ବିକଶିତ କନ୍ଧମାଳ ଦାଦନମୁକ୍ତ କନ୍ଧମାଳ’ ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ …

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ମାଟିରେ ରୋଜଗାରର ସୁଯୋଗ ସୃଷ୍ଟି କରି ଦାଦନ ଯନ୍ତ୍ରଣାରୁ ଜିଲ୍ଲାବାସୀଙ୍କୁ ମୁକ୍ତ କରିବା ପାଇଁ ବିକଶିତ କନ୍ଧମାଳ, ଦାଦନମୁକ୍ତ କନ୍ଧମାଳ ଗଠନ ଲକ୍ଷରେ କନ୍ଧମାଳ ଜିଲ୍ଲାର ସାମାଜିକ କର୍ମୀ ସଂଗଠନ ସ୍ୱାକ୍ ପକ୍ଷରୁ ସ୍ଥାନୀୟ ଏନଏସି ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । କନ୍ଧମାଳ ଜିଲ୍ଲାକୁ ଦାଦନ ମୁକ୍ତ କରିବା ପାଇଁ ସଂଗଠନ ପକ୍ଷରୁ ଏକ ପ୍ରକାର ପ୍ରଚେଷ୍ଟା ଆରମ୍ଭ ହୋଇଛି l ଯେଉଁଥିରେ ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧି, ସ୍ୱେଚ୍ଛାସେବୀ ସଂଗଠନ, ବୁଦ୍ଧିଜୀବୀ, ଜନପ୍ରତିନିଧି ସାମିଲ ହୋଇଥିଲେ ।  ସଂଗଠନର ସଭାପତି ଆମନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ସମ୍ପାଦକ ହୃଷିକେଶ ପ୍ରଧାନ ବୈଠକର ଉଦ୍ଦେଶ୍ୟ ଓ ଅଭିଯାନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଉକ୍ତ ବୈଠକରେ କନ୍ଧମାଳ ଜିଲ୍ଲାର ବହୁ ସଂଖ୍ୟକ ଗଣମାଧ୍ୟମ ପ୍ରତିନିଧି, ୩୦ରୁ ଊର୍ଦ୍ଧ୍ୱ ସ୍ୱେଚ୍ଛାସେବୀ ସଂଗଠନର ପ୍ରତିନିଧିଙ୍କ ସମେତ ସାମାଜିକ କର୍ମୀ, ବୁଦ୍ଧିଜୀବୀ, ଜନପ୍ରତିନିଧି, ବରିଷ୍ଠ ନାଗରିକ ଯୋଗଦେଇ କନ୍ଧମାଳର ବିକାଶ ଓ ଦାଦନ ସମସ୍ୟା ନେଇ ବିଶେଷ ଆଲୋଚନା କରିଥିଲେ । ନିଜ ଅଞ୍ଚଳରେ ରୋଜଗାରର ଅଭାବ ଯୋଗୁଁ କନ୍ଧମାଳର ଶହ ଶହ ଶ୍ରମିକ ଜୀବିକା ଅନ୍ୱେଷଣରେ ଜିଲ୍ଲା ତଥା ରାଜ୍ୟ ବାହାରକୁ ଯାଉଛନ୍ତି ସେଠାରେ ଶାରୀରିକ ଓ ମାନସିକ ନିର୍ଯାତନାର ଶିକାର ହେଉଥିବା ନଜିର ରହିଛି । ଏପରିକି ରାଜ୍ୟ ବାହାରେ ଦୁର୍ଘଟଣାର ଶିକାର ହୋଇ ବହୁ ଶ୍ରମିକ ମୃତ୍ୟୁ ବରଣ କରୁଥିବା ଘଟଣା ମଧ୍ୟ ସାମ୍ନାକୁ ଆସୁଛି । ଏହି ଦାଦନ ଯନ୍ତ୍ରଣାର ଅନ୍ତ ଘଟାଇବା ପାଇଁ ବୈଠକରେ ଦୃଢ଼ ଓ ଦୀର୍ଘମିଆଦୀ ପଦକ୍ଷେପ ନେବା ପାଇଁ ମତପ୍ରକାଶ ପାଇଥିଲା । କନ୍ଧମାଳର ନିଜସ୍ୱ ପ୍ରାକୃତିକ ଓ ମାନବ ସମ୍ବଳକୁ ଉପଯୋଗ କରି