ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲାରୁ ଦାଦନ ଖଟିବାକୁ କେରଳ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁସାରେ ଗଦଗୁଡ଼ା ଗ୍ରାମ ତଳସାହିର ସୁଭଦେବ ପ୍ରଧାନ(୩୫) ବର୍ଷୀୟ ଯୁବକ ପରିବାର ପ୍ରତିପୋଷଣ ପାଇଁ କେରଳ ରାଜ୍ୟ ଏର୍ଣ୍ଣାକୁଲମ ଜିଲ୍ଲା ଆର୍କାପଡ଼ି ଅଞ୍ଚଳରେ ଠାରେ ଥିବା ଏକ ଘରୋଇ କାମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ l ଗତ ୦୯ ତାରିଖ ରବିବାର ଦିନ ତଳେ ପଡ଼ି ମୁଣ୍ଡରେ ଆଘାତ ଲାଗିବାରୁ ପାଖରେ ଥିବା ଗାଁ ଲୋକମାନେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ । ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଯୁବକ ଜଣକ ମୃତ୍ୟୁ ବରଣ କରିଥିଲେ | ଏହି ଖବର ପାଇ ପରିବାର ତଥା ଗ୍ରାମରେ ଶୋକର ଛାୟା ଖେଳିଯାଇଛି l ମୃତ ସୁଭଦେବଙ୍କ ମରଶରୀରକୁ ନିଜ ଗ୍ରାମ ଗଦଗୁଡ଼ାକୁ ଆଣିବା ପାଇଁ ପରିବାର ତରଫରୁ ସ୍ଵାକ ସଂଗଠନ ସହାୟତାରେ ସୋମବାର କନ୍ଧମାଳ ଜିଲ୍ଲାପାଳ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ଭେଟି ମୃତ ସୁଭଦେବଙ୍କ ମରଶରୀରକୁ ନିଜ ଗ୍ରାମକୁ ଆଣିବା ସହ ଶବ ସତ୍କାର ସହାୟତା ନିମନ୍ତେ ଏକ ଲିଖିତ ଅନୁରୋଧ ପତ୍ର ପ୍ରଦାନ କରିଥିବା ସୂଚନା ମିଳିଛି । ଜିଲ୍ଲାପାଳ ତୁରନ୍ତ ପଦକ୍ଷେପ ନେଇ ଜିଲ୍ଲା ରେଡକ୍ରସର ଜରୁରୀକାଳୀନ ପାଣ୍ଠିରୁ ଆର୍ଥିକ ସହାୟତା ମଞ୍ଜୁର କରାଯିବ ବୋଲି ସୁଚନା ମିଳିଛି l କେରଳରେ ଶବ ବ୍ୟବଚ୍ଛେଦ ପରେ ବିମାନ ଯୋଗେ ଭୁବନେଶ୍ଵର ଆଣିବା ପରେ ନିଜ ଗାଁକୁ ଅଣାଯାଇ ସତ୍କାର କରାଯିବ । ଏହି ଘଟଣା ପୁଣିଥରେ କନ୍ଧମାଳ ଜିଲ୍ଲାକୁ ଦାଦନ ଜିଲ୍ଲା ଭାବେ ପରିଚୟ ଦେଇଥିବା ଆଲୋଚନା ହେଉଛି । କନ୍ଧମାଳ ଜିଲ୍ଲାରୁ ପରିବାର ପ୍ରତିପୋଷଣ ନିମନ୍ତେ ଅନ୍ୟ ଜିଲ୍ଲା ଓ ରାଜ୍ୟ ଉପରେ ନିର୍ଭର କରି ଜୀବିକା ଅନ୍ୱେଷଣରେ ଯାଉଥିବା ଦାଦନ ଶ୍ରମିକଙ୍କ କରୁଣ ଚିତ୍ର ସାମ୍ନାକୁ ଆସିଛି । ବିଗତ ୧୫ ଦିନ ମଧ୍ୟରେ କନ୍ଧମାଳ ଜିଲ୍ଲାର ୬ ଜଣ ଦାଦନ ଶ୍ରମିକ ବିଭିନ୍ନ ସ୍ଥାନରେ ମୃତ୍ୟୁ ବରଣ କରିଛନ୍ତି । ନିରୀହ ଶ୍ରମିକଙ୍କ ମୃତ୍ୟୁ ରୋକିବା ପାଇଁ ଜିଲ୍ଲାରେ ଦୀର୍ଘମିଆଦି ରୋଜଗାର ବ୍ୟବସ୍ଥା କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।