ଦାରିଙ୍ଗବାଡ଼ି ବଜାର ଲୁଗା ଦୋକାନୀଙ୍କ ଘରୁ ଲକ୍ଷାଧିକର ସୁନା ଗହଣା ଚୋରୀ…

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ବଜାରର ଜଣେ ପ୍ରମୁଖ ଲୁଗା ବ୍ୟବସାୟୀ ଅଶୋକ କୁମାର ସାହୁଙ୍କ ଘରୁ ଲକ୍ଷାଧିକର ସୁନା ଗହଣା ଚୋରି ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ପ୍ରକାଶ ଯେ, ଶୁକ୍ରବାର ସନ୍ଧ୍ୟାରେ ବ୍ୟବସାୟୀ ଅଶୋକ ପରିବାର ସହ ଘର ତାଲା ପକାଇ କୌଣସି କାର୍ଯ୍ୟରେ ବ୍ରହ୍ମପୁର ଯାଇଥିଲେ । ରବିବାର ପୂର୍ବାହ୍ନରେ ସେ ବ୍ରହ୍ମପୁରରୁ ଫେରି ଘରର ମୁଖ୍ୟ ଫାଟକର ତାଲା ଖୋଲିଥିଲେ । ଘର ଭିତରକୁ ଯିବା ବେଳେ ଘରର ୨ଟି ଫାଟକର ତାଲା କଟାଯାଇଥିବା ଦେଖିଥିଲେ । ପରେ ଘରେ ପଶି ଦେଖିଲେ ତାଙ୍କ ବେଡ୍‌ରୁମ୍‌ରେ ରହିଥିବା ଆଲମିରା ଭାଙ୍ଗି ତା’ ଭିତରେ ରହିଥିବା ୬ ଟି ସୁନା ମୁଦି ସହ ୪ ଟି ସୁନା ହାର, ଗୋଟିଏ ଚେନ୍‌, ୧୩ ହଳ ସୁନାଫୁଲ ଯାହାକି ମୋଟ୍‌ ୨୦ରୁ ୨୨ ଭରି ସୁନା ଗହଣା ଓ ରୁପାର କପ୍‌, ଗିନା ୨ଟି, ରୁପା ଫରୁଆ, ରୁପା କଏନ ମୋଟ୍‌ ପ୍ରାୟ ୫ ଶହ ଗ୍ରାମ ରୁପା ସହ ନଗଦ ୫୦ ହଜାର ଟଙ୍କା ଚୋରି ହୋଇଛି । ଦୁର୍ବୃତ୍ତମାନେ ମୁଖ୍ୟ ଫାଟକର ତାଲା ନ କାଟି କାନ୍ଥ ଡେଇଁ ପ୍ରବେଶ କରିଥିବା ଜଣାପଡ଼ିଛି । ବ୍ୟବସାୟୀ ଜଣକ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପକ୍ଷରୁ ୨୦୨/୨୬ ଏକ ମାମଲା ରୁଜୁ କରି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।