ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଏବଂ ଥଇଥାନ ସମ୍ପର୍କରେ ୧୦ ଦିନ ଭିତରେ ଜବାବ ଦାଖଲ ପାଇଁ ମାନ୍ୟବର ସୁପ୍ରିମକୋର୍ଟଙ୍କ ନିର୍ଦ୍ଧେଶ…

ଅନୁସନ୍ଧାନ ଭାରତ(ବ୍ୟୁର): ଲକ୍‌ଡାଉନ୍ ସମୟରେ ପ୍ରବାସୀ ଶ୍ରମିକଙ୍କ ସମସ୍ୟା ଓ ଥଇଥାନ ମାମଲାର ଶୁଣାଣି କରି ଆଜି ସୁପ୍ରିମକୋର୍ଟ ୭ଟି ରାଜ୍ୟକୁ ୧୦ ଦିନ ଭିତରେ ଜବାବ ଦାଖଲ କରିବା ପାଇଁ ନୋଟିସ ଜାରି କରିଛନ୍ତି I ଏହି ରାଜ୍ୟ ଗୁଡିକ ମଧ୍ୟରେ ରହିଛି ଓଡ଼ିଶା, ଦିଲ୍ଲୀ, ଉତ୍ତରପ୍ରଦେଶ, ହରିଆଣା, ମହାରାଷ୍ଟ୍ର, ବିହାର ଓ ଗୁଜରାଟ I ଗୁରୁବାର କରୋନା ମହାମାରୀର ଦ୍ୱିତୀୟ ଲହରରେ ପ୍ରବାସୀ ଶ୍ରମିକମାନଙ୍କ ସମସ୍ୟା ସମ୍ପର୍କରେ ଦାଖଲ ହୋଇଥିବା ଆବେଦନର ଶୁଣାଣି ଆଜି ସୁପ୍ରିମକୋର୍ଟରେ ହୋଇଥିଲା I ବିଚାରପତି ଜଷ୍ଟିସ୍ ଅଶୋକ ଭୂଷଣ ଓ ବିଚାରପତି ଜଷ୍ଟିସ୍ ଏମ୍.ଆର୍. ଶାହାଙ୍କର ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି I ଏହି ମାମଲାର ଶୁଣାଣି ସମୟରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାର, ଦିଲ୍ଲୀ, ଉତ୍ତର ପ୍ରଦେଶ, ହରିଆଣା ସରକରାଙ୍କୁ ଏନ୍‌ସିଆର୍ ଅଞ୍ଚଳରେ ପ୍ରବାସୀ ଶ୍ରମିକମାନଙ୍କୁ ଆତ୍ମଭାରତ ଯୋଜନା କିମ୍ବା ଅନ୍ୟ ଯୋଜନା ଅନ୍ତର୍ଗତ ଶୁଖିଲା ଖାଦ୍ୟ ଯୋଗାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ I ଶୁଖିଲା ଖାଦ୍ୟ ଯୋଗାଇବା ସମୟରେ କର୍ତ୍ତୃପକ୍ଷ ପ୍ରବାସୀ ଶ୍ରମିକଙ୍କୁ ପରିଚୟ ପତ୍ର ପାଇଁ ବାଧ୍ୟ କରିପାରିବେ ନାହିଁ ବୋଲି କୋର୍ଟ ଆଦେଶରେ କହିଛନ୍ତି I ଏନ୍‌ସିଆର ଅଞ୍ଚଳରେ ଫସିରହିଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କର ଗନ୍ତବ୍ୟ ସ୍ତଳରେ ପହଞ୍ଚାଇବା ପାଇଁ ପରବିହନ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିଆଣା ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ I ଏହି ସବୁ ରାଜ୍ୟର ଜିଲ୍ଲା ପ୍ରଶାସନ ପୁଲିସ ସହାୟତାରେ ପ୍ରବାସୀ ଶ୍ରମିକମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ରୋଡ୍ କିମ୍ବା ଟ୍ରେନ୍‌ରେ ପଠାଇବାର ବ୍ୟବସ୍ଥା କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇ ଛନ୍ତି I ଫସିରହିଥିବା ପ୍ରବାସୀ ଶ୍ରମିକମାନଙ୍କ ପାଇଁ ଗୋଷ୍ଠୀ ରୋଷେଇଶାଳା ସ୍ଥାପନ କରି ଖାଦ୍ୟ ଯୋଗାଇବା ପାଇଁ ଦିଲ୍ଲୀ, ଉତ୍ତର ପ୍ରଦେଶ ଓ ହରିଆଣା ସରକାରଙ୍କୁ ମାନ୍ୟବର ଉଚ୍ଚତମ ନ୍ୟାୟାଳୟ ନିର୍ଦ୍ଦେଶ ଦେଇଛନ୍ତି I