୨୦ବର୍ଷରୁ କମ୍‌ ସାଫ ଫୁଟବଲ୍‌ ଚାମ୍ପିଅନ୍‌ସିପ୍‌ : ବାଂଲାଦେଶକୁ ୫-୨ ଗୋଲ୍‌ରେ ହରାଇ ଭାରତ ଚାମ୍ପିଅନ୍……

ଅନୁସନ୍ଧାନ ଭାରତ(ବ୍ୟୁର) : କଳିଙ୍ଗ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ୨୦ବର୍ଷରୁ କମ୍‌ ସାଫ ଫୁଟବଲ୍‌ ଚାମ୍ପିଅନ୍‌ସିପ୍‌ରେ ଭାରତ ଚାମ୍ପିଅନ୍‌ ଆଖ୍ୟା ଅର୍ଜନ କରିଛି l ଶୁକ୍ରବାର ଅନୁଷ୍ଠିତ ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲ ମୁକାବିଲାରେ ଭାରତ ୫-୨ ଗୋଲ୍‌ରେ ବାଂଲାଦେଶକୁ ପରାସ୍ତ କରିଥିଲା l ମ୍ୟାଚ୍‌ର ନିର୍ଦ୍ଧାରିତ ସମୟ ୨-୨ ଗୋଲ୍‌ରେ ଡ୍ର’ ରହିଥିଲା l ଫଳରେ ଅତିରିକ୍ତ ୩୦ ମିନିଟ୍‌ ଖେଳ ହୋଇଥିଲା l ଏଥର ଭାରତ ସବୁ ଶକ୍ତି ଖଟାଇ ଗୋଲ୍‌ ବର୍ଷା କରିଥିଲା l ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପୁରସ୍କାର ପ୍ରଦାନ କରିଥିଲେ l ମ୍ୟାଚ୍‌ର ଦ୍ୱିତୀୟ ମିନିଟ୍‌ରେ ଭାରତ ଅଗ୍ରଣୀ ହାସଲ କରିଥିଲା l ଦଳକୁ ମିଳିଥିବା ଏକ ପେନାଲ୍ଟିକୁ ଗୁରକୀରତ ସିଂହ ଗୋଲ୍‌ରେ ପରିଣତ କରିଥିଲେ l ଏହାପରେ ବାଂଲାଦେଶ ମ୍ୟାଚ୍‌କୁ ଫେରିବା ପାଇଁ ସଂଘର୍ଷ କରିଥିଲା l ଅନ୍ୟ ପଟରେ ଘରୋଇ ଦଳ ମ୍ୟାଚ୍‌କୁ ନିୟନ୍ତ୍ରଣରେ ରଖିବାରେ ସଫଳ ହୋଇଥିଲା l

csp

୪୫ତମ ମିନିଟ୍‌ରେ ରଫିକ ଇସଲାମଙ୍କ ଏକ ପାସ୍‌କୁ ରାଜନ ହାୱଲଦାର ଗୋଲ୍‌ରେ ପରିଣତ କରିବା ଫଳରେ ୧-୧ରେ ସ୍ଥିତି ବରାବର ହୋଇଥିଲା l ଦ୍ୱିତୀୟାର୍ଦ୍ଧ ଖେଳ ଆରମ୍ଭ ହେବାର ୩ ମିନିଟ୍‌ ମଧ୍ୟରେ ବାଂଲାଦେଶ ଦ୍ୱିତୀୟ ଗୋଲ୍‌ କରିଥିଲା l ୪୮ତମ ମିନିଟ୍‌ରେ ମହମ୍ମଦ ପିୟାଶଙ୍କ ପାସ୍‌କୁ ସାହିନ ମିଆ ଗୋଲ୍‌ରେ ପରିଣତ କରିଥିଲେ l ୬୦ତମ ମିନିଟ୍‌ରେ ବିକାଶ ଓ ଅମନଦୀପ ମିଳିତ ଭାବେ ଗୁରଗୀରତଙ୍କ ପାଇଁ ଏକ ସୁଯୋଗ ସୃଷ୍ଟି କରିଥିଲେ l ଗୁରକୀରତ ତ୍ରୁଟି ନକରି ଦ୍ୱିତୀୟ ଗୋଲ୍‌ ସ୍କୋର କରିଥିଲେ l ଅତିରିକ୍ତ ସମୟ ଆରମ୍ଭ ହେବାର ୨ ମିନିଟ୍‌ ମଧ୍ୟରେ ଭାରତ ଅଗ୍ରଣୀ ହାସଲ କରିଥିଲା l ୯୨ତମ ମିନିଟ୍‌ରେ ହିମାଂଶୁ ଜାଙ୍ଗ୍ରା ଦଳ ପକ୍ଷରୁ ଏହି ଗୋଲ୍‌ କରିଥିଲେ l ଗୋଟିଏ ମିନିଟ୍‌ ପରେ ହିମାଂଶୁଙ୍କ ପାସ୍‌କୁ ଗୁରକୀରତ ଗୋଲ୍‌ରେ ପରିଣତ କରିଥିଲେ l ଭାରତ ୪-୨ ଗୋଲ୍‌ରେ ଆଗେଇଥିଲା l ଗୁରକୀରାତଙ୍କ ହ୍ୟାଟ୍ରିକ୍‌ ଗୋଲ୍‌ ହୋଇଥିଲା l ବାଂଲାଦେଶ ଲୟକୁ ଫେରିବାକୁ ପ୍ରୟାସ କରୁଥିବାବେଳେ ୯୯ତମ ମିନିଟ୍‌ରେ ଭାରତ ପଞ୍ଚମ ଗୋଲ୍‌ କରିଥିଲା l ୩୦ଗଜ ଦୂରରୁ ଏକ ଶକ୍ତିଶାଳୀ ସଟ୍‌ ମାରି ଗୁରକୀରତ ବ୍ୟକ୍ତିଗତ ଚତୁର୍ଥ ଗୋଲ୍‌ କରିଥିଲେ l ପରବର୍ତ୍ତୀ ୨୦ ମିନିଟ୍‌ ମଧ୍ୟରେ ବାଂଲାଦେଶ ମ୍ୟାଚ୍‌କୁ ଫେରିବା ପାଇଁ ଜୋରଦାର ଲଢେଇ କରିଥିଲା l ହେଲେ ଭାରତର ରକ୍ଷଣ ଭାଗ ଅତିକ୍ରମ କରିପାରି ନଥିଲା l