ଯୁବପିଢ଼ି ରୋଜଗାର, ଆତ୍ମନିଯୁକ୍ତି ଓ ଉଦ୍ୟୋଗୀ ହେବାର ସୁଯୋଗ ସୃଷ୍ଟି କରିବା ଉପରେ ଜୋର ଦିଆ ଯାଇଥିଲା । ଏଥିପାଇଁ ତୃଣମୂଳ ସ୍ତରରୁ ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବ୍ୟାପକ ସଚେତନତା ସୃଷ୍ଟି କରିବାକୁ ନିଷ୍ପତ୍ତି ହୋଇଛି । କନ୍ଧମାଳର ଜଙ୍ଗଲଜାତ ଦ୍ରବ୍ୟ, ପଣସ, ହଳଦୀ, ବିଭିନ୍ନ ମସଲାଜାତୀୟ ସାମଗ୍ରୀ, କୁଟୀର ଶିଳ୍ପ ଓ ଅନ୍ୟାନ୍ୟ ସ୍ଥାନୀୟ ସମ୍ବଳର ପ୍ରକ୍ରିୟାକରଣ, ମୂଲ୍ୟବୃଦ୍ଧି ଓ ବଜାର ସଂଯୋଗ ମାଧ୍ୟମରେ ନୂଆ ରୋଜଗାର ସୃଷ୍ଟି କରିବା ପାଇଁ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯିବ । ବୈଠକରେ ବରିଷ୍ଠ ଗଣମାଧ୍ୟମ ପ୍ରତିନିଧି ତଥା ସ୍ୱାକର ଉପଦେଷ୍ଟା ସମୀର କୁମାର ପାଢ଼ୀ, ଅରୁଣ କୁମାର ଷଢଙ୍ଗୀ, ଅଶୋକ କୁମାର ପରିଡ଼ା, ସହସମ୍ପାଦକ ସଞ୍ଜୀବ ଦିଗାଲ, ଜାଗୃତି ସମ୍ପାଦକ କୈଳାସ ଚନ୍ଦ୍ର ଦଣ୍ଡପାଟ, ପ୍ରଦାତ୍ତା ସମ୍ପାଦକ ପ୍ରଦୀପ ଦାସ, ପ୍ରଦାନର ନିରଞ୍ଜନ ମିଶ୍ର, ବିପଦର ବନ୍ଧୁ ତାପସ କୁମାର ନାୟକ ଓ ଟିମ, ପ୍ରେସ୍ କ୍ଲବ୍‌ର ସନ୍ତୋଷ ଦିଗାଲଙ୍କ ସମେତ ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାମାଜିକ କର୍ମୀ, ସରପଞ୍ଚ ଓ ଏମ୍‌ବିକେମାନେ ଉପସ୍ଥିତ ଥିଲେ । ସେନ୍ସଭୋଲ, ସ୍ୱାତୀ, ସାହାରା, ମହିଳା ଜୀବିକା ସୁରକ୍ଷା ମଞ୍ଚ, ଅନ୍ତରଙ୍ଗ ଯୁବ ମହାସଂଘ, ଓଡ଼ିଶା ମୋଟର ଚାଳକ ସଂଘ, ଗ୍ରାମ ବିକାଶ, ଏମ୍‌ଏମ୍‌ସିଟି, ଗୁଡ୍ ସମରିଟାନ, ଏୟୁଏସ୍, ଉସା, କ୍ଷିପ୍ର ନ୍ୟାୟ ମଞ୍ଚ, ନାଗରିକ ମଞ୍ଚ, କନ୍ଧମାଳ ଜିଲ୍ଲା ସବୁଜ ବୈଦ୍ୟ ସଂଗଠନ, ମିଡିଆ କ୍ଲବ୍, ପ୍ରେସ୍ କ୍ଲବ୍, ଜୀବିକା ସୁରକ୍ଷା ମଞ୍ଚ ଆଦିର ପ୍ରତିନିଧିମାନେ ଏହି ଅଭିଯାନକୁ ସମର୍ଥନ ଜଣାଇ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବୈଠକକୁ ସଭାପତି ପରିଚାଳନା କରିଥିବାବେଳେ ଅନୁଷ୍ଠାନର ସଦସ୍ୟ ସନ୍ତୋଷ ଦିଗାଲ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ  ସସ୍ମିତା ମଲ୍ଲିକ, ମିନାକ୍ଷୀ ପ୍ରଧାନ, କୋଷାଧ୍ୟକ୍ଷ ସାମନ୍ତ ଶେଖର ନାୟକ ଓ ବିବେକାନନ୍ଦ ପ୍ରଧାନ ସହଯୋଗ କରିଥିଲେ ।