ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସାମ୍ନାକୁ ଆସିଛି ପୁଣି ଏକ ଅବ୍ୟବସ୍ଥାର ଚିତ୍ର, ବିଦ୍ୟୁତ ନଥିବାରୁ ରୋଗୀ ହନ୍ତସନ୍ତ………
ଅନୁସନ୍ଧାନ ଭାରତ(ବ୍ୟୁର): ସରକାର ସ୍ୱାସ୍ଥ୍ୟ ସେବା ପାଇଁ ଅଧିକା ପ୍ରାଧାନ୍ୟ ଦେଉଥିବା ସହ ସ୍ୱାସ୍ଥ୍ୟ ସେବା ସମ୍ପର୍କିତ ଯୋଜନା ଗଣିଲେ କମ ପଡିଯିବ l କିନ୍ତୁ ଏହାର ବିପରୀତ ଚିତ୍ର ଦେଖିବାକୁ ମିଳିଛି ଗୁମ୍ମା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ l ଏହି ଚିତ୍ର ଯିଏ ବି ଦେଖିବ ଆଖିକୁ ଲୁହ ଆସିଯିବ l ଗୁମ୍ମା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ପୁଣି ଏକ ଅବ୍ୟବସ୍ଥା ଚିତ୍ର ସାମ୍ନାକୁ ଆସିଛି l ସୂଚନାଯୋଗ୍ୟ ଯେ ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପାଇଁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ବିନା ମୂଲ୍ୟରେ ଇଛୁକ ମହିଳାଙ୍କୁ ନିକଟସ୍ଥ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଅସ୍ତ୍ରୋପଚାର କରାଯିବା ବ୍ୟବସ୍ଥା କରାଯାଇଥାଏ l କିନ୍ତୁ ଶୁକ୍ରବାର ପରିବାର ନିୟନ୍ତ୍ରଣ ଅସ୍ତ୍ରୋପଚାର ପରେ ମହିଳାମାନେ ଚିକିତ୍ସାଳୟ ବାରଣ୍ଡାରେ ପଡ଼ି ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି l ମେଡିକାଲରେ ବିଦ୍ୟୁତ ନଥିବା ଯୋଗୁଁ ଅସ୍ତ୍ରୋପଚାର ହୋଇଥିବା ମହିଳାଙ୍କୁ ବାହାରେ ଅସୁରକ୍ଷିତ ଭାବେ ଶୁଆଇ ଦିଆଯାଇଥିବା ବେଳେ ବାକି ଅସ୍ତ୍ରୋପଚାର ପାଇଁ ପଞ୍ଜିକୃତ ମହିଳାମାନଙ୍କୁ ଘଣ୍ଟା ଘଣ୍ଟା ଧରି ବାହାରେ ଅପେକ୍ଷା କରିବାକୁ ପଡ଼ିଛି l ବିଦ୍ୟୁତ ମରାମତି କାରଣରୁ ବିଦ୍ୟୁତ ବିଭାଗ ପକ୍ଷରୁ ଅଞ୍ଚଳରେ ବିଦ୍ୟୁତ ସରବରାହ ୯ଘଣ୍ଟା ବନ୍ଦ ରହିବା ନେଇ ପୂର୍ବରୁ ଘୋଷଣା କରାଯାଇଥିଲା l ଏହାସତ୍ତ୍ୱେ ମେଡିକାଲ କର୍ତ୍ତୃପକ୍ଷ ବିକଳ୍ପ ବିଦ୍ୟୁତ ସୁବିଧା କରିନଥିବା ଯୋଗୁଁ ମହିଳାଙ୍କ କୁନି କୁନି ଛୁଆ ଗରମରେ ଆଉଟୁ ପାଉଟୁ ହେଉଥିବା ଦେଖିବାକୁ ମିଳିଛି l ଏଠାକୁ ବ୍ଲକର ବି କଳାକଟ, ବୃଷଭ, ଉଖୁରା ଓ ବାଇଝାଲ ପଞ୍ଚାୟତର ୨୦ଜଣ ମହିଳାଙ୍କୁ ଅସ୍ତ୍ରୋପଚାର ପାଇଁ ଆସିଥିଲେ l ଏପରି ଦୁର୍ଦ୍ଦଶା ଦେଖି ପରିବାର ଲୋକେ ଏଜେଶ ଗମାଙ୍ଗ, ସୁଜିତ ଭୂୟାଁ, ଗବ୍ରିଏଲ ଗମାଙ୍ଗ, ମାଳତୀ ଶବର ଓ ଆରତୀ ଶବର ଅବ୍ୟବସ୍ଥାକୁ ନେଇ ଅଭିଯୋଗ କରିଥିଲେ l ଏନେଇ ଡ଼ଃ ଚିନ୍ମମୟୀ ବିଶ୍ୱାଳ କହିଛନ୍ତି ଯଥା ସମ୍ଭବ ଜେନେରେଟର୍ ମରାମତି କରାଯିବ l