ଅନୁସନ୍ଧାନ ଭାରତ(ବ୍ୟୁର): ରାୟଗଡ଼ା ଜିଲ୍ଲା ଗୁଣପୁର ଉପଖଣ୍ଡ ସାନ ଆଚବା ଗ୍ରାମରେ ଲୁଟେରାମାନେ କୃଷ୍ଣ ଚନ୍ଦ୍ର ସାହୁ ନାମକ ବ୍ୟକ୍ତିଙ୍କ ଘରୁ ୪୦ ତୋଳା ସୁନା ସହ ରୂପା ଅଳଙ୍କାର ଓ ନଗଦ ଟଙ୍କା ଲୁଟ କରିଥିବାର ଅଭିଯୋଗ ହୋଇଛି I ଅଭିଯୋଗ ହେବାପରେ ପୁଲିସ ଘଟଣାରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍ ଟିମ୍ ସହ ପହଞ୍ଚି ଛାନ୍ଭିନ ଆରମ୍ଭ କରିଛି I ଅନ୍ୟପଟେ ଏହି ଘଟଣାରେ ସମ୍ପୃକି ସନ୍ଦେହରେ ଗୁଣପୁର ପୁଲିସ ୨ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଥାନା ଅଧିକାରୀ ଆଶ୍ରିତା ଖାଲକୋ ସୂଚନା ଦେଇଛନ୍ତି I


ପ୍ରକାଶ ଥାଉକି, ସାନ ଆଚବା ଗ୍ରାମର କୃଷ୍ଣ ଚନ୍ଦ୍ର ସାହୁଙ୍କ ପତ୍ନୀ ସଂଘମିତ୍ରା ସାହୁଙ୍କ ସ୍ଵାସ୍ଥ୍ୟବସ୍ଥା ଖରାପ ଥିବାରୁ ଗତ ବୁଧବାର ଦିନ ଚିକିତ୍ସା ପାଇଁ ବ୍ରହ୍ମପୁର ଯାଇଥିଲେ I ଏହି ସମୟରେ ଘରେ କେହି ନଥିବାର ସୁଯୋଗ ନେଇ ବିଳମ୍ବିତ ରାତିରେ ଦୁର୍ବୃତ୍ତ ଘରର ୩ଟି କବାଟ ତାଡ଼ିବା ପରେ ଆଲମିରା ଭାଙ୍ଗି ସମସ୍ତ ସୁନା ଓ ରୂପା ଅଳଙ୍କାର ଚୋରି କରିଥିଲେ I ସକାଳେ କୃଷ୍ଣଙ୍କ ଘର କବାଟ ଖୋଲାଥିବା ଦେଖିବା ପରେ ଗ୍ରାମବାସୀ ଏ ସଂପର୍କରେ କୃଷ୍ଣଙ୍କୁ ଜଣାଇଥିଲେ I ଖବର ପାଇ କୃଷ୍ଣ ବ୍ରହ୍ମପୁରରୁ ସାନ ଆଚବା ଗ୍ରାମରେ ପହଞ୍ଚିବା ବେଳକୁ ଘରରୁ ସୁନା ଓ ରୁପା ଅଳଙ୍କାର ଚୋରି ହୋଇଥିବା ଦେଖିବାକୁ ପାଇଥିଲେ I ଏନେଇ କୃଷ୍ଣ ଗୁଣପୁର ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ଆଶ୍ରିତା ଖାଲକୋ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ I ଆଜି ରାୟଗଡ଼ାରୁ ସନ୍ଧାନୀ କୁକୁର ଏବଂ ସାଇଣ୍ଟିଫିକ ଟିମ୍ ପହଞ୍ଚିବା ପରେ ତଦନ୍ତ ଆରମ୍ଭ ହୋଇଥିବା ଥାନା ଅଧିକାରୀ କହିଛନ୍ତି I ଘରୁ ସୁନା ହାର, ମଥାମଣି, ଚେନ୍, ମଙ୍ଗଳସୁତ୍ର, ଲକେଟ, ମୁଦି, କାନଫୁଲ ଏଭଳି ୪୦ ତୋଳାରୁ ଊର୍ଦ୍ଧ୍ବ ସୁନା ଗହଣା ଏବଂ ରୁପା ସାମଗ୍ରୀ ସହିତ ନଗଦ ୫ହଜାର ଟଙ୍କା ଚୋରି ହୋଇଥିବା ନେଇ କୃଷ୍ଣ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି I ଏନେଇ ଗୁଣପୁର ଥାନା ପୁଲିସ ୧୪୬/୨୨ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଥିବା ଥାନାଧିକାରୀ ଆଶ୍ରିତା ଖାଲକୋ ସୂଚନା ଦେଇଛନ୍ତି I