ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡା ଜିଲା ଗୁଣପୁର ଏଡ଼ିଜେ କୋର୍ଟରେ ମାଓ ନେତା ସବ୍ୟସାଚୀ ପଣ୍ଡାଙ୍କ ବୟାନ ରେକର୍ଡ କରାଯାଇଛି l ସମସ୍ତ ସାକ୍ଷୀଙ୍କ ବିଚାରଣା ସରିବା ପରେ ଏହି ପ୍ରକ୍ରିୟା ଶନିବାର ଏଡିଜେ ମାନସ ରଞ୍ଜନ ରଥଙ୍କ କୋର୍ଟରେ ହୋଇଥିଲା l ବିଜେଡି ନେତା ଯଯାତୀ ସାହୂ ହତ୍ୟା ମାମଲାରେ ସବ୍ୟସାଚୀଙ୍କ ବୟାନ ରେକର୍ଡ ହୋଇଥିଲା l ଆସନ୍ତା ୧୯ ତାରିଖରେ ମାମଲାରେ ଉଭୟ ପକ୍ଷଙ୍କ ଓକିଲଙ୍କ ମଧ୍ୟରେ ଯୁକ୍ତ ଉପସ୍ଥାପନା କରାଯିବା ସହ ରାୟ ପ୍ରକାଶ ପାଇବା ପାଇଁ କୋର୍ଟ ଦିନ ଧାର୍ଯ୍ୟ କରିଥିବା ସବ୍ୟସାଚୀଙ୍କ ଓକିଲ ବ୍ରହ୍ମାନନ୍ଦ ପଟ୍ଟନାୟକ ସୂଚନା ପ୍ରଦାନ କରିଛନ୍ତି l ସୂଚନା ଯୋଗ୍ୟ ବିଜେଡି ନେତା ଯଯାତୀ କେଶରୀ ସାହୁଙ୍କୁ ୨୦୦୨ ନଭେମ୍ବର ୨୬ ତାରିଖର ରାତ୍ରରେ ତାଙ୍କ ବାସ ଭବନ ନାଇରା ଠାରେ ମାଓ ବାଦୀମାନେ ଘରୁ ଘୋଷାରି ଆଣି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା l
ଏହି ମାମଲାରେ ସବ୍ୟସାଚୀଙ୍କ ସହ ଅନେକ ଲୋକଙ୍କ ନାମରେ ମାମାଲ ହୋଇଥିଲା l ପୂର୍ବରୁ ଅନେକ ଅଭିଯୁକ୍ତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଏହି ମାମଲାରେ ନିଘୋଷରେ ଖୋଲାସ ହୋଇ ସାରିଛନ୍ତି l ଏହି ଘଟଣାରେ ମଧ୍ୟ ମାଓ ନେତା ସବ୍ୟସାଚୀ ପଣ୍ଡା ସଂପୃକ୍ତ ଥିବା ପୁଲିସ ମାମଲା ରୁଜୁ କରିବା ସହ ଚାର୍ଜସିଟ ଦାଖଲ କରିଥିଲେ l ଯଯାତୀଙ୍କୁ ହତ୍ୟା କରାଯିବା ପରେ ରାଜ୍ୟର ଆଇନ ଶଙ୍ଖଳାକୁ ନେଇ ବିରୋଧୀ ବହୁ ତୁମ୍ବି ତୋଫାନ କରିଥିଲେ l ରାଜ୍ୟ ସରକାର ମାମଲାର ତଦନ୍ତ ପାଇଁ ବ୍ରହ୍ମପୁର ରାଜସ୍ବ କମିଶନରଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏବଂ ସେହି ସମୟରେ ଏହି ଘଟଣାର ତଦନ୍ତ ହୋଇଥିଲା l