ଶ୍ରାନିକେତା ପଞ୍ଚାୟତ ଆଡକି ଜଙ୍ଗଲରେ ମଙ୍ଗଳବାର ବିଳମ୍ବିତ ରାତ୍ରିରେ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ: ୨ ଗିରଫ ୫ ଯାନ ସହ ୬୫୦୦ ନଗତ ଟଙ୍କା ଜବତ….
ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅନ୍ତର୍ଗତ ଶ୍ରାନିକେତା ପଞ୍ଚାୟତର ଆଡକି ଜଙ୍ଗଲରେ ଚାଲିଥିବା ଏକ ବଡ଼ ଜୁଆ ଆଡ୍ଡା ଉପରେ ପୁଲିସ ଚଢ଼ାଉ କରିଛି । ମଙ୍ଗଳବାର ବିଳମ୍ବିତ ରାତ୍ରିରେ ହୋଇଥିବା ଏହି ଆକସ୍ମିକ ଚଢ଼ାଉରେ ପୁଲିସକୁ ଏକ ବଡ଼ ସଫଳତା ମିଳିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଆଡକି ଜଙ୍ଗଲ ଭିତରେ ଦୀର୍ଘ ଦିନ ହେବ କିଛି ଅସାମାଜିକ ବ୍ୟକ୍ତି ଏକତ୍ରିତ ହୋଇ ବେଆଇନ ଭାବେ ଜୁଆ ଖେଳର ଆସର ଜମାଉଥିଲେ । ଏନେଇ ଦାରିଙ୍ଗବାଡି ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନାଙ୍କୁ ଏକ ବିଶ୍ୱସ୍ତ ସୂତ୍ରରୁ ଗୁପ୍ତ ସୂଚନା ମିଳିଥିଲା । ସୂଚନା ପାଇବା ମାତ୍ରେ ପୁଲିସର ଏକ ସ୍ୱତନ୍ତ୍ର ଟିମ୍ ପ୍ରସ୍ତୁତ ହୋଇ ଜଙ୍ଗଲ ଚାରିପାଖକୁ ଘେରାବନ୍ଦୀ କରିଥିଲେ । ପୁଲିସ ହଠାତ୍ ଚଢ଼ାଉ କରିବାରୁ ଜୁଆଡ଼ିମାନଙ୍କ ମଧ୍ୟରେ ଦୌଡ଼ାଦୌଡ଼ି ସ୍ଥିତି ସୃଷ୍ଟି ହୋଇଥିଲା ।
ତେବେ ପୁଲିସ ସତର୍କତାର ସହ ୨ ଜୁଆଡ଼ି ପାଟ୍ଟା ଗ୍ରାମର ବିଭୁ ଦିଗାଲ ଏବଂ ଦଣ୍ଡିମା ଗ୍ରାମର ବିମଳ ପ୍ରଧାନଙ୍କୁ ଓ ଆଡ୍ଡାରୁ ୬୫୦୦ ନଗଦ ଟଙ୍କା, ଜୁଆ ଖେଳ ସାମଗ୍ରୀ, ମୋବାଇଲ୍ ଫୋନ୍ ଏବଂ ୪ ଗୋଟି ମୋଟର ସାଇକେଲ ଓ ଏକ ସ୍କୁଟି ମଧ୍ୟ ଜବତ କରାଯାଇଥିବା ଥାନା ଅଧିକାରୀ ସଂଗ୍ରାମ କେଶରୀ ଜେନା ସୂଚନା ଦେଇଛନ୍ତି । ଏନେଇ ପୁଲିସ ପକ୍ଷରୁ ମାମଲା (୧୭୫/୨୬) ରୁଜୁ କରାଯାଇ ଅନ୍ୟ ପଳାତକ ଅଭିଯୁକ୍ତମାନଙ୍କୁ ଧରିବା ପାଇଁ ଅଧିକ ତଦନ୍ତ ଜାରି ରହିଛି ବୋଲି କହିଛନ୍ତି । ଜଙ୍ଗଲ ଭିତରେ ଲୁଚିଛପି ଚାଲିଥିବା ଏହି କାରବାରର ପର୍ଦ୍ଦାଫାଶ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି । ପୁଲିସର ଏହି ତ୍ୱରିତ କାର୍ଯ୍ୟାନୁଷ୍ଠାନକୁ ଶ୍ରାନିକେତା ପଞ୍ଚାୟତର ସାଧାରଣ ଜନତା ଏବଂ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି । ବର୍ତ୍ତମାନ ପୁଲିସ ଗିରଫ କରିଥିବା ବ୍ୟକ୍ତିମାନଙ୍କୁ ଥାନାରେ ଅଟକ ରଖି ଅଧିକ ପଚରାଉଚରା କରୁଛି ଏବଂ ଏହି ଗ୍ୟାଙ୍ଗ୍ ସହ ଅନ୍ୟ କେଉଁମାନେ ସଂପୃକ୍ତ ଅଛନ୍ତି ସେ ନେଇ ତଦନ୍ତ ଚଳାଇଛି ।