ରାୟଗଡ଼ ଥାନାରେ “ଆମ ପୋଲିସ ସମିତି” କାର୍ଯ୍ୟକ୍ରମ ଅନୁଷ୍ଠିତ…..

ରାୟଗଡ଼(ଟିକି ଲିମା): ଗଜପତି ଜିଲ୍ଲାର ରାୟଗଡ଼ ଥାନା ପରିସରରେ “ଆମ ପୁଲିସ ସମିତି” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସମ୍ପର୍କ ସ୍ଥାପନ ସହ ସଡ଼କ ସୁରକ୍ଷା, ସାଇବର ସଚେତନତା, ନିଶାମୁକ୍ତ ସମାଜ ଗଠନ ଏବଂ ବାଲ୍ୟବିବାହ ରୋକିବା ଉପରେ ସଚେତନ କରାଯାଇଛି । ଗଜପତି ଜିଲ୍ଲାର ରାୟଗଡ଼ ଥାନା ପରିସରରେ ଆଜି ସକାଳ ୧୧ଟାରେ “ଆମ ପୁଲିସ ସମିତି” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଥାନା ଅଧିକାରୀ ପ୍ରମଦ କୁମାର ଖଣ୍ଡୁଆଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏସଆଇ କୃଷ୍ଣ ସେଠି, ଏଏସଆଇ ସୁରଥ ଭୂୟାଁ, ଏଏସଆଇ ଦେବାଶିଷ ପାତ୍ର ଓ ରାୟଗଡ଼ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା ପୁଲିସ ଓ ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ଓ ସହଯୋଗ ବୃଦ୍ଧି କରିବା । ଏହି ଅବସରରେ ସଡ଼କ ସୁରକ୍ଷା ନିୟମ ପାଳନ, ହେଲମେଟ୍ ପିନ୍ଧି ଯାନ ଚାଳନା, ମଦ୍ୟପାନ କରି ଗାଡ଼ି ନ ଚଳାଇବା ଏବଂ ସାଇବର ଠକେଇରୁ ସତର୍କ ରହିବା ପାଇଁ ଲୋକଙ୍କୁ ପରାମର୍ଶ ଦିଆଯାଇଥିଲା । ଏହା ସହ ଗ୍ରାମାଞ୍ଚଳରେ ଅବୈଧ ଦେଶୀ ମଦ ବିକ୍ରିକୁ ବିରୋଧ କରିବା, ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବା ଏବଂ ବାଲ୍ୟବିବାହ ବିରୋଧରେ ସ୍ୱର ଉଠାଇବାକୁ ଉପସ୍ଥିତ ଜନସାଧାରଣଙ୍କୁ ଆହ୍ୱାନ କରାଯାଇଥିଲା । ସଚେତନ ଓ ସୁରକ୍ଷିତ ସମାଜ ଗଠନରେ ସମସ୍ତଙ୍କ ସହଯୋଗ ଆବଶ୍ୟକ ବୋଲି ପୁଲିସ ପକ୍ଷରୁ କୁହାଯାଇଥିଲା ।