ଅନୁସନ୍ଧାନ ଭାରତ(ବ୍ୟୁର): ନାବାଳିକା ଛାତ୍ରୀ ମୃତ୍ୟୁ ଘଟଣାରେ ଫୁଲବାଣୀ ସଦର ଥାନା ପୁଲିସ ଶନିବାର ୯ ଜଣଙ୍କୁ ଗିରଫ କରିଛି I ସେମାନେ ହେଲେ ଡକାଙ୍ଗିର ରାଜେନ୍ଦ୍ର ମଲ୍ଲିକ, ଟୁକୁନା ମଲ୍ଲିକ, ଲମ୍ବୋଦର ମଲ୍ଲିକ, ଅନିଲ ମଲ୍ଲିକ, ବାଟି ବେହେରା, ସୁକୁରୁ ମଲ୍ଲିକ, ସୁମନ ମଲ୍ଲିକ, ସାନନ୍ଦ ମଲ୍ଲିକ ଏବଂ ବିଶ୍ୱନାଥ ମଲ୍ଲିକ I ଏହା ପୁର୍ବରୁ ଅନ୍ୟ ଜଣକୁ ସଦର ପୁଲିସ କୋର୍ଟ ଚାଲାଣ କରିଥିଲା I କିଛିଦିନ ପୂର୍ବେ ନବମ ଶ୍ରେଣୀ ଛାତ୍ରୀ ଆତ୍ମହତ୍ୟା ଘଟଣା ଓ ପରେ ନାବାଳିକାକୁ ମାଡ଼ ମାରି ଲହୁ ଲୁହାଣ କରାଯିବା ଭିଡ଼ିଓ ଭାଇରାଲ ହୋଇଥିଲା I ଏହାକୁ ନେଇ ଜିଲାରେ କଂଗ୍ରେସ, କୁଇ ସମାଜ ଏବଂ ଏବିଭିପି ସଂଗଠନ ପକ୍ଷରୁ ଏସ୍ପିଙ୍କୁ ଭେଟି ଘଟଣାର ନିରପେକ୍ଷ ତଦନ୍ତ ସହ ସମ୍ପୃକ୍ତ ଯୁବକଙ୍କୁ ଗିରଫ କରିବା ପାଇଁ ଦାବି କରି ଆସୁଥିଲେ I ଗତ ୨୧ ତାରିଖରେ ଏବିଭିପି ପକ୍ଷରୁ ଏକ ବିଶାଳ ରାଲି ଏବଂ ବିକ୍ଷୋଭ ମଧ୍ୟ ପ୍ରଦର୍ଶନ କରାଯାଇଥିଲା I ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ ନ କଲେ ରାଜ୍ୟରେ ଆନ୍ଦୋଳନ କରାଯିବ ବୋଲି ଏବିଭିପି ଚେତାବନୀ ମଧ୍ୟ ଦେଇଥିଲା I ଜିଲା କଂଗ୍ରେସ ଏକ ପ୍ରତିନିଧିଦଳ ଏସପିଙ୍କୁ ଭେଟି ଏହାର ସଠିକ ତଦନ୍ତ କରାଯିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାକୁ ଦାବି କରିଥିଲେ I ଏହା ସହିତ କଂଗ୍ରେସର ମୋହାନା ବିଧାୟକ ତଥା କନ୍ଧମାଳ ଜିଲା ପ୍ରଭାରୀ ଦାଶରଥି ଗୋମାଙ୍ଗ ଏନେଇ ବିଧାନ ସଭାରେ ପ୍ରଶ୍ନ ଉଠାଇବା ସହିତ ତୁରନ୍ତ ନାବାଳିକା ପରିବାରକୁ ନ୍ୟାୟ ଦେବା ପାଇଁ ଦାବି କରିଥିଲେ I ଏହି ଘଟଣାର ଜଣେ ବରିଷ୍ଠ ପୁଲିସ ଅଧିକାରୀ ତଦନ୍ତ କରି ସମ୍ପୃକ୍ତ ଯୁବକମାନଙ୍କୁ ଗିରଫ କରି ଥିବା ସୂଚନା ମିଳିଛି I