ଅନୁସନ୍ଧାନ ଭାରତ(ବ୍ୟୁର): ରାଜ୍ୟରେ ଚାକିରିର ପ୍ରଲୋଭନ ଦେଖାଇ ଗରିବ ଓ ଅସହାୟ ଯୁବକ ଯୁବତୀଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟିବାରେ ଲାଗିଛନ୍ତି ଲୁଟେରା l ଗଜପତି ଜିଲ୍ଲା ସେରଙ୍ଗ ଥାନାରେ ରା.ଉଦୟଗିରି ଥାନା ଅଞ୍ଚଳର ଆଶିଷ କୁମାର ସିଂଙ୍କ ନାମରେ ଏଭଳି ଏକ ଅଭିଯୋଗ ହୋଇ ଥିଲା l ପୁଲିସ ଆଶିଷକୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି l ଏନେଇ ଘଟଣାର ଅଧିକ ତଦନ୍ତ ଜାରୀ ରହିଛି l ଏଥିରେ ସଂପୃକ୍ତ ଅନ୍ୟମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେରଙ୍ଗ ଥାନା ଅଧିକାରୀ ଅଶୋକ କୁମାର ହାଁସଦା କହିଛନ୍ତି l ଅନ୍ୟପଟେ ଅଭିଯୁକ୍ତ ସଫେଇ ଦେଇ କହିଛି, ମୁଁ ଟଙ୍କା ନେଇନାହିଁ ବରଂ ମୁଁ ଠକାମୀର ଶିକାର ହୋଇଛି l ପିଲାଙ୍କ ଠାରୁ ଟଙ୍କା ଆଦାୟ କରି ଭୁବନେଶ୍ୱରର ଜଣେ ବ୍ୟକ୍ତିଙ୍କୁ ଦେଇଛି l ତେବେ ସେ କୌଣସି କାମ ନ କରିବାରୁ ଟଙ୍କା ଦେଇଥିବା ପିଲାମାନେ ମୋ ବିରୋଧରେ ଅଭିଯୋଗ କରିଛନ୍ତି ବୋଲି ଗିରଫ ବ୍ୟକ୍ତି କହିଛନ୍ତି l ଥାନାଅଧିକାରୀଙ୍କ ସୂଚନାଅନୁଯାୟୀ, ୨୦୨୧ ମସିହାରେ ବିଭିନ୍ନ ସ୍ଥାନରେ ଡାଟା ଏଣ୍ଟ୍ରି ଅପେରଟର ଏବଂ ଅନ୍ୟ ଚାକିରି କରାଇ ଦେବାକୁ କହି ଆଶିଷ ରା. ଉଦୟଗିରି, ନୂଆଗଡ଼, ଗୁମ୍ମା ଆଦି ଅଞ୍ଚଳର ଶିକ୍ଷିତ ବେକାରଙ୍କ ଠାରୁ ୬୦ ହଜାର ଟଙ୍କା ଲେଖାଏଁ ନେଇଥିଲା l ଟଙ୍କା ଦେଇଥିବା ପିଲାଙ୍କୁ ନିଯୁକ୍ତି ପତ୍ର ମଧ୍ୟ ମିଳିଥିଲା l ସେହି ନିଯୁକ୍ତି ପତ୍ର ଧରି ଯେତେବେଳେ ସେମାନେ ଉକ୍ତ କାର୍ଯ୍ୟାଳୟରେ ପହଞ୍ଚିଥିଲେ ସେଠାରେ ସେ ସବୁ ନକଲି ବୋଲି ଜଣା ପଡିଥିଲା l ପିଲାମାନେ ଏ ବିଷୟରେ ଆଶିଷକୁ ଜଣେଇଵା ପରେ ସେ ଟଙ୍କା ଫେରେଇ ଦେବାକୁ ଲିଖିତ ପ୍ରତିଶୃତି ଦେବା ସହ ଚେକ ମଧ୍ୟ ଦେଇଥିଲେ l ହେଲେ ଏହି ଘଟଣାକୁ ଆଜିକୁ ପ୍ରାୟ ୧ ବର୍ଷରୁ ଅଧିକ ଦିନ ବିତିଯାଇଥିଲେ ସୁଧା ଆଶିଷ ଟଙ୍କା ଫେରେଇ ନଥିଲେ ଓ ଦେଇଥିବା ଚେକ ମଧ୍ୟ ବାଉନ୍ସ ହୋଇଯାଇଥିଲା l ଗୁମ୍ମା ବ୍ଲକ ଆଶ୍ରୟଗଡ଼ର ସୁଧୀର ଲିମ୍ମା ଗତ ଜୁନ ୭ ତାରିଖରେ ସେରଙ୍ଗ ଥାନାରେ ଅଭିଯୋଗ କରିଥିଲେ l ଏହି ଅଭିଯୋଗକୁ ଭିତ୍ତିକରି ପୁଲିସ କେଶ ନମ୍ବର ୪୨/୨୦୨୨ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ l ପୁଲିସ ଆଶିଷକୁ ଭୁବନେଶ୍ୱରରୁ ଗିରଫ କରି ଶନିବାର କୋର୍ଟଚାଲାଣ କରିଛି l ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତଙ୍କୁ ଧରିବା ପାଇଁ ପ୍ରୟାସ ଜାରୀ ରହିଥିବା ସେରଙ୍ଗ ଥାନା ଅଧିକାରୀ କହିଛନ୍ତି l