଅବସ୍ଥାରେ ଆସି ତ୍ରିବେଣୀକୁ ଟଙ୍କା ମାଗିଥିଲା ହେଲେ ତ୍ରିବେଣୀ ମନା କରିବାରୁ ଦୁହିଙ୍କ ମଧ୍ୟରେ ଝଗଡା ହୋଇଥିଲା । ସନା ଉତ୍ତ୍ୟକ୍ତ ହୋଇ ଏକ ଲୁହା ରଡ଼ ସାହାଯ୍ୟରେ ତ୍ରିବେଣୀର ମୁଣ୍ଡକୁ ଶକ୍ତ ଆଘାତ ଦେଇଥିଲା । ଶନିବାର ସକାଳେ ପଡୋଶୀମାନେ ତ୍ରିବେଣୀକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡି ରହିଥିବା ଦେଖି ପୁଲିସକୁ ଖବର ଦେଇଥିଲେ । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତନାଘନା କରିବା ସହିତ ପୁଅକୁ ଅଟକ ରଖି ତଦନ୍ତ ଚଳାଇଛି । ଏଥି ସହିତ ଛତ୍ରପୁରରୁ ସାଇଣ୍ଟିଫିକ ଟିମ ଆସି ତଦନ୍ତ କରି ଫେରିଥିବା ଜଣା ପଡ଼ିଛି । ମୃତଦେହକୁ ପୁଲିସ ଜବତ କରି ଭଞ୍ଜନଗର ମେଡ଼ିକାଲ ବ୍ୟବଚ୍ଛେଦ ପାଇଁ ପଠେଇଥିବା ବେଳେ ଏସମ୍ପର୍କରେ ତାରସିଂ ଥାନା କେସ ନଂ ୩୨୧/୨୨ ଏକ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ପ୍ରଦୀପ୍ତ କୁମାର ଦାସ ସୂଚନା ଦେଇଛନ୍ତି ।