ଦାରିଙ୍ଗବାଡି(ଅଶୋକ ସିଂ): କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ କିଛିଦିନ ଧରି ଲଗାଣ ବର୍ଷା ଜାରି ରହି ଥିବା ବେଳେ ବ୍ଲକର ତିଲୋରୀ ପଞ୍ଚାୟତକୁ ସଂଯୋଗ କରୁଥିବା ଗୁମାଡ଼ି ନଦୀର ଜଳସ୍ତର ବୃଦ୍ଧି ପାଇବା ଫଳରେ ନଦୀ ଉପରେ ନିର୍ମିତ ଡାଇଭର୍ସନ ରାସ୍ତାରେ ନିର୍ମାଣ କରାଯାଇ ଥିବା ଅସ୍ଥାୟୀ ପୋଲ ଧୋଇ ହୋଇ ଯାଇଛି । ଅଧିକ ମାତ୍ରରେ ପାଣି ପ୍ରବାହିତ ହେଉଥିବାରୁ ଦାରିଙ୍ଗବାଡି ବ୍ଲକର ସିମନବାଡିରୁ ତିଲୋରୀ , ବୁଡ଼ାଗୁଡ଼ା, ଗୁମିକିଆ ଦେଇ ବାଲିଗୁଡ଼ାକୁ ଯାତାୟାତ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ସୂଚନାନୁସାରେ, ୫୯ନଂ ଜାତୀୟ ରାଜପଥ ବୁଡ଼ାଗୁଡ଼ା ଛକ ଠାରୁ ତିଲୋରୀ–ବାଲିଗୁଡ଼ା ପୂର୍ତ୍ତ ବିଭାଗ ରାସ୍ତାର ସମ୍ପ୍ରସାରଣ କାର୍ଯ୍ୟ ଚାଲିଥିବା ବେଳେ ଗୁମାଡି ନଦୀ ଉପରେ ଏକ ସେତୁ ନିର୍ମାଣ କାର୍ଯ୍ୟ ଚାଲିଛି ଥିବା ବେଳେ ପୂର୍ତ୍ତ ବିଭାଗ ପକ୍ଷରୁ ନଦୀ ସ୍ରୋତର ଗତିବିଧିକୁ ଲକ୍ଷ୍ୟ କରି ଉକ୍ତ ଡାଇଭର୍ସନ ରାସ୍ତା ରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇ ନଥିବାରୁ ଏହା ପ୍ରଭାବିତ ହୋଇ ଥିବା ଅଭିଯୋଗ ହୋଇଛି । ଲଗାଣ ବର୍ଷା ଯୋଗୁଁ ନଦୀରେ ପ୍ରବଳ ସ୍ରୋତ ସୃଷ୍ଟି ହୋଇ ଡାଇଭର୍ସନ ରାସ୍ତା ସମ୍ପୂର୍ଣ୍ଣ ଧୋଇଯିବା ଫଳରେ ତିଲୋରୀ, ବୁଡ଼ାଗୁଡ଼ା, ଗୁମିକିଆ ସମେତ ଅନ୍ୟାନ୍ୟ ଗ୍ରାମ ବିଚ୍ଛିନ୍ନ ହୋଇପଡ଼ିଛି । ବ୍ଲକ କାର୍ଯ୍ୟାଳୟ ତଥା ଜରୁରୀକାଳୀନ ସେବା, ସ୍ୱାସ୍ଥ୍ୟ ସେବା ଓ ଦୈନନ୍ଦିନ କାର୍ଯ୍ୟକଳାପ ବ୍ୟାହତ ହୋଇଛି । ଏଣୁ ଜିଲ୍ଲା ପ୍ରଶାସନ ତଥା ବିଭାଗୀୟ ଅଧିକାରୀ ଏଥି ପ୍ରତି ଦୃଷ୍ଟି ଦେଇ ତୁରନ୍ତ ସେତୁ ନିର୍ମାଣ କାମ ସମ୍ପୂର୍ଣ୍ଣ କରିବା ସହ ଯାତାୟାତ ସ୍ୱାଭାବିକ କରିବାକୁ ସ୍ଥାନୀୟ ଅଞ୍ଚଳ ବାସୀ ଦାବି କରିଛନ୍ତି ।