କେରଳରେ ରଟିଙ୍ଗିଆ ଗ୍ରାମର ଦାଦନ ଶ୍ରମିକଙ୍କ ମୃତ୍ୟୁ, ଜିଲ୍ଲାପାଳଙ୍କ ତତ୍ପରତାରେ ରେଡକ୍ରସ ପାଣ୍ଠିରୁ ₹୨୦ ହଜାର ସହାୟତା…

ଅନୁସନ୍ଧାନ ଭାରତ(ବ୍ୟୁର): କନ୍ଧମାଳ ଜିଲ୍ଲା ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ଗ୍ରାମପଞ୍ଚାୟତର କଲିନାଯୁ ଗ୍ରାମର ଜଣେ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ଘଟିଛି । ମୃତକ ହେଲେ ସାଗର ପ୍ରଧାନ (୩୪) । ତାଙ୍କ ମୃତ୍ୟୁ ଖବର ପରେ ପରିବାର ଓ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସୂଚନା ଅନୁଯାୟୀ, ସାଗର କେରଳର ଏର୍ଣ୍ଣାକୁଲମ୍ ଜିଲ୍ଲା ପେରୁମ୍ବାଭୁର ଅଞ୍ଚଳର ଏକ ନିର୍ମାଣ କମ୍ପାନୀରେ ଶ୍ରମିକ ଭାବେ କାମ କରୁଥିଲେ । ଗତ ୨୭ ଜୁଲାଇ ସକାଳେ ସେ ହଠାତ୍ ଅସୁସ୍ଥ ହୋଇପଡ଼ିଥିଲେ । ସହକର୍ମୀମାନେ ତାଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲକୁ ନେଇଥିଲେ । ତେବେ ଡାକ୍ତର ସେଠାରେ ସାଗରଙ୍କୁ ମୃତ ଘୋଷଣା କରିଥିଲେ । ସାଗରଙ୍କ ପରିବାରର ଆର୍ଥିକ ଅବସ୍ଥା ଦୁର୍ବଳ ଥିବାରୁ କେରଳରୁ ମୃତଦେହ ଗ୍ରାମକୁ ଆଣିବା, ଶବଦାହ ଓ ଶୁଦ୍ଧିକ୍ରିୟା କରିବା ପରିବାର ପକ୍ଷରେ କଷ୍ଟକର ହୋଇପଡ଼ିଥିଲା । ମୃତକଙ୍କ ବୃଦ୍ଧା ବିଧବା ମା’ ପୂର୍ଣ୍ଣିମା ପ୍ରଧାନ (୬୮) ଏନେଇ କନ୍ଧମାଳ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଆବେଦନ କରି ସହାୟତା ନିବେଦନ କରିଥିଲେ । ଆବେଦନ ପାଇବା ପରେ ଜିଲ୍ଲାପାଳ ମାନବିକ ଦୃଷ୍ଟିକୋଣରୁ ତୁରନ୍ତ ପଦକ୍ଷେପ ନେଇ ଜିଲ୍ଲା ରେଡକ୍ରସର ଜରୁରୀକାଳୀନ ପାଣ୍ଠିରୁ ₹୨୦ ହଜାର ଟଙ୍କା ଆର୍ଥିକ ସହାୟତା ମଞ୍ଜୁର କରିଥିବା ଜଣାପଡ଼ିଛି । ଏହି ଅର୍ଥ ମୃତଦେହ ପରିବହନ, ଶବଦାହ ଓ ଅନ୍ୟାନ୍ୟ ଜରୁରୀ ଖର୍ଚ୍ଚରେ ପରିବାରକୁ ସହାୟତା କରିବ । ଜିଲ୍ଲାପାଳଙ୍କ ତ୍ୱରିତ ଓ ସମ୍ବେଦନଶୀଳ ପଦକ୍ଷେପ ପାଇଁ ମୃତକଙ୍କ ପରିବାର କୃତଜ୍ଞତା ଜଣାଇଛନ୍ତି । ଏହା ସହ ସ୍ଥାନୀୟ ବୁଦ୍ଧିଜୀବୀ ଓ ସମାଜସେବୀମାନେ ମଧ୍ୟ ଜିଲ୍ଲା ପ୍ରଶାସନର ଏହି ମାନବିକ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ଏହି ଘଟଣା ପୁଣିଥରେ କନ୍ଧମାଳ ଜିଲ୍ଲାରୁ ଜୀବିକା ଅନ୍ୱେଷଣରେ ବାହାର ରାଜ୍ୟକୁ ଯାଉଥିବା ଦାଦନ ଶ୍ରମିକଙ୍କ ସମସ୍ୟାକୁ ସାମ୍ନାକୁ ଆଣିଛି । ଜିଲ୍ଲାରେ ଅଧିକ ରୋଜଗାର ସୁଯୋଗ ସୃଷ୍ଟି କରି ଦାଦନ ପ୍ରବଣତା ରୋକିବା ପାଇଁ ଦୀର୍ଘମିଆଦି ପଦକ୍ଷେପ ନେବାକୁ ବିଭିନ୍ନ ମହଳରୁ ଦାବି ହେଉଛି । ଏହି ଘଟଣାରେ ରଟିଙ୍ଗିଆ ସରପଞ୍ଚ ବିଷ୍ଣୁଦେବ ପ୍ରଧାନ, ଯୁବ ସମାଜସେବୀ ଆମନ୍ ଚନ୍ଦ୍ର ନାୟକ, ହୃଷିକେଶ ପ୍ରଧାନ ଓ ଫିରୋଜ କୁମାର ପ୍ରଧାନ ଜିଲ୍ଲାପାଳ ଏବଂ ଜିଲ୍ଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ମୃତଦେହକୁ ଗ୍ରାମକୁ ଆଣିବା ସହ ପରିବାରକୁ ଜରୁରୀ ସହାୟତା ଯୋଗାଇଦେବାକୁ ଅନୁରୋଧ କରିଥିଲେ । ପ୍ରାକୃତିକ ସମ୍ପଦରେ ପରିପୁର୍ଣ୍ଣ କନ୍ଧମାଳ ଜିଲ୍ଲା l କିନ୍ତୁ ଏହି ସମ୍ପଦକୁ ଜନସାଧାରଣଙ୍କ ସ୍ବାର୍ଥରେ ବ୍ୟବହାର କରିବାରେ ସରକାର ବିଫଳ l ଯାହା ପାଇଁ ରୋଜଗାର ପନ୍ଥା ଅଭାବରୁ କନ୍ଧମାଳ ଜିଲାର ବହୁ ସଂଖ୍ୟାରେ ଶିକ୍ଷିତ ଯୁବକ ଯୁବତୀ ପ୍ରତ୍ୟକ ଦିନ ବାହାର ରାଜ୍ୟକୁ ଜୀବିକା ଅନ୍ବେସଣରେ ଯାଉଛନ୍ତି l ସେଠାରେ ବିଭିନ୍ନ ଦୁର୍ଘଟଣାର ସମ୍ମୁଖିନ ହୋଇ ବହୁମୁଲ୍ୟ ଜୀବନ ହାରୁଛନ୍ତି l ତେଣୁ ସରକାର କନ୍ଧମାଳ ଜିଲ୍ଲାକୁ ଦାଦନ ମୁକ୍ତ କରିବା ପାଇଁ ଜିଲ୍ଲାରେ ବିଭିନ୍ନ ଯୋଜନା କରିବାର ନିତାନ୍ତ ଜରୁରୀ ବୋଲି ସମ୍ବାଦିକ ଗଗନ କୁମାର ପ୍ରଧାନ, ପୁର୍ବତନ ବ୍ଲକ କଂଗ୍ରେସ ସଭାପତି ଟାର୍ଜନ ସାହୁ, ଯୁବସମାଜ ସେବୀ ସଂଜୟ ଦିଗାଳ, ଦିଲିପ ନାୟକ, ବରିଷ୍ଠକଂଗ୍ରେସ କର୍ମୀ ରମାକାନ୍ତ ମହାପାତ୍ର ମତବ୍ୟକ୍ତ କରିଛନ୍ତି l