ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି । ଦୀର୍ଘ ୪ ଦିନ ହେବ ସ୍ୱାସ୍ଥ୍ୟ କେନ୍ଦ୍ରରେ ଥିବା ଏକ୍ସ-ରେ (X-Ray) ମେସିନ୍ ଅଚଳ ହୋଇ ପଡ଼ିରହିଥିବାରୁ ଦୂରଦୂରାନ୍ତରୁ ଆସୁଥିବା ଶହ ଶହ ରୋଗୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସୂଚନାଯୋଗ୍ୟ ଯେ, ଦାରିଙ୍ଗବାଡ଼ି ବ୍ଲକ୍ର ୨୫ ଗୋଟି ଗ୍ରାମପଞ୍ଚାୟତ ସମେତ ଆଖପାଖ ଅଞ୍ଚଳରୁ ଗରିବ ଓ ଆଦିବାସୀ ଜନସାଧାରଣ ପ୍ରତିଦିନ ଚିକିତ୍ସା ପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି । ମାତ୍ର ବିଗତ ୪ ଦିନ ହେଲା ଏକ୍ସ-ରେ ମେସିନ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଯୋଗୁଁ ଏହା ସମ୍ପୂର୍ଣ୍ଣ ବନ୍ଦ ରହିଛି । ଫଳରେ ଦୁର୍ଘଟଣାରେ ଆହାତ, ହାଡ଼ ଭଙ୍ଗା ଓ ଛାତି ଜନିତ ସମସ୍ୟା ନେଇ ଆସୁଥିବା ରୋଗୀମାନେ ଅସୁବିଧାରେ ପଡ଼ୁଛନ୍ତି । ଡାକ୍ତରଖାନାରେ ସେବା ମିଳୁ ନ ଥିବାରୁ ଅସୁସ୍ଥ ରୋଗୀମାନେ ବାଧ୍ୟ ହୋଇ ଚଢ଼ା ଦରରେ ବାହାରେ ଥିବା ପ୍ରାଇଭେଟ୍ କ୍ଲିନିକ୍କୁ ଯାଉଛନ୍ତି କିମ୍ବା ୫୦ କିଲମିଟର ଦୂର ବାଲିଗୁଡ଼ା ଓ ଫୁଲବାଣୀ ମୁଖ୍ୟ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି । ଗରିବ ଓ ଆସହାୟ ରୋଗୀଙ୍କ ପାଇଁ ଏହା ଅତିରିକ୍ତ ଆର୍ଥିକ ଓ ଶାରୀରିକ ବୋଝ ସାଜିଛି । ଏହି ଗୁରୁତ୍ୱପୂର୍ଣ୍ଣ ସମସ୍ୟା ପ୍ରତି ବିଭାଗୀୟ ଉଚ୍ଚକର୍ତ୍ତୃପକ୍ଷ ତୁରନ୍ତ ଦୃଷ୍ଟି ଦେଇ ଅଚଳ ଏକ୍ସ-ରେ ମେସିନ୍କୁ ମରାମତି କରିବା କିମ୍ବା ନୂତନ ମେସିନ୍ର ବ୍ୟବସ୍ଥା କରିବାକୁ ସ୍ଥାନୀୟ ସାଧାରଣ ଜନତା ଦାବି କରିଛନ୍ତି । ଏନେଇ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଇନ୍ଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟଙ୍କୁ ଯୋଗାଯୋଗ କରାଯାଇଥିଲା କିନ୍ତୁ ସମ୍ଭବ ହୋଇ ନଥିଲା l ଏନେଇ ବିପିଏମ୍ ଶାନ୍ତନୁ କୁମାର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଉକ୍ତ ଏକ୍ସରେର ସଫ୍ଟଓ୍ବେର ସମସ୍ୟା ଦେଖାଯାଇଛି । ଆମେ ଆଜି ଫୁଲବାଣୀ ମେଲ୍ ଯୋଗେ ଅବଗତ କରାଛୁ ଖୁବ ଶୀଘ୍ର ସ୍ବାଭାବିକ କରାଇବାକୁ ପଦକ୍ଷେପ ନେବୁ ବୋଲି କହିଛନ୍ତି ।