ଲୋନ କରାଇଦେବା ନାଁରେ ୧୦ ମହିଳାଙ୍କୁ ୫୦ ହଜାର ଠକେଇ ଅଭିଯୋଗ, ଥାନାର ଦ୍ୱାରସ୍ଥ ହେଲେ ମହିଳା…..

ଦାରିଙ୍ଗବାଡ଼ି(ମୃତ୍ୟୁଞ୍ଜୟ ପ୍ରଧାନ): ଲୋନ କରାଇଦେବା ନାଁରେ ସରଳ ମହିଳାମାନଙ୍କୁ ୫୦ ହଜାର ଆର୍ଥିକ ଠକେଇ କରାଯାଇଥିବା ଭଳି ଏକ ସଂଗୀନ ମାମଲା ସାମ୍ନାକୁ ଆସିଛି । କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସୀମନବାଡ଼ି ଅଞ୍ଚଳରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ମିଳିଥିବା ସୂଚନା ମୁତାବକ ଦୁଇ ଜଣ ଅଜଣା ବ୍ୟକ୍ତି ନିଜକୁ ଏକ ଟାଟା ବିର୍ଲା କମ୍ପାନୀର କର୍ମଚାରୀ ପରିଚୟ ଦେଇ ସୀମନବାଡ଼ି ଅଞ୍ଚଳର ମା ସମଲେଇ ଗ୍ରୁପର ୧୦ ମହିଳାଙ୍କୁ  ୫୦ ହଜାର ଦେଲେ ୧୦ ଲକ୍ଷ ଲୋନ ଯୋଗାଇଦେବାର ପ୍ରଲୋଭନ ଦେଖାଇଥିଲେ । ଏହି ଭଳି କମ୍ ସୁଧରେ ବଡ଼ ଅଙ୍କର ଲୋନ ଯୋଗାଇଦେବାର ପ୍ରଲୋଭନ ଦେଖାଇଥିଲେ । ଏହି ଜାଲରେ ପଡ଼ି ପ୍ରାୟ ୧୦ ଜଣ ମହିଳା ଲୋନ ପାଇବା ଆଶାରେ ନିଜର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ଫାଇଲ୍ ଚାର୍ଜ ଓ ଆଗୁଆ ଜମା ବାବଦକୁ ମୋଟ ୫୦ ହଜାର ଟଙ୍କା ସେହି ବ୍ୟକ୍ତିଙ୍କୁ ଦେଇଥିଲେ । ଟଙ୍କା ନେବା ପରେ ଦୁଇ ଜଣ ବ୍ୟକ୍ତି ଫୋନ୍ ବନ୍ଦ କରି ଫେରାର ହୋଇଯାଇଥିବା ଅଭିଯୋଗ ହୋଇଛି । ମହିଳାମାନେ ନିଜକୁ ଠକାମିର ଶିକାର ହୋଇଥିବା ଅନୁଭବ କରିବା ପରେ ଏବେ ନ୍ୟାୟ ପାଇଁ ଦାରିଙ୍ଗବାଡ଼ି ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ଏହି ଘଟଣାରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଅତିଶୀଘ୍ର ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛି । ଏଭଳି ଅଜଣା ଲୋକଙ୍କ ପ୍ରଲୋଭନରେ ନପଡ଼ିବାକୁ ପୁଲିସ ପ୍ରଶାସନ ତରଫରୁ ଜନସାଧାରଣଙ୍କୁ ସଚେତନ କରାଯାଇଛି ।