ବାଲିଗୁଡ଼ା ଓ ତୁମୁଡ଼ିବନ୍ଧ ଥାନା ଅଞ୍ଚଳରେ ବ୍ୟାନର, ପୋଷ୍ଟର ମାରି ନିଜର ସ୍ଥିତି ଜାହିର କଲେ ମାଓବାଦୀ….

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରେ କିଛି ଦିନର ନୀରବତା ପରେ ମାଓ ସଙ୍ଗଠନ ପୁଣି ନିଜର ସ୍ଥିତି ଜାହିର କରିଥିବା ଜଣାପଡ଼ିଛି I ଜିଲ୍ଲାର ବାଲିଗୁଡ଼ା ଲଣ୍ଡାଗାଁ, ଖମଣଖୋଲ ଓ ତୁମୁଡ଼ିବନ୍ଧ ଥାନା କୁର୍ତ୍ତମଗଡ଼ ଅଞ୍ଚଳରେ ମାଓ ସଙ୍ଗଠନ ପକ୍ଷରୁ ପୋଷ୍ଟର ବ୍ୟାନର ଜାରି ହୋଇଥିବା ଦେଖିବାକୁ ମିଳିଛି I ମଇ ୨୦ ତାରିଖ ଓଡ଼ିଶା-ପୂର୍ବ ଛତିଶଗଡ଼ ୨୪ ଘଣ୍ଟିଆ ବନ୍ଦ ପାଳନ କରିବାକୁ ବ୍ୟାନର ପୋଷ୍ଟର ମାଧ୍ୟମରେ ଆହ୍ବାନ ଦିଆଯାଇଛି I ମୁକୁନ୍ଦ କହଁର ହତ୍ୟାକାରୀ ପୁଲିସ୍ କର୍ମଚାରୀଙ୍କୁ କଠିନରୁ କଠିନ ଦଣ୍ଡ ଦିଆଯାଉ, ଆଗାମୀ ଦିନରେ ପୁଲିସ୍ ଓ ସିଆରପିଏଫ୍ ଗୁଣ୍ଡାଙ୍କ ଅତ୍ୟାଚାର ଓ ହତ୍ୟା ବିରୋଧରେ ସ୍ଥାନୀୟ ଜନତା ବିଦ୍ରୋହ ଆରମ୍ଭ କରନ୍ତୁ ବୋଲି ବ୍ୟାନରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି I ଅନ୍ୟପଟେ ଗତ ଫେବୃଆରୀ ମାସରେ ପୁଲିସକୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ ଖଞ୍ଜା ଯାଇଥିଲା କିନ୍ତୁ ଦୁର୍ଭାଗ୍ୟ ବଶତଃ ସାମ୍ବାଦିକ ରୋହିତ ବିଶ୍ଵାଳଙ୍କ ମୃତ୍ୟୁ ଘଟିଥିଲା I ଏହି ଦୁଃଖଦ ଘଟଣା ପାଇଁ ଆମେ ଜନତାଙ୍କୁ ଓ ମୃତକଙ୍କ ପରିବାରକୁ କ୍ଷମା ମାଗୁଅଛୁ I ଏହି ଘଟଣା ପାଇଁ ପୋଲିସ ଦାୟୀ ଅଟେ ବୋଲି ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ମାଓବାଦୀ) ପୋଷ୍ଟରରେ ଉଲ୍ଲେଖ ଥିବା ଦେଖିବାକୁ ମିଳିଛି I ଏ ପର୍ଯ୍ୟନ୍ତ ପୁଲିସ ସବୁ ଜାଣିସୁଧା ସେହି ସ୍ଥାନକୁ ନଯିବାରୁ ମାଓ ପୋଷ୍ଟର ଲାଗିଥିବା ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ଦେଖିବାକୁ ମିଳିଛି I