ଆଧାର ପଞ୍ଜିକରଣ ପାଇଁ ମା ଓ ପିଲା ହନ୍ତସନ୍ତ, ନେଟୱାର୍କର କ୍ଷମତା ନଥିବାରୁ ସମସ୍ୟା ଭୋଗୁଛନ୍ତି ସ୍ଥାନୀୟ ବାସିନ୍ଧା…..
ଅନୁସନ୍ଧାନ ଭାରତ(ବ୍ୟୁର): ୫ ବର୍ଷ ଶିଶୁଙ୍କ ଆଧାର ପଞ୍ଜିକରଣ ନ ହେଲେ ମିଳିବନି ସରକାରୀ ସହାୟତା,ମିଳିବନି ମାତୃତ୍ୱର ପରିଚୟ l ଏଣୁ କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ରେ କିଛିଦିନ ହେଲା ଅଞ୍ଚଳର ମାତୃ ମଣ୍ଡଳୀଙ୍କ ଭିଡ଼ ଦେଖିବାକୁ ମିଳିଛି l ସ୍ଥାନୀୟ ସିଡ଼ିପିଓଙ୍କ ନିର୍ଦ୍ଦେଶରେ ଅଞ୍ଚଳରେ କାର୍ଯ୍ୟରତ ପ୍ରତ୍ୟେକ ଅଙ୍ଗନୱାଡ଼ି କେନ୍ଦ୍ରାଞ୍ଚଳରୁ ଶତାଧିକ ମହିଳା ୦-୫ ବର୍ଷର ଶିଶୁଙ୍କୁ ଧରି ଆଧାର କେନ୍ଦ୍ର ଓ ପୋଷ୍ଟ ଅଫିସରେ ଭିଡ଼ ଜମାଉଥିବା ଦେଖିବାକୁ ମିଳିଛି l ଏହି ମାତୃ ମଣ୍ଡଳୀ ନିଜ ନିଜ ଶିଶୁଙ୍କ ଆଧାର ସଂଯୋଗ କରିବାକୁ ପ୍ରାୟ ୩ ରୁ ୩୦ କିମି ଅଟୋ, ବାଇକ କିମ୍ବା ବସରେ ଆସି ଦିନସାରା ଅପେକ୍ଷା କରି କରି କାମ ନ ହେଲେ ନିରାଶରେ ଫେରୁଥିବା ଦେଖିବାକୁ ମିଳିଛି l ପୋଷ୍ଟ ଅଫିସ ଜରିଆରେ ମାଗଣାରେ ଆଧାର ପଞ୍ଜିକରଣ କରିବାର ସରକାରୀ ସୁବିଧା ରହିଥିବା ବେଳେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଥିବା ପୋଷ୍ଟ ଅଫିସ ଗୁଡ଼ିକରେ ସେପରି ସୁବିଧା ଉପଲବ୍ଧ ନଥିବାରୁ ମାତୃମଣ୍ଡଳୀ ସହ ଅଙ୍ଗନୱାଡ଼ି କର୍ମ ମାନେ ହନ୍ତସନ୍ତ ହେଉଥିବା ଅଭିଯୋଗ ହେଉଛି l ଅଙ୍ଗନୱାଡ଼ି କର୍ମୀମାନେ ଏପରି ଏକ ଚାପରେ ପଡିଛନ୍ତି ଯେ ନିଜ ସେଣ୍ଟରର ହିତାଧିକାରୀଙ୍କ ପଞ୍ଜିକରଣ ନ କଲେ ହିତାଧିକାରୀ କୌଣସି ସୁଵିଧା ପାଇବେ ନାହିଁ l ପରବର୍ତ୍ତୀ ସମୟରେ କର୍ମୀମାନେ ହିଁ ଆକ୍ରୋଶର ଶିକାର ହେବାକୁ ପଡ଼ିବ ଏଣୁ କର୍ମୀମାନେ ତାଙ୍କ କାମ ସାରିବାକୁ ସମସ୍ତ ଶକ୍ତି ଲଗାଇଦେଛନ୍ତି l ବ୍ରାହ୍ମଣୀଗାଁରେ ନ ହେଲେ ବ୍ଲକ ମୂଖ୍ୟ କାର୍ଯ୍ୟାଳୟ ଦାରିଙ୍ଗବାଡ଼ିକୁ ୪୦ ରୁ ୮୦ କିମି ଯାଇ କାମ ସାରିବକୁ ପ୍ରୟାସ ଜାରି ରଖିଛନ୍ତି l ସରକାର ଗର୍ଭସ୍ଥ ଶିଶୁ ଠାରୁ ଆରମ୍ଭ କରି ତାର ଜନ୍ମ ଓ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା କରିଛନ୍ତି l ହେଲେ ଏହି ଯୋଜନାର ସୁବିଧା ପାଇବାକୁ ହେଲେ ଏପରି ଡହଳ ବିକଳ ହେବାକୁ ପଡ଼େ ତାହା ନକହିବା ଭଲ l ଅନଲାଇନ କାମ ପାଇଁ ଉତ୍ତମ ନେଟୱାର୍କର ନିତାନ୍ତ ଆବଶ୍ୟକ ରହିଛି l ତେବେ ସ୍ୱାଧୀନତାର ୭୫ ବର୍ଷ ବିତିଯାଇଥିବା ବେଳେ ସାରା ଦେଶ ଆମୃତର ମହୋତ୍ସବ ପାଳନ କରିଛି l ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ନେତା, ମନ୍ତ୍ରୀଙ୍କ ଠାରେ ବାରମ୍ବାର ଦାବୀ କରାଯାଉ ଥିବା ସତ୍ତ୍ୱେ ଏଠାରେ ଏକ ଉଚ୍ଚ କ୍ଷମତା ସମ୍ପନ ନେଟୱାର୍କ ସ୍ଥାପନ ହୋଇପାରିନାହିଁ l ଏଣୁ ତୁରନ୍ତ ବ୍ରାହ୍ମଣୀଗାଁରେ ଏକ ଉଚ୍ଚ କ୍ଷମତା ସମ୍ପନ୍ନ ନେଟୱାର୍କ ସ୍ଥାପନ କରିବାକୁ ଅଞ୍ଚଳର ମାତୃମଣ୍ଡଳୀ ଓ ବୁଦ୍ଧିଜୀବୀ ଦାବୀ କରିଛନ୍ତି l