ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ଓଷପଡା ଠାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି l ଯାହା ଦୁଇଜଣ ଆଦିବାସୀ ଯୁବତୀକୁ ଜଣେ ଯୁବକ କୌଣସି କାରଣରୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିବା ଫଳରେ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବେଳେ ଅନ୍ୟ ଯୁବତୀ ଆଂଶିକ ଆଘାତ ହୋଇଛନ୍ତି l ଏହା ପରେ ଅଭିଯୁକ୍ତ ମଧ୍ୟ ନିଜ ଛୁରୀରେ ବେକ କାଟି ଆତ୍ମହତ୍ୟା ଉଦ୍ୟମ କରି ଥିଲେ l ଯୁବକ ଜଣକ ବର୍ତ୍ତମାନ ଗୁରୁତର ଅବସ୍ଥାରେ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହେଇଥିବା ଜଣାପଡିଛି l ଖବର ପାଇ ଟିକିରି ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ବ କରିଥିବା ଦେଖିବାକୁ ମିଳିଛି l ସୂଚନା ପ୍ରକାରେ ଆଜି ଦ୍ବୀପହର ସମୟରେ ଓଷପଡା ସ୍ଥିତ ଏକ ଘର ନିର୍ମାଣ କାର୍ଯ୍ୟରେ ନିକଟରେ ଥିବା ସାନ ମାଟିକୋଣା ଗ୍ରାମର ଦୁଇ ଯୁବତୀ ରିମା ମାଝି ଓ ଝୁମ୍ପାନୀ ମାଝି କାମ କରୁଥିଲେ l ହେଲେ ଦ୍ବୀପହର ଖାଇଛୁଟି ସମୟରେ ହାଥମୁଣ୍ଡା ଗାଁ ଗ୍ରାମର ପ୍ରକାଶ ପ୍ରଧାନୀ(ରସିକ) ସେହି ଘର ନିର୍ମାଣ ସ୍ଥାନକୁ ପହଞ୍ଚି ଥିଲା l ସେଠାରେ ସେ ଉକ୍ତ ଦୁଇ ଯୁବତୀ ସହ କିଛି ସମୟ କଥା ଆରମ୍ଭ କରିଥିଲା l ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ କୌଣସି କାରଣରୁ ତିକ୍ତତା ଆରମ୍ଭ ହେଇଯାଇଥିଲା l ଏଥିରେ ପ୍ରକାଶ ପ୍ରଧାନୀ(ରସିକ) ଏକ ଧାରୁଆ ଛୁରୀ ଦ୍ୱାରା ରିମାକୁ ଆକ୍ରମଣ କରିଥିଲା l ଏସବୁ ଦେଖି ଝୁମ୍ପାନୀ ମାଝି ରିମାକୁ ରସିକର ଆକ୍ରମଣ କବଳରୁ ବଞ୍ଚାଇବାକୁ ଚେଷ୍ଟା କରୁଥିବାବେଳେ ଝୁମ୍ପାନର ହାତରେ ଛୁରୀର ଆଘାତ ହୋଇ ରକ୍ତାକ୍ତ ହୋଇ ଯାଇଥିଲା l କିନ୍ତୁ ଏହି ଆକ୍ରମଣରେ ରିମା ମାଝିଙ୍କୁ ଗଳା କଟି ଯାଇ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା l ରିମାର ମୃତୁ ହେଇଯାଇଥିବା ଜାଣିପାରି ଅଭିଯୁକ୍ତ ରସିକ ପ୍ରଧାନୀ ନିଜେ ସେହି ଛୁରୀରେ ନିଜ ବେକ କାଟି ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲା l କିନ୍ତୁ ଗୁରୁତର ହୋଇ ଛଟପଟ ହେଉଥିବାବେଳେ ଏ ଘଟଣା ଜାଣି ନିକଟରେ ଥିବା କିଛି ଲୋକ ପହଞ୍ଚି ତୁରନ୍ତ ପ୍ରଥମେ ରସିକ ପ୍ରଧାନୀକୁ ନିକଟରେ ଥିବା ଉତ୍କଳ ମେଡ଼ିକାଲରେ ଭର୍ତ୍ତି କରିଥିଲେ l ସେଠାରେ ପ୍ରାଥମିକ ଚିକିତ୍ସା ପରେ ରସିକର ଅବସ୍ଥା ସଙ୍କଟାପନ୍ନ ହେଇଯିବା ଫଳରେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି l ବର୍ତ୍ତମାନ ପୁଲିସ ପ୍ରାଥମିକ ତଦନ୍ତ ଚାଲୁରଖିଥିବା ବେଳେ ରାୟଗଡା ଠାରୁ ଫରେନସିକ ଟିମର ଅପେକ୍ଷ ଥିବା ଓ ଘଟଣା ସମ୍ପର୍କରେ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡି ନ ଥିବାବେଳେ ଏହା ଏକ ପ୍ରେମ ଜନିତ ହତ୍ୟାକାଣ୍ଡ ହେଇଥିବ ବୋଲି ତଦନ୍ତ ପୁଲିସ ଅଧିକାରୀ ପକ୍ଷରୁ ପ୍ରକାଶ କରାଯାଇଛି